ମୁମ୍ଵାଇ ୨୦।୦୯; ବଲିଉଡର ଲୋକପ୍ରିୟ ଯୋଡ଼ି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଚଳିତ ବର୍ଷ ମୁମ୍ବାଇର ପାଲି ହିଲ୍ରେ ଥିବା ସେମାନଙ୍କ ନୂତନ ବଙ୍ଗଳା 'କୃଷ୍ଣ ରାଜ'ରେ ଗଣେଶ ଚତୁର୍ଥୀ ପାଳନ କରିଛନ୍ତି।

ଖବର ଅନୁଯାୟୀ, ଏହି ଆଲିଶାନ ବଙ୍ଗଳାର ମୂଲ୍ୟ ପ୍ରାୟ ୨୫୦ କୋଟି ଟଙ୍କାର ବୋଲି ଜଣାପଡିଛି। କପୁର ପରିବାର ପାଇଁ ଚଳିତ ବର୍ଷର ଗଣେଶ ଚତୁର୍ଥୀ ବିଶେଷ ଥିଲା, କାରଣ ଏହା ସେମାନଙ୍କ ନୂଆ 'କୃଷ୍ଣ ରାଜ' ଘରେ ହୋଇଥିବା ପ୍ରଥମ ପର୍ବ ଥିଲା।

ସେପ୍ଟେମ୍ବର ୧୯ ତାରିଖରେ, ଅର୍ଥାତ୍ ବିସର୍ଜନ ଦିନ, ଆଲିଆ ଏବଂ ରଣବୀର ନିଜ ଝିଅ ରାହା ଏବଂ ନିତୁ କପୁରଙ୍କ ସହ ମିଶି ଭଗବାନ ଗଣେଶଙ୍କ ପୂଜା କରିଥିଲେ। ସେମାନେ ପୂଜାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ।

ଭଗବାନ ଗଣେଶଙ୍କ ପୂଜା ସମୟରେ ଆଲିଆ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋଗୁଡ଼ିକ ସେମାନଙ୍କ ଘରର ଭିତର ସାଜସଜ୍ଜା ବା ଇଣ୍ଟରିଅରର ଏକ ଝଲକ ଦେଖାଇଥିଲା।

ଏହି ଫଟୋଗୁଡ଼ିକରୁ ଜଣାପଡ଼େ ଯେ ଗଣପତି ମଣ୍ଡପର ସାଜସଜ୍ଜା ପାରମ୍ପାରିକ ଏବଂ ଭବ୍ୟ ଥିଲା। ରଣବୀର ଏକ କମଳା ରଙ୍ଗର କୁର୍ତ୍ତା ଏବଂ ଧଳା ପାଇଜାମା ପିନ୍ଧିଥିବା ବେଳେ ଆଲିଆ ହଳଦିଆ ରଙ୍ଗର ପୋଷାକରେ ନଜର ଆସିଥିଲେ।

ଆଲିଆ ଏବଂ ରଣବୀର ନିଜ ଘରେ ବାପ୍ପାଙ୍କର ଏକ ଭବ୍ୟ କଳା ରଙ୍ଗର ମୂର୍ତ୍ତି ସ୍ଥାପନ କରିଛନ୍ତି। ଯାହା ତୁରନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

କପୁର ପରିବାରର ରାଜକୀୟ ଶୈଳୀ ଘରର ପ୍ରତ୍ୟେକ କୋଣରେ ଦେଖିବାକୁ ମିଳୁଛି ଏବଂ ଆଲିଆଙ୍କ ବାଲକୋନିରୁ ମୁମ୍ବାଇ ସହରର ଏକ ଚତ୍ମକାର ଦୃଶ୍ୟ ନଜର ଆସୁଛି।

ଲୋକମାନେ ଯେତେବେଳେ ଆଲିଆ ଏବଂ ରଣବୀରଙ୍କ ଘରର ସୌନ୍ଦର୍ଯ୍ୟ ଦେଖି ପ୍ରଶଂସା କରୁଥିଲେ, ସେତେବେଳେ ସେମାନଙ୍କ ନଜର ଅଭିନେତ୍ରୀଙ୍କ ପୂଜା କରିବାର ତରିକା ଉପରେ ପଡ଼ିଥିଲା। କାହିଁକି ନା ଗୋଟିଏ ଫଟୋରେ ଆଲିଆ ନିଜ ହାତର ମଝି ଆଙ୍ଗୁଠି ବ୍ୟବହାର କରି ବାପ୍ପାଙ୍କୁ ତିଳକ ଲଗାଉଥିବାର ନଜର ଆସିଛନ୍ତି।

ମଝି ଆଙ୍ଗୁଠି ସାହାଯ୍ୟରେ ତିଳକ ଲଗାଇବା କାରଣରୁ ଆଲିଆଙ୍କୁ ଟ୍ରୋଲ୍ର ଶିକାର ହେବାକୁ ପଡ଼ୁଛି। ପ୍ରଶଂସକମାନେ ତାଙ୍କ ପୂଜା କରିବାର ପଦ୍ଧତି ଏବଂ ତାଙ୍କ ଲାଳନପାଳନ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହା ପୂର୍ବରୁ, ନିଜ ଖାଦ୍ୟାଭ୍ୟାସ କାରଣରୁ ବାପ୍ପାଙ୍କୁ ଅର୍ପଣ କରାଯାଇଥିବା ଭୋଗ ଗ୍ରହଣ ନ କରିବା ଯୋଗୁଁ ରଣବୀର ମଧ୍ୟ ଟ୍ରୋଲ୍ର ଶିକାର ହୋଇଥିଲେ।