ମାଲକାନଗିରି ୯।୮: ‘କୌନ ବନେଗା କରୋଡପତି’ ହଟ୍ ସିଟ୍‌ରେ ମାଲକାନଗିରି ଜିଲ୍ଲାର ‘ଜଙ୍ଗଲ ରାଣୀ’ ଜୟନ୍ତି ବୁରୁଦା । ସମଗ୍ର ଦେଶରୁ ଚୟନ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ଓଡ଼ିଶାର ଏକମାତ୍ର ଆଦିବାସୀ ଝିଅ ଭାବେ ସ୍ଥାନ ପାଇଥିଲେ ଜୟନ୍ତି ।

ଦୁର୍ଗମ ଆଦିବାସୀ ଅଞ୍ଚଳରେ ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ଦୀର୍ଘଦିନ ଧରି କାମ କରିଆସୁଛନ୍ତି ଜୟନ୍ତି । ଆଦିବାସୀ ସମାଜର ଅଧିକାର ଓ ସମସ୍ୟାକୁ ନେଇ ସଚେତନତା ସୃଷ୍ଟି କରିବା ସହ ଜଣେ ଅଗ୍ରଣୀ ମହିଳା ଭାବେ ସେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ହାସଲ କରିଛନ୍ତି।

‘କୌନ ବନେଗା କରୋଡପତି’ର ହଟ୍ ସିଟ୍ରେ ବସିବା ତାଙ୍କର ଦୀର୍ଘଦିନର ସ୍ୱପ୍ନ ଥିଲା। ବହୁ କଷ୍ଟ ଓ ଚେଷ୍ଟା ପରେ ସେ ଶେଷ ପାହାଚ ପର୍ଯ୍ୟନ୍ତ ପହଞ୍ଚିଥିଲେ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ସଫଳ ହୋଇପାରିନଥିଲେ। ତେବେ ସ୍ୱପ୍ନ ପୂରଣ ନହେଲେ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଅତି ନିକଟରୁ ଦେଖିବା ଏବଂ ଦେଶର ଏତେ ବଡ଼ ମଞ୍ଚରେ ପହଞ୍ଚିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ବୋଲି ଜୟନ୍ତି ବୁରୁଦା କହିଛନ୍ତି ।