ମୁମ୍ବାଇ : ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ଲୋକପ୍ରିୟତା ଯେତିକି, ଟ୍ରୋଲିଂ ମଧ୍ୟ ସେତିକି। ଲୁକ୍ ଠାରୁ ଆରମ୍ଭ କରି ଫ୍ୟାଶନ୍, ପୋଷାକ ଓ ବ୍ୟକ୍ତିଗତ ଜୀବନ ପ୍ରାୟ ପ୍ରତ୍ୟେକ କଥାକୁ ନେଇ ସେଲିବ୍ରିଟିଙ୍କୁ ଟ୍ରୋଲରଙ୍କ ଟାର୍ଗେଟ୍ ହେବାକୁ ପଡ଼ିଥାଏ । ତେବେ ଏହି ଟ୍ରୋଲିଂକୁ ନେଇ ଏବେ ମୁହଁ ଖୋଲିଛନ୍ତି ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଅଭିନେତ୍ରୀଙ୍କ ବୟାନ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ତାଙ୍କ କହିବା କଥା, ଯେ ଲୋକେ ତାଙ୍କୁ ପ୍ରଶଂସା କରନ୍ତୁ କି ଟ୍ରୋଲ୍, ଏବେ ଏସବୁର କୌଣସି ପ୍ରଭାବ ତାଙ୍କ ଉପରେ ପଡୁନାହିଁ । ନିକଟରେ ହିନ୍ଦୀ ଭାଷାକୁ ନେଇ ଅଭିନେତ୍ରୀ ଜଣକ ଟ୍ରୋଲର ଶିକାର ହୋଇଛନ୍ତି । ଯାହାକୁ ନେଇ ସେ ଏବେ ସିଧାସଳଖ ପ୍ରତିକ୍ରିୟା ଦେଇଛନ୍ତି ।  

ଭିନ୍ନ ଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ମଧ୍ଯ ଭାଷାକୁ ନେଇ ଟ୍ରୋଲିଂର ସମ୍ମୁଖୀନ ହେଉଛନ୍ତି ରଶ୍ମିକା ମନ୍ଦାନା। ଆଉ ଏଥିରେ ବିରକ୍ତି ହୋଇ ସେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, କୌଣସି ଗୋଟିଏ ଭାଷାରେ ପାରଙ୍ଗମ ହେବା ଜରୁରି ନୁହେଁ । ଭିନ୍ନ ଭିନ୍ନ ଭାଷା ଓ ଚରିତ୍ର ହିସାବରେ ସେ ନିରନ୍ତର ଅଭିନୟ ଯାତ୍ରା ଜାରି ରଖିଛନ୍ତି। ସବୁ ଭାଷାକୁ ସେ ନିଜର ମାନନ୍ତି। ହିନ୍ଦୀକୁ ନେଇ ମଧ୍ୟ ତାଙ୍କ ଧାରଣା ସମାନ। ଏହିଭଳି ଭାବେ ତାଙ୍କ କ୍ୟାରିଅର ଭିନ୍ନ ଭିନ୍ନ ଭାଷାରେ ଆଗକୁ ବଢ଼ିଛି। ଉଚ୍ଚାରଣକୁ ନେଇ ଯେତେବେଳେ ତାଙ୍କ ପ୍ରତିକ୍ରିୟା ବିଷୟରେ ପଚରାଗଲା, ସେ କହିଲେ, ବିଭିନ୍ନ ଭାବରେ ତାଙ୍କ କହିବା ନେଇ ଲୋକଙ୍କ ରାୟ ଶୁଣିବାରେ ସେ ଅଭ୍ୟସ୍ତ ହୋଇଗଲେଣି। ଏ ସବୁ ଚର୍ଚ୍ଚାରେ ସେ ଧ୍ୟାନ ଦିଅନ୍ତି ନାହିଁ, ବରଂ ନିଜ ଚରିତ୍ରକୁ ପୂର୍ଣ୍ଣ କ୍ଷମତାର ସହ ପରଦାରେ ଦେଖାଇବା ଉପରେ ଫୋକସ୍ କରନ୍ତି।

ତାଙ୍କ ଅନୁସାରେ, ଜଣେ ଅଭିନେତ୍ରୀ ରୂପେ ତାଙ୍କ କାମ ଦର୍ଶକଙ୍କୁ ମନୋରଞ୍ଜନ ପାଇଁ ଭଲ କାହାଣୀ ଦେବା । ଅନ୍ୟ କାହା କାମରେ ସେ କେବେ ଦଖଲ ଦିଅନ୍ତି ନାହିଁ, କେବଳ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଉପରେ ଧ୍ୟାନ ଦିଅନ୍ତି । ନିକଟରେ ବଲିଉଡ଼ ଫିଲ୍ମ ‘କକ୍ଟେଲ୍-୨’ରେ ପରଦାକୁ ଆସିଥିଲେ ରଶ୍ମିକା। ଖୁବଶୀଘ୍ର ରଶ୍ମିକା ସ୍ୱାମୀ ବିଜୟ ଦେବରକୋଣ୍ଡାଙ୍କ ସହ ଫିଲ୍ମ ‘ରଣବାଲୀ’ରେ ପୁଣି ନଜର ଆସିବେ। ଆସନ୍ତା ଅକ୍ଟୋବର ୧୬ରେ ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ଏଥିସହ ତାଙ୍କ ତାଲିକାରେ ‘ମାଇସା’ ଓ ' ଏମ.ଏସ ସୁବ୍ବୁଲକ୍ଷ୍ମୀଙ୍କ ବାୟୋପିକ୍ ଭଳି ଅନେକ ଫିଲ୍ମ ମଧ୍ୟ ରହିଛି। ଯାହା ଉପରେ ସେ ଏବେ କାମ କରୁଥିବା ଜଣାପଡ଼ିଛି