ତିରୁଅନନ୍ତପୁରମ: କଂଗ୍ରେସ ସାଂସଦ ଶଶି ଥରୁର ତାଙ୍କ କଠିନ ଇଂରାଜୀ ଶବ୍ଦ ଲାଗି ବେଶ୍ ପରିଚିତ। ସେ ପ୍ରାୟତଃ ଅଳ୍ପ ଉପଯୋଗ ହେଉଥିବା ଓ କଠିନ ଉଚ୍ଚାରଣର ଇଂରାଜୀ ଶବ୍ଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସେୟାର କରିଥାନ୍ତି। ଥରୁର ରବିବାର ଠିକ୍ ଏହିପରି ଏକ ଶବ୍ଦ ‘କ୍ୱକରଓଡ୍ଜର’ (Quockerwodger) ଏକ୍ସ ରେ ସେୟାର କରିଛନ୍ତି। ସେ ଏହାକୁ ଆମ ସମୟର ଶବ୍ଦ ବୋଲି କହିଛନ୍ତି। ତିରୁଅନନ୍ତପୁରମ ସାଂସଦ ଥରୁର ‘କ୍ୱକରଓଡ୍ଜର’ ଶବ୍ଦର ଅର୍ଥ ମଧ୍ୟ ସେୟାର କରିଛନ୍ତି। ଏହା ମାଧ୍ୟମରେ ଥରୁର ସରକାରଙ୍କୁ କଟାକ୍ଷ କରିଛନ୍ତି।

ଥରୁର ଏକ୍ସ ରେ ଏହାର ପରିଭାଷାର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ ‘କ୍ୱକରଓଡ୍ଜର’ ଏକ ରାଜନୈତିକ କାଠପୁତୁଳି, ଏପରି ବ୍ୟକ୍ତି ଯାହାଙ୍କୁ କେହି ଅନ୍ୟ ଜଣେ ନିୟନ୍ତ୍ରଣ କରୁଥାନ୍ତି ଓ ସେ ତାଙ୍କ ନିର୍ଦ୍ଦେଶାନୁସାରେ କାମ କରନ୍ତି। ସେ ଏହାକୁ ଆମ ସମୟର ଶବ୍ଦ ବୋଲି କହିଛନ୍ତି, ଓ ଲେଖିଛନ୍ତି ମୁଁ ଭାବୁଛି ଶାସକ ଦଳ ଗତ ଏକ ଦଶନ୍ଧୀରେ ଏପରି କିଛି ଲୋକଙ୍କୁ ଜନ୍ମ ଦେଇଛନ୍ତି। ତେବେ ଥରୁର ଏପରି ଶବ୍ଦ ସେୟାର କରିବା ପ୍ରଥମ ଥର ନୁହେଁ,ଏପ୍ରିଲ ୨୦୨୨ରେ ସେ ଏହାର ଅର୍ଥ ସେୟାର କରିଥିଲେ ଓ ଏହାକୁ ଆମ ରାଜନୈତିକ ଶବ୍ଦାବଳିରେ ଏପରି ଏକ ଶବ୍ଦ ମିଶିଲା ବୋଲି କହିଥିଲେ।

ଲେଖକ ତଥା ଶବ୍ଦର ଜାଦୁକର ଥରୁର ପ୍ରାୟତଃ ସୋସିଆଲ ମିଡିଆରେ ୟୁଜରଙ୍କୁ ଶବ୍ଦକୋଷ ଖୋଜିବାକୁ ବାଧ୍ୟ କରିଦେଇଥାନ୍ତି। ଥରୁର କମ ଉପଯୋଗରେ ଆସୁଥିବା ଶବ୍ଦ ଯେପରି ‘ଏଲୋଡୋକ୍ସାଫୋବିୟା’ (allodoxaphobia) ମାଧ୍ୟମରେ ଥରେ ବିଜେପି ସରକାରଙ୍କୁ କଟାକ୍ଷ କରିଥିଲେ। ସେତେବେଳେ ସେ ଏହାର ଅର୍ଥ (ଅନ୍ୟମାନଙ୍କ) ରାୟ ଅଥବା ବିଚାରର ତର୍କହୀନ ଡର ବୋଲି କହିଥିଲେ। ଏହା ପୂର୍ବରୁ ମଧ୍ୟ ସେ ‘ଫରାଗୋ’ (Farrago) ଓ ଟ୍ରାଗ୍ଲୋଡାଇଟ୍ (Troglodyte) ଭଳି ଶବ୍ଦରେ ସେ ଲୋକଙ୍କୁ ଚମତ୍କୃତ କରିଛନ୍ତି।

ଫରାଗୋର ଅର୍ଥ ବିଶୃଙ୍ଖଳା ( ଗଡବଡ଼ଝାଲା) ଓ ଦ୍ୱିତୀୟ ଶବ୍ଦଟିକୁ ଏପରି ବ୍ୟକ୍ତି ପାଇଁ ଉପଯୋଗ କରିଥିଲେ ଯାହାକୁ ଜାଣିଶୁଣି ଅଜ୍ଞାନୀ ଅଥବା ପୂରୁଣା ବିଚାରଧାରାର ବୋଲି କୁହାଯାଏ ।