ମୁମ୍ବାଇ: ମୁମ୍ବାଇରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଇଣ୍ଡିଗୋ ଏୟାରଲାଇନ୍ସର ୩୪ ବର୍ଷୀୟା କ୍ୟାବିନ୍ କ୍ରୁ କୈନୁର ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ଘଟିଥିବା ଏହି ଦୁର୍ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା, ମାତ୍ର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ କୈନୁର ଜଣେ ସିଙ୍ଗଲ୍ ମଦର ଥିଲେ ଏବଂ ତାଙ୍କର ଏକ ୫ ବର୍ଷର ଶିଶୁ ଅଛି।

କୈନୁର ନିଜ ଘରୁ ବିମାନବନ୍ଦରକୁ କାର୍ଯ୍ୟରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିପରୀତ (ଭୁଲ୍) ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ତାଙ୍କ କରକୁ ସିଧାସଳଖ ଧକ୍କା ଦେଇଥିଲା। ସେ କାରର ଡ୍ରାଇଭରଙ୍କ ବାମ ପାର୍ଶ୍ବରେ ବସିଥିଲେ, ଯେଉଁଥିପାଇଁ ଧକ୍କାର ପ୍ରଭାବ ତାଙ୍କ ଉପରେ ସବୁଠାରୁ ଅଧିକ ପଡ଼ିଥିଲା।

ଏହି ଘଟଣା ପରେ ସମସ୍ତ କ୍ୟାବ୍ ଭେଣ୍ଡରମାନଙ୍କୁ କଡ଼ା ଚେତାବନୀ ପତ୍ର ଜାରି କରାଯାଇଛି ଏବଂ ଗାଡ଼ି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦିଓ ଏପର୍ଯ୍ୟନ୍ତ ଇଣ୍ଡିଗୋ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ, ମାତ୍ର ଦୁର୍ଘଟଣା ସମୟରୁ ଏୟାରଲାଇନ୍ସର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାର ସହ ଉପସ୍ଥିତ ରହି ସହାୟତା ଯୋଗାଇ ଦେଇଛନ୍ତି।

କୈନୁରଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆ 'X' ରେ ଲୋକମାନେ ଗଭୀର ଶୋକ ପ୍ରକାଶ କରିବା ସହ ବେପରୁଆ ଡ୍ରାଇଭିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।କେତେକ ବ୍ୟକ୍ତି ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ଏୟାରଲାଇନ୍ସଗୁଡ଼ିକ ନିଜସ୍ୱ କ୍ରୁ-କ୍ୟାବ୍ ସେବା ଚଲାଉଥିଲେ, ଯାହା ସୁରକ୍ଷା ଦୃଷ୍ଟିକୋଣରୁ ଅଧିକ ନିର୍ଭରଯୋଗ୍ୟ ଥିଲା।

କେତେକ ବ୍ୟକ୍ତି ଭାରତରେ ସଡ଼କ ଦୁର୍ଘଟଣା ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଦେଶ ଭଳି ଭାରତରେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଓ ଡ୍ରାଇଭର ତାଲିମ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରିବାକୁ ଦାବି କରାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସର ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରହିଛି ।