ବଲାଙ୍ଗୀର, ୦୮/୧୧ : ଟ୍ରକକୁ ଧକ୍କା ଦେଲା ବସ୍ । ଟାୟାର ଫାଟି ଯିବାରୁ ଘଟିଲା ଦୁର୍ଘଟଣା । ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଥିବା ସ୍କୁଲ ନିକଟରେ ।

ରିପୋର୍ଟ ଅନୁସାରେ, ରବିବାର ଭୋର ୫ଟାରେ ପୁରୀରୁ ଆସୁଥିବା ଭୋଲଭୋ ସରକାରୀ ବସ୍ ନୂଆପଡା ଅଭିମୁଖେ ଯାତ୍ରା କରୁଥିଲା । ଏତିକି ବେଳେ କଳାହାଣ୍ଡି ପଟରୁ ଆସୁଥିବା ଟ୍ରକ ସହ ଏହାର ମୁହାଁମହିଁ ଧକ୍କା ହୋଇଥିଲା। ଟ୍ରକର ଆଗ ଚକା ଫାଟି ଯିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ତେବେ ବସରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଟ୍ରକରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି।

Also Read :-ରାସ୍ତାକଡରେ ପଡିଛି ମୃତଦେହ, ପାଖରେ ପାର୍କିଂ ହୋଇଛି କାର୍ : ଦୁର୍ଘଟଣା ନା ହତ୍ୟା ?

ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଟ୍ରକରୁ ବାହାରି ପାରି ନଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶ୍ରମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଫସି ଯାଇଥିବା ଟ୍ରକ ଡ୍ରାଇଭରଙ୍କୁ ଗାଡି କାଚ ଓ କିଛି ପାର୍ଟସ୍ ଭାଙ୍ଗି ବାହାର କରାଯାଇଛି। ତେବେ ଘନ କୁହୁଡି ସହ ଟ୍ରକଟି ଦ୍ରୁତ ବେଗରେ ଥିବାବେଳେ ଟାୟାର ଫାଟିଯାଇଥିବା କୁହାଯାଉଛି । ପୂର୍ବରୁ ମଧ୍ୟ ଅନେକ ଥର ଏହି ରାସ୍ତାରେ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।