ପାଟନା, ୧୬।୧୧ : ବିବାଦରେ ମନ୍ତ୍ରୀ । ବଢୁଛି ସମସ୍ୟା । ବିହାର ସରକାରରେ ମନ୍ତ୍ରୀ ଥିବା ଅଶୋକ ଚୌଧରୀଙ୍କ ଅଡୁଆ ବଢିବାରେ ଲାଗିଛି । ମନ୍ତ୍ରୀ ଥିବା ସହ ସେ ଆସିଷ୍ଟାଣ୍ଟ୍ ପ୍ରଫେସର ଚାକିରି କରୁଥିବା ମାମଲା ସାମ୍ନାକୁ ଆସିଛି । ଏପରିକି ତାଙ୍କ ବିଧାନ ପରିଷଦର ସଦସ୍ୟତା ଏବେ ସଙ୍କଟରେ । ରାଜଭବନ ପକ୍ଷରୁ ଏନେଇ ପ୍ରଶ୍ନ ଉଠାଯିବା ସହ ଏହା ଅଫିସ୍ ଅଫ୍ ପ୍ରଫିଟ୍ ସହ ଜଡିତ ବୋଲି କୁହାଯାଉଛି । ଫଳରେ ଅଶୋକ ମନ୍ତ୍ରୀ ପଦ ଏବଂ ଚାକିରି ସହ ଏମଏଲସି ପଦରୁ ମଧ୍ୟ ବିତାଡିତ ହୋଇପାରନ୍ତି ।

ରିପୋର୍ଟ ଅନୁସାରେ, ଜେଡିୟୁ ନେତା ଅଶୋକ ଚୌଧରୀଙ୍କୁ ବିଧାନ ପରିଷଦର ସଦସ୍ୟତା କିମ୍ବା ଆସିଷ୍ଟାଣ୍ଟଟ୍ ପ୍ରଫେସର ମଧ୍ୟରୁ ଗୋଟିଏ ବାଛିବାକୁ ପଡିବ । ସେ ଆସିଷ୍ଟାଣ୍ଟ ପ୍ରଫେସର ଥିବାରୁ ଏହା ଅଫିସ୍ ଅଫ୍ ପ୍ରଫିଟରେ ଆସୁଛି । ଯାହା ତାଙ୍କର ସଦସ୍ୟତା ଛଡାଇପାରେ । ସେ ଏବେ ବିହାର ସରକାରରେ ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରହିଛନ୍ତି । ଚଳିତ ବର୍ଷ ଫେବ୍ରୁଆରୀରେ ସେ ପାଟଳିପୁତ୍ର ବିଶ୍ୱବିଦ୍ୟାଳୟର ଏଏନ କଲେଜରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ । କିନ୍ତୁ ଯୋଗ ଦେବା ପରଦିନରୁ ସେ ଛୁଟି ନେଇ ଚାଲିଯାଇଥିଲେ । ଏହାକୁ ନେଇ ବିଶ୍ୱବିଦ୍ୟାଳୟର ବୈଠକ ବସିଥିଲା । ଏବାବଦରେ ଥିବା ନିୟମକୁ ନେଇ ରାଜଭବନକୁ କୂଳପତି ପରାମର୍ଶ ମାଗିଥିଲେ ।

ଅକ୍ଟୋବର ୩୧ ତାରିଖରେ ରାଜ୍ୟପାଳଙ୍କ ତତ୍କାଳୀନ ସଚିବ ଦୀପକ କୁମାର ସିଂ ଏହି ମାମଲାରେ ପ୍ରେସ୍ ରିଲିଜ୍ ଜାରି କରିଥିଲେ । ଅଶୋକ କଲେଜରେ ସ୍ଥାୟୀ ଅଧ୍ୟାପକ ନଥିଲେ ବୋଲି ସେ କହିଥିଲେ । ଏନେଇ ଆଇନ ମଧ୍ୟ ରହିଛି । ବିହାର ରାଜ୍ୟ ବିଶ୍ୱବିଦ୍ୟାଳୟର ଧାରା ୬୮(୨) ଆଧାରରେ ପ୍ରୋବେସନ ପିରିୟଡରେ ଥିବା କେହି ଅସ୍ଥାୟୀ କର୍ମଚାରୀ ବିଧାୟକ କିମ୍ବା ସାଂସଦ ନିର୍ବାଚିତ ହେଲେ ତାଙ୍କୁ ଛୁଟି ମିଳିଥାଏ । କିନ୍ତୁ ଏହି ନିୟମ ପୂର୍ବରୁ ଜନପ୍ରତିନିଧି ଥିବା କୌଣସି ବ୍ୟକ୍ତି ପରେ ବିଶ୍ୱବିଦ୍ଯାଳୟର ଶିକ୍ଷକତା କଲେ ଲାଗୁ ହେବ ନାହିଁ ।

Also Read :- ଦିଦି ଭାରି ଦୁଷ୍ଟ ! ସ୍କୁଲ ଛୁଟି ପରେ ଛାତ୍ରୀଙ୍କୁ ବାଥରୁମକୁ ଡାକୁଥିଲେ, ବସରେ ରଖୁଥିଲେ ପାପ ସମ୍ପର୍କ

ଅନ୍ୟ ଦିଗରେ ରାଜଭବନ ପକ୍ଷରୁ ଆହୁରି କୁହାଯାଇଛି, ଆସିଷ୍ଟାଣ୍ଟ୍ ପ୍ରେଫେସର ପଦବୀ ଏକ ଲାଭଜନକ ପଦ । ସେ ଦରମା ନନେଲେ ବି ଏହା ଅଫିସ୍ ଅଫ୍ ପ୍ରଫିଟରେ ଆସିବ । ଏବେ ଏହି ମାମଲାରେ ରାଜଭବନ ଆଡଭୋକେଟ୍ ଜେନେରାଲଙ୍କ ରାୟ ମାଗିଛନ୍ତି । ଏହାସହ ଅଶୋକଙ୍କ ସଦସ୍ୟତା ରହିବ ନା ନାହିଁ ତାହାର ନିଷ୍ପତ୍ତି ବିଧାନପରିଷଦର ସଭାପତି କରିବେ ବୋଲି ରାଜଭବନ ପକ୍ଷରୁ ଜାରି ରିଲିଜରେ କୁହାଯାଇଛି ।

ଏସବୁକୁ ନେଇ ଅଶୋକ ଚୌଧରୀ କହିଛନ୍ତି ଯେ, ସେ କିଛି ଭୁଲ କରି ନାହାଁନ୍ତି । ଅନେକ ଜନପ୍ରତିନିଧି ଶିକ୍ଷକତା କରୁଛନ୍ତି । ନିୟମ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଦରକାର ।