ଚେନ୍ନାଇ: ସିନେମା ଜଗତର ସୁପରଷ୍ଟାର୍ ବିଜୟ ଥଲପତିଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜୟଙ୍କ କ୍ୟାରିୟରର ଶେଷ ଫିଲ୍ମ 'ଜନନାୟକ'ର ରିଲିଜକୁ ନେଇ ଲାଗି ରହିଥିବା ସସପେନ୍ସ ଏବେ ଶେଷ ହେବାକୁ ଯାଉଛି । ଏଚ୍.ବିନୋଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ପୂର୍ବରୁ ଜାନୁଆରୀରେ ପୋଙ୍ଗଲରେ ରିଲିଜ୍ ହେବାର ଥିଲା, କିନ୍ତୁ ସେନସର ବୋର୍ଡରୁ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଫିଲ୍ମକୁ 'ଏ' ସାର୍ଟିଫିକେଟ୍ ମିଳିସାରିଛି ଏବଂ ଏହା ଖୁବଶୀଘ୍ର ବଡ଼ ପରଦାକୁ ଆସିବାକୁ ପ୍ରସ୍ତୁତ ।

ଟିକେଟିଂ ପ୍ଲାଟଫର୍ମ ଏବଂ ବିଦେଶୀ ପ୍ରଶଂସକଙ୍କ ଅନୁସାରେ ଫିଲ୍ମର ରିଲିଜ୍ ତାରିଖ ଜୁଲାଇ ୨୪ ସ୍ଥିର କରାଯାଇଛି । ବ୍ରିଟେନ ସମେତ ଅନେକ ଦେଶରେ ଟିକେଟ୍ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି । ଦର୍ଶକଙ୍କ ଭରୁପୂର ସମର୍ଥନ ମିଳୁଛି । 'ଡିଷ୍ଟ୍ରିକ୍ଟ' ନାମକ ଟିକେଟିଂ ପ୍ଲାଟଫର୍ମ ମଧ୍ୟ ଜୁଲାଇ ୨୪ରେ ଫିଲ୍ମ ରିଲିଜ୍ ହେବା ନେଇ ସ୍ପଷ୍ଟ କରିଛି । ତେବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ଏହି ଫିଲ୍ମ ଦିନକ ପୂର୍ବରୁ ଅର୍ଥାତ୍ ଜୁଲାଇ ୨୩ରେ ରିଲିଜ୍ ହୋଇପାରେ ।

 

ତେବେ ପ୍ରଡକ୍ସନ ହାଉସ୍ ପକ୍ଷରୁ ଆନୁଷ୍ଠାନିକ ବୟାନକୁ ଅପେକ୍ଷା କରାଯାଇଛି । ଏହି ଫିଲ୍ମରେ ବିଜୟଙ୍କ ସହ ମମିତା ବୈଜୁ, ବବି ଦେଓଲ ଏବଂ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ଅନିଲ ରାଭିପୁଡିଙ୍କ ଫିଲ୍ମ 'ଭଗବନ୍ତ କେଶରୀ'ର ରିମେକ୍ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଏହି ଫିଲ୍ମଟି ଏପ୍ରିଲ ମାସରେ ଅନଲାଇନରେ ଲିକ୍ ହୋଇଯାଇଥିଲା, ଯାହା ପରେ ପୋଲିସ କିଛି ଲୋକଙ୍କୁ ଗିରଫ ମଧ୍ୟ କରିଥିଲା ।

ବିଜୟଙ୍କ ପୁଅ ଜେସନ ସଞ୍ଜୟଙ୍କ ଡେବ୍ୟୁ ଫିଲ୍ମ ସହ ଟକ୍କର

ଏବେ ସମସ୍ତଙ୍କ ନଜର ବିଜୟଙ୍କ ପୁଅ ଜେସନ ସଞ୍ଜୟଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ 'ସିଗ୍ମା' ଉପରେ ରହିଛି । ବର୍ତ୍ତମାନର ଯୋଜନା ଅନୁଯାୟୀ ଜେସନଙ୍କ ଫିଲ୍ମ ଜୁଲାଇ ୩୧ରେ ରିଲିଜ୍ ହେବାର ଅଛି । କିନ୍ତୁ ଚର୍ଚ୍ଚା ହେଉଛି ଯେ ବାପାଙ୍କ ଫିଲ୍ମ 'ଜନନାୟକ'କୁ ଦୃଷ୍ଟିରେ ରଖି ଏହାର ରିଲିଜ୍ ତାରିଖକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଘୁଞ୍ଚାଯାଇପାରେ । ଲାଇକା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସନ୍ଦୀପ କିଷନ ଏବଂ ଫାରିଆ ଅବଦୁଲ୍ଲା ମୁଖ୍ୟ ଭୂମିକାରେ ଅଛନ୍ତି । ଏ ସମ୍ପର୍କରେ ଫିଲ୍ମ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ ।