ନୂଆଦିଲ୍ଲୀ, ୧୬।୧୧ : ଛତିଶଗଡରେ ଇଡିର ବଡ଼ ଆକ୍ସନ୍ । ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ନେଇଛି । ଦୁର୍ଗ ଜିଲ୍ଲାରେ ଥିବା ବିଟ୍ଟଲ ଗ୍ରୀନ୍ସ ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଟରେ ଥିବା ୩୫୫ଟି ପ୍ଲଟକୁ ଇଡି ଆଟାଚ୍ କରିଛି । ଏହି ସମ୍ପତିର ମୂଲ୍ୟ ପ୍ରାୟ ୬୧ କୋଟି ଟଙ୍କା ହେବ । ଏହି ସବୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କର ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ, ଇଡି ଶନିବାର ଦିନ ପ୍ରାୟ ୩ଟାରେ ବିଟ୍ଟଲ ଗ୍ରୀନ୍ସରେ ରେଡ୍ କରିଥିଲା । କାର୍ଯ୍ୟାନୁଷ୍ଠାନ ପରେ କଲୋନୀର ମୁଖ୍ୟ ଗେଟରେ ନୋଟିସ ଲଗାଯାଇଛି । ଏହାସହ ଜବତ ହୋଇଥିବା ପ୍ଲଟର ତଥ୍ୟ ମଧ୍ୟ ଉଲ୍ଲେଖ ରହିଛି । ଇଡି ଅଧିକାରୀଙ୍କ କହିବାନୁସାରେ, ବିଟ୍ଟଲ ଗ୍ରୀନ୍ସର ପ୍ରାୟ ୩୮୫ଟି ପ୍ଲଟ୍ ରହିଛି । ଏହାମଧ୍ୟରୁ ୩୦ଟି ପୂର୍ବରୁ ବିକ୍ରି ସରିଛି । ତେଣୁ ସେମାନେ କାର୍ଯ୍ୟାନୁଷ୍ଠାନକୁ ପୃଥକ ରଖିଥିଲେ । ଅନ୍ୟ ୩୫୫ଟି ପ୍ଲଟକୁ ଜବତ କରାଯାଇଛି । ଏଥିରେ ଏକ ବ୍ୟବସାୟିକ ପ୍ଲଟ୍ ମଧ୍ୟ ରହିଛି । ଏସବୁରୁ ଦାମ୍ ୬୧ କୋଟି ଟଙ୍କା ହେବ ।

Also Read :- ରାତି ଅଧରେ ଘୋଡ଼ାହାଡ଼ ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲିଲା, ସାଇରନ୍ ବଜାଇ କରାଗଲା ଜଳ ନିଷ୍କାସନ

ତେବେ ଛତିଶଗଡରେ ହୋଇଥିବା ୨୮୮୩ କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ଏହି ଆକ୍ସନ୍ ନିଆଯାଇଛି । ମଦ ଦୁର୍ନୀତିର ଟଙ୍କା ଏହି ପ୍ଟ୍ କିଣା ଓ ଫ୍ଲାଟ୍ ତିଆରିରେ ବ୍ୟବହାର ହୋଇଥିବା ଇଡି ସନ୍ଦେହ କରୁଛି । ଏହାର ତଦନ୍ତ ଜାରି ରହିଛି । ଏହି ଦୁର୍ନୀତି ୨୦୧୯ରୁ ୨୦୨୩ ମଧ୍ୟରେ ହୋଇଥିଲା । ସେତେବେଳେ ରାଜ୍ୟରେ କଂଗ୍ରେସ ସରକାର ରହିଥିଲା ।

ଅନ୍ୟ ଦିଗରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, ଇଡି ପାଖରେ କୌଣସି କାମ ନାହିଁ । ଖବରରେ ରହିବା ପାଇଁ ସେମାନେ ଏପରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ପୂର୍ବରୁ କୋର୍ଟ ସମ୍ପତ୍ତି ସିଜ୍ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ସେ ଏହା ବିରୋଧରେ ଟ୍ରିବ୍ୟୁନାଲ୍ ଯାଇଛନ୍ତି । ଯାହାର ଆଗାମୀ ଦିନରେ ଶୁଣାଣି ହେବ । ଶୁଣାଣି ପୂର୍ବରୁ ଇଡି ତରବରିଆ ଭାବେ ଆକ୍ସନ୍ ନେଇଥିବା ଭୁପେଶ କହିଛନ୍ତି ।