ଚଣ୍ଡିଖୋଲ: ନକଲି ଜର୍ଦ୍ଦା ଚାଲାଣ ସମୟରେ ବୈରୀ ପୋଲିସକୁ ମିଳିଛି ବଡ଼ ସଫଳତା । ଚଢ଼ାଉ ବେଳେ ପୋଲିସ ୫୦ କେଜି ନକଲି ଜର୍ଦ୍ଦା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବୈରୀ ଥାନା ଅଧୀନ ବିଦ୍ୟାଧରପୁର ଗାଁର ଆଲୋକ କୁମାର ନାୟକ ନାମକ ଜଣେ ଯୁବକ ଏକ ସ୍କୁଟି ଯୋଗେ ନକଲି ଜର୍ଦ୍ଦା ନେଇ ଛତିଆ ଆଡ଼କୁ ଯାଉଥିଲେ । ସନ୍ଦେହଜନକ ଅବସ୍ଥାରେ ପୋଲିସ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସ୍କୁଟିରୁ ୧୦୦ଟି ପ୍ୟାକେଟରେ ଥିବା ମୋଟ ୫୦ କେଜି ନକଲି ଜର୍ଦ୍ଦା ବାହାରିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଞ୍ଚଳରେ ଦୀର୍ଘଦିନ ହେବ ନକଲି ଜର୍ଦ୍ଦା ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି । ଏହି ଘଟଣା ପଛରେ ଅନ୍ୟ କାହାର ହାତ ଅଛି କି ନାହିଁ, ସେ ନେଇ ବରୀ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।