କୋଟିଆକୁ ନେଇ ପୁଣି ଚିନ୍ତା ବଢ଼ାଇଲା ଆନ୍ଧ୍ରର ନିର୍ବାଚନୀ ଯୋଜନା। ଚଳିତ ମାସ ୫ ତାରିଖରେ ଜିଲ୍ଲା ପ୍ରଶାସନର କଡ଼ା ଆଭିମୁଖ୍ୟ ଯୋଗୁଁ କୋଟିଆ ମାଟିରେ ନିର୍ବାଚନ ପାଇଁ ବୁଥ୍ ସ୍ଥାପନ କରିପାରିନଥିଲା ଆନ୍ଧ୍ର। ସେହି ସମୟରେ ସର୍ବଦଳୀୟ ନେତାଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଦୁଇ ଦିନ ଧରି ସୀମାରେ ପହରା ଦେଇଥିଲେ। ତଥାପି କିଛି ଭୋଟ୍ ନେବାରେ ସଫଳ ହୋଇଥିଲା ଆନ୍ଧ୍ର। ଏବେ ପୁଣି ଆସନ୍ତା ୨୯ ତାରିଖରେ କୋଟିଆରେ ସରପଞ୍ଚ ନିର୍ବାଚନ କରିବାକୁ ଯୋଜନା କରିଛି ଆନ୍ଧ୍ର। ଏହାକୁ ନେଇ ପୁଣି ଥରେ କୋଟିଆର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ କୋରାପୁଟ ପ୍ରଶାସନ ସହ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା। ଗତକାଲି ସନ୍ଧ୍ୟାରେ ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୬ର ପ୍ରସ୍ତୁତି ବୈଠକରେ କୋଟିଆରେ କୋଟିଆ ପରବ ପାଳନ କରିବାକୁ ନେତାମାନେ ପ୍ରସ୍ତାବ ରଖିଛନ୍ତି। ଆନ୍ଧ୍ରର ନିର୍ବାଚନ ତାରିଖ ଅର୍ଥାତ୍ ଆସନ୍ତା ୨୯ ତାରିଖରେ ହିଁ କୋଟିଆରେ ପାଳନ ହେବ କୋଟିଆ ପରବ। ଆଦିବାସୀଙ୍କ ନାଚଗୀତରେ ଦୁଲୁକିବ କୋଟିଆ। ଆନ୍ଧ୍ରର ନିର୍ବାଚନୀ ଉଦ୍ୟମକୁ ରୋକିବା ସହ କୋଟିଆ ଉପରେ ଓଡ଼ିଶାର ଦାବିକୁ ଦୃଢ଼ କରିବା ପାଇଁ କୋଟିଆ ପରବକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି।