ନୂଆଦିଲ୍ଲୀ: ଉତ୍ତରକୋରିଆ ରବିବାର ଗୋଟାଏ ପରେ ଗୋଟାଏ ଦୁଇଟି ମିଜାଇଲ ଲଞ୍ଚ କରି କୋରି ଉପଦ୍ୱୀପରେ ପୁଣି ଉତ୍ତେଜନା ସୃଷ୍ଟି କରିଛି। ପ୍ରଥମ ମିଜାଇଲକୁ ପୂର୍ବଉପକୂଳର ୱାନସାନରୁ ଅପରାହ୍ନ ପ୍ରାୟ ୩ଟା ବେଳେ ନିକ୍ଷେପ କରାଯାଇଥିଲା। ଏହା ପ୍ରାୟ ୪୫୦ କିଲୋମିଟର ପର୍ଯ୍ୟନ୍ତ ଯିବା ପରେ ପୂର୍ବ ସାଗରରେ ପଡିଥିଲା। ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଏହା ଏକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ ଥିଲା, ଯାହା ହ୍ୱାସଙ୍ଗ-୧୧ ଶୃଙ୍ଖଳାର ହୋଇପାରେ। ଜାପାନ ମଧ୍ୟ ଏହାକୁ ବାଲିଷ୍ଟିକ୍ ମିଜାଇଲ କହିଛି ଓ ଏହା ତାର ଏସଇଜେଡ୍ ବାହାରେ ପଡିଛି।

ଏହି ପ୍ରଥମ ମିଜାଇଲ ର ପାଖାପାଖି ୩ ଘଣ୍ଟା ପରେ ପ୍ୟାଙ୍ଗୟାଙ୍ଗ ଆଉ ଏକ ପ୍ରୋଜେକ୍ଟାଇଲ ଛାଡିଥିଲା। ଏହି ମିଜାଇଲ କେଉଁ ଶ୍ରଣୀର ତାହା ପ୍ରାରମ୍ଭିକ ସୂଚନାରୁ ଜଣାପଡି ନାହିଁ। ଏହା କେତେଦୂର କୁ ଯାଇଛି ତାର ମଧ୍ୟ ସଠିକ ସୂଚନା ମିଳିନି। ଦକ୍ଷିଣ କୋରିଆ ଓ ଆମେରିକା ଉଭୟ ଏହି ମିଜାଇଲ ଲଞ୍ଚର ମନିଟରିଂ କରିଛନ୍ତି। ଏ ବାବଦେ ଜାପାନକୁ ସୂଚନା ଦେଇଛନ୍ତି। ଏହି ମିଜାଇଲ ପରୀକ୍ଷଣ ଏପରି ସମୟରେ ହୋଇଛି ଯେତେବେଳେ କ୍ଷେତ୍ରରେ ଉତ୍ତେଜନା ଲାଗି ରହିଛି।

କିଛି ଦିନ ପୂର୍ବେ ଆମେରିକା କ୍ଷତ୍ରରେ ଦକ୍ଷିଣ କୋରିଆ ଓ ଜାପାନ ସହ ମିଳିତ ସମରାଭ୍ୟାସ କରିଥିଲା। ଏପରି ସମରାଭ୍ୟାସକୁ ଉତ୍ତରକୋରିଆ ନିଜ ଲାଗି ବିପଦ ମନେ କରୁଛି। ଏହି କାରଣରୁ ଶୁକ୍ରବାର କିମଜୋଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ ମଧ୍ୟ ସମରାଭ୍ୟାସକୁ କଟୁ ସମାଲୋଚନା କରିଥିଲେ। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଉତ୍ତରକୋରିଆ ତାର ପରମାଣୁ ନୀତିରେ କୌଣସି ପରିବର୍ତ୍ତନ କରିବ ନାହିଁ। ସେପଟେ ଉତ୍ତର କୋରିଆଲ ମିଜାଇଲ ପରୀକ୍ଷଣ ଯୋଗୁ ଦକ୍ଷିଣ କୋରିଆରେ ଉତ୍ତେଜନା ଦେଖା ଦେଇଛି।

ଦକ୍ଷିଣ କୋରିଆ ସୁରକ୍ଷା ପରିଷଦ ଏହି ମିଜାଇଲ ପରୀକ୍ଷଣକୁ ୟୁଏନ ନିୟମର ସିଧା ଉଲ୍ଲଂଘନ ବୋଲି କହିଛି। ଜାପାନ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଉତ୍ତରକୋରିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ପ୍ୟୋଙ୍ଗୟାଙ୍ଗର ଏପରି ଆଚରଣ କେବଳ ଜାପାନ ନୁହେଁ ପୁରା କ୍ଷେତ୍ରରେ ବିଶ୍ୱ ଶାନ୍ତି ଲାଗି ବିପଦଜନକ। ଟୋକିଓ ତାର ଏହି ଚିନ୍ତାକୁ ବେଜିଂ ରାସ୍ତାରେ ମଧ୍ୟ ବିରୋଧ କରିଛି।