ନୂଆଦିଲ୍ଲୀ: ପଶ୍ଚିମ ଏସିୟା ରଣନୈତିକ ମଞ୍ଚରେ ଖେଳାଳି ହେବାକୁ ପାକିସ୍ତାନର ଉଦ୍ୟମ ଏବେ ତା ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ସାଉଦୀ ଆରବ ଓ ତୁର୍କିୟେ ସହିତ ‘ମକ୍କା’ ବୁଝାମଣା ସ୍ୱାକ୍ଷର କରିବା ପରେ ଇସ୍ଲାମାବଦର ସମସ୍ୟା ବଢି ଯାଇଛି। ସାଉଦୀ ଆରବ ଉପରେ ଆକ୍ରମଣ କରୁଥିବା ହୁତି ଏବେ ସିଧା ପାକିସ୍ତାନକୁ ଧମକ ଦେଉଛନ୍ତି। ହୁତିମାନେ ଏବେ ଲୋହିତ ସାଗରର ୟନବୁ ପୋର୍ଟକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ ତାଇଫା, ବ୍ୟାସ ଓ ଫରସାନରେ ତୈଳ କମ୍ପାନୀ ଆରାମକୋର ପ୍ଲାଣ୍ଟକୁ ଚାର୍ଗେଟ୍ କରିଛନ୍ତି। ଏହି ପୁରା ଘଟଣାକ୍ରମରେ ‘ମକ୍କା’ ବୁଝାମଣା ଏକ ଫାଙ୍କା ବୁଝାମଣା ପ୍ରମାଣିତ ହୋଇଛି।

ସାଉଦୀ ଆରବରେ ପାକିସ୍ତାନୀ ଓ ତୁର୍କି ସୈନିକ ସମ୍ଭାବିତ ମୁତୟନକୁ ନେଇ ହୁତି ଏବେ କ୍ଷୁବ୍ଧ। ଏଣୁ ସେମାନେ ସାଉଦୀ ଆରବ ସହିତ ତୁର୍କି ଓ ପାକିସ୍ତାନ ଉପରେ ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେଉଛନ୍ତି। ହୁତି ନେତା ଅଲ ବୁଖୈତୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ପାକିସ୍ତାନ ଓ ତୁର୍କି ସାମ୍ନାକୁ ଆସନ୍ତି ତେବେ ସେମାନଙ୍କ ଉପରେ ସିଧା ଆକ୍ରମଣ କରାଯିବ। ଗତ ଅଗଷ୍ଟ ୭ ତାରିଖରେ ସାଉଦୀଆରବ, ତୁର୍କି ଓ ପାକିସ୍ତାନ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କିତ ‘ମକ୍କା’ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣା ଅନୁସାରେ ସ୍ୱାକ୍ଷରକାରୀ ୩ ଦେଶଙ୍କ ମଧ୍ୟରୁ କୌଣସି ଦେଶ ଉପରେ ଆକ୍ରମଣକୁ ୩ ଦେଶଙ୍କ ଉପରେ ଆକ୍ରମଣ ବୁଝାଯିବ ବୋଲି କୁହାଯାଇଥିଲା।

ଏହି ବୁଝାମଣାକୁ ତୁର୍କିଏ ‘ଇସ୍ଲାମିକ ନାଟୋ’ କହିବାକୁ ପଛେଇ ନଥିଲା। ହେଲେ ଏବେ ଏହି ସାମରିକ ମେଣ୍ଟ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହେଉଛି। ସାଉଦୀ ଆରବ ପରେ ହୋଇଥିବା ହୁତି ଆକ୍ରମଣରେ ପାକିସ୍ତାନ ଚୁପ ରହିବା ଏବେ ସାରା ଦୁନିଆରେ ଦେଶକୁ ଅପଦସ୍ଥ କରୁଛି, ଅନ୍ୟପଟେ ୟେମେନର ହୁତି ବିଦ୍ରୋହୀମାନେ ସିଧା ପାକିସ୍ତାନକୁ ଆକ୍ରମଣ ଧମକ ଦେଉଛନ୍ତି। ଏହା ପୂର୍ବରୁ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧବିରାମ ଶ୍ରେୟ ନେବାକୁ ପାକିସ୍ତାନ ଭରପୁର ଉଦ୍ୟମ କରିଥିଲା। ହେଲେ ଏହି ମଧ୍ୟସ୍ଥତା ସମ୍ପୂର୍ଣ୍ଣ ବିଫଳ ହୋଇଛି।

ତେବେ ଶାନ୍ତିଦୂତ ଛବି ତିଆରିରେ ବିଫଳ ହେବା ପରେ ପାକିସ୍ତାନ ମକ୍କା ବୁଝାମଣା ମାଧ୍ୟମରେ ନିଜର ବିଦେଶ ନୀତିକୁ ଚମକାଇବାକୁ ଚେଷ୍ଟା କରିଥିଲା, ତାହା ମଧ୍ୟ ଏବେ ବିଫଳ ହୋଇଥିବା ଦେଖା ଯାଉଛି। ଏହା ଏକ ବିଫଳ ମେଣ୍ଟ ତାହା ଶନିବାର ସାଉଦୀଆରବ ରାଜଧାନୀ ରିୟାଦ ଉପରେ ହୁତୀଙ୍କ ବାଲିଷ୍ଟିକ ମିଜାଇଲ ଆକ୍ରମଣରୁ ସ୍ପଷ୍ଟ ହୋଇଯାଇଛି। ତେବେ ସାଉଦୀ ମେଣ୍ଟ ମିଜାଇଲକୁ ଇଣ୍ଟରସେପ୍ଟ କରିଥିବାର ଦାବି କରୁଛନ୍ତି। ହେଲେ ରିୟାଦର ବାସିନ୍ଦା ଭୀଷଣ ବିସ୍ଫୋରଣ ଶବ୍ଦ ଶୁଣିବା ସହିତ ଓ ଏୟାରପୋର୍ଟ ନିକଟରେ ଧୂମକୁଣ୍ଡଳି ଦେଖିଛନ୍ତି।