ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ICC)ର ଚେୟାରମ୍ୟାନ ଭାବେ ପୁନର୍ବାର ନିଯୁକ୍ତ ହୋଇଛନ୍ତି ଜୟ ଶାହ। ନିର୍ଦ୍ଵନ୍ଦ୍ଵରେ ପୁଣି ଥରେ ତାଙ୍କୁ ଆଇସିସି ଚେୟାରମ୍ୟାନ ଭାବେ ଚୟନ କରାଯାଇଛି। ବାଲିରେ ଆୟୋଜିତ ବୈଠକରେ ଆଇସିସି ଏହାର ଘୋଷଣା କରିଛି। ଜୟ ଶାହଙ୍କ ନେତୃତ୍ଵରେ ଆଇସିସି କ୍ରିକେଟକୁ ନେଇ ଯୋଜନା ବେଶ ସଫଳ ରହିଛି। ଏହି କାରଣରୁ ବିଶ୍ଵ କ୍ରିକେଟ୍ ପରିଚାଳନା କରୁଥିବା ବୋର୍ଡ ଶାହଙ୍କ ଉପରେ ପୁନଃ ଭରସା କରିଛି।

ଆଇସିସି ପୋଷ୍ଟ କରି ଲେଖିଛି, ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ICC) ଏହି ଖବର ଜଣାଇବାରେ ଖୁସି ପ୍ରକାଶ କରୁଛୁ ଯେ, ବୋର୍ଡ ଏବଂ କମିଟି ମିଟିଂରେ ଆଇସିସି ନିର୍ଦ୍ଦେଶକଙ୍କ ପ୍ରସ୍ତାବ ପରେ ଜୟ ଶାହଙ୍କୁ ଆଇସିସିର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଉଛି। ଶାହଙ୍କ କାର୍ଯ୍ୟକାଳରେ ଆଇସିସିର କ୍ରିକେଟ୍ କାର୍ଯ୍ୟକ୍ରମ ବେଶ ସକରାତ୍ମକ ଏବଂ ପ୍ରଭାବୀ ଢଙ୍ଗରେ ଆଗକୁ ବଢିଛି।

Also Read: ଏହି ୪ ଦେଶ ବିରୁଦ୍ଧରେ ଦୀର୍ଘ ୭ ବର୍ଷ ହେଲାଣି ଗୋଟିଏ ବି ଶତକ ମାରି ନାହାନ୍ତି ବିରାଟ

ଉଲ୍ଲେଖନୀୟ ୩୮ ବର୍ଷୀୟ ଜୟ ଶାହ ୨୦୨୪ ଡିସେମ୍ବରରେ ଆଇସିସିର ଚେୟାରମ୍ୟାନ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହି ଦୁଇ ବର୍ଷରେ ସେ କ୍ରିକେଟର ମୂଳଦୁଆକୁ ମଜବୁତ କରିବା, ମହିଳା କ୍ରିକେଟର ଲଗାତାର ଉନ୍ନତି, ଆସୋସିଏଟ ସଦସ୍ୟଙ୍କୁ ସୁଯୋଗ ଦେବା, ଅନ୍ତର୍ଜାତୀୟ କ୍ରିକେଟର ବିଶ୍ଵସନୀୟତା ବଜାୟ ରଖିବା ଆଦି କାର୍ଯ୍ୟକୁ ବେଶ ସୁଚାରୁ ରୂପେ ତୁଲାଇଛନ୍ତି।

ଜୟ ଶାହ ଏହି ଅବସରରେ କହିଛନ୍ତି, ICC ବୋର୍ଡ ମୋ ଉପରେ ଯେଉଁ ଭରସା ଦେଖାଇଛି, ଏଥିରେ ମୁଁ ବହୁତ ସମ୍ମାନିତ ଅନୁଭବ କରୁଛି। ପ୍ରତି ନିର୍ଦ୍ଦେଶକଙ୍କୁ ମୋତେ ପୁନର୍ବାର ଏହି ପଦ ପାଇଁ ଯୋଗ୍ୟ ଭାବି ଥିବାରୁ ହୃଦୟରୁ ଧନ୍ୟବାଦ। ICCର ଚେୟାରମ୍ୟାନ ଭାବେ କାମ କରିବା ଏକ ଖାସ୍ ସୁଯୋଗ ଏବଂ ଦାୟିତ୍ଵ ଉଭୟ ରହିଛି। ମୁଁ ସାରା ଦୁନିଆରେ କ୍ରିକେଟର ହିତକୁ ଆଗକୁ ବଢାଇବା ପାଇଁ ପ୍ରତିଟି ସଦସ୍ୟଙ୍କ ସହ କାମ କରିବା ପାଇଁ ପ୍ରତିବଦ୍ଧ।

Also Read: ରୋହିତ ଓ ବିରାଟଙ୍କ ଶେଷ ODI ମ୍ୟାଚ୍, ଭାବବିହ୍ଵଳ ହେଲେ ଦୁଇ ତାରକା ଖେଳାଳି

ଜୟ ଶାହଙ୍କ କ୍ୟାରିୟର

କ୍ରିକେଟ୍ ପ୍ରଶାସନିକ କାର୍ଯ୍ୟରେ ଦୀର୍ଘ ସମୟରୁ ଜଡ଼ିତ ଅଛନ୍ତି ଶାହ। ଜିଲ୍ଲାସ୍ତରରୁ ନେଇ ଗୁଜରାଟ ରାଜ୍ୟ କ୍ରିକେଟ୍ ସଂଘରେ ସେ ଗୁରୁତ୍ଵପୂର୍ଣ୍ଣ ପଦ ସମ୍ଭାଳିଛନ୍ତି। ଏହା ପରେ ସେ ବିସିସିଆଇର ସଂପାଦକ ଭାବେ ମଧ୍ୟ କାମ କରିଛନ୍ତି। କେବଳ ଏତିକି ନୁହେଁ ଏସୀୟ କ୍ରିକେଟ୍ ପରିଷଦ(ACC)ର ଚେୟାରମ୍ୟାନ ଦାୟିତ୍ଵ ମଧ୍ୟ ସମ୍ଭାଳିଛନ୍ତି। ବିସିସିଆଇ ସଂପାଦକ ଭାବେ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ସେ ଆଇସିସି ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିଲେ। ଏବେ ପୁଣି ଥରେ ତାଙ୍କୁ ଚେୟାରମ୍ୟାନ ଦାୟିତ୍ଵ ଦିଆଯାଇଛି।