ନୂଆଦିଲ୍ଲୀ: ରୁଷରେ ସଂସଦୀୟ ନିର୍ବାଚନର ଶେଷ ଦିନରେ ମସ୍କୋରେ ବଡ଼ ଧରଣ ଡ୍ରୋନ ଆକ୍ରମଣ ହୋଇଛି । ୟୁକ୍ରେନ ପଟୁ ମସ୍କୋ ଉପରେ ହଜାରରୁ ଅଧିକ ଡ୍ରୋନ ମାଡ଼ କରାଯାଇଛି । ଏହି ଆକ୍ରମଣରେ ମସ୍କୋର ଏକ ତୈଳ ବିଶୋଧନାଗାରକୁ ବ୍ୟାପକ କ୍ଷତି ହୋଇଛି । ଆକ୍ରମଣ ପରେ ଏଠାରେ ନିଆଁ ଲାଗିଛି । ଏହି ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ଦୂର ପର୍ଯ୍ୟନ୍ତ ନିଆଁ ଏବଂ ଧୂଆଁ ଦେଖିବାକୁ ମିଳିଥିଲା । ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା ।

ମସ୍କୋର ମେୟର ସର୍ଗେଇ ସୋବ୍ୟାନିନ ରବିବାର ଟେଲିଗ୍ରାମରେ ସୂଚନା ଦେଇଛନ୍ତି ଯେ ଡ୍ରୋନଗୁଡ଼ିକ ମସ୍କୋର ଅଏଲ୍ ରିଫାଇନରୀକୁ ନିଶାନା କରିଥିଲେ । ସରକାରୀ ସମ୍ବାଦ ସଂସ୍ଥା 'ତାସ୍' ମଧ୍ୟ ମେୟରଙ୍କ ଆଧାରରେ ରିଫାଇନରୀ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ଦେଇଛି । ଏହି ଆକ୍ରମଣରେ ଦୁଇଜଣ ପ୍ରାଣ ହରାଇଥିବା ମଧ୍ୟ ଖବର ମିଳିଛି ।

ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବୟାନ

ଏହି ସମୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଗତ ରାତିରେ ମସ୍କୋ ଅଞ୍ଚଳରେ ୟୁକ୍ରେନର ଦୂରଗାମୀ କାର୍ଯ୍ୟାନୁଷ୍ଠାନର ବଡ଼ ପ୍ରଭାବ ରୁଷ ଉପରେ ପଡ଼ିଛି । ସେ ଦାବି କରିଛନ୍ତି ଯେ ରୁଷର ଏକ ଗୁରୁତ୍ୱପୂର୍ଣ୍ଣ ତେଲ ଶିଳ୍ପ କେନ୍ଦ୍ର ଏବଂ ଲଜିଷ୍ଟିକ୍ସ ସେଣ୍ଟରକୁ ଟାର୍ଗେଟ୍ କରାଯାଇଛି । ଜେଲେନସ୍କିଙ୍କ ଅନୁଯାୟୀ, ଏହି କେନ୍ଦ୍ରଗୁଡ଼ିକରୁ ରୁଷର ୱାର ମେସିନକୁ ବିଲିୟନ ଡଲାରର ସହାୟତା ମିଳିଥାଏ । ଜେଲେନସ୍କି ୟୁକ୍ରେନର ସୁରକ୍ଷା ସେବା, ମାନବରହିତ ସିଷ୍ଟମ ବାହିନୀ, ସ୍ୱତନ୍ତ୍ର ଅପରେସନ ବାହିନୀ, ପ୍ରତିରକ୍ଷା ଗୁପ୍ତଚର ଏବଂ ବୈଦେଶିକ ଗୁପ୍ତଚର ସେବାର ଯବାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରୁଷରେ ନିର୍ବାଚନ ମଧ୍ୟରେ ଆକ୍ରମଣ

ରୁଷରେ ସଂସଦୀୟ ନିର୍ବାଚନ ପାଇଁ ଭୋଟଗ୍ରହଣର ଶେଷ ଦିନରେ ଏହି ଆକ୍ରମଣ ହୋଇଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏହି ନିର୍ବାଚନକୁ ୟୁକ୍ରେନ୍ ଯୁଦ୍ଧ ପାଇଁ ଜନସାଧାରଣଙ୍କ ସମର୍ଥନର ପରୀକ୍ଷା ଭାବରେ ଦେଖାଇଛନ୍ତି । ରୁଷରେ 'ଷ୍ଟେଟ୍ ଡ୍ୟୁମା' ପାଇଁ ଗତ ତିନିଦିନ ହେବ ଭୋଟଗ୍ରହଣ ଚାଲିଛି ।