ଜଗତସିଂହପୁର ୩।୯: ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଡ ଡ୍ରଗ୍ କଣ୍ଟ୍ରୋଲର ଭିଜିଲାନ୍ସ ହାତରେ ଗିରଫ । ଆସିଷ୍ଟାଣ୍ଡ ଡ୍ରଗ୍ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦା ଗିରଫ । ଜଇପୁର ଛକରୁ ଜନୈକ ବ୍ୟବସାୟୀଙ୍କ ଠାରୁ ମେଡିସିନ ହୋଲସେଲିଂ ଲାଇସେନ୍ସ କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । କଟକ ଓ ଜଗତସିଂହପୁର ଭିଜିଲାନ୍ସ ଟିମ୍ ମିଳିତ ଚଢ଼ାଉ କରି ସଂଜୟଙ୍କୁ ରେଡ୍ ହ୍ୟାଣ୍ଡରେ ମାଡି ବସିଥିଲା ।

ସଞ୍ଜୟ ହଂସଦା ବର୍ତ୍ତମାନ ଯାଜପୁର ଜିଲ୍ଲାର ଆସିଷ୍ଟାଣ୍ଡ ଡ୍ରଗ୍ କଣ୍ଟ୍ରୋଲର ଭାବେ କାର୍ଯ୍ୟରତ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଭିଜିଲାନ୍ସ ବିଭାଗ ସଞ୍ଜୟଙ୍କୁ ଗିରଫ କରି ତାଙ୍କ ଅଫିସରେ ରହିଥିବା କାଗଜପତ୍ର ଯାଞ୍ଚ କରିଛି । ଅଧିକ ତଦନ୍ତ ପରେ ତାଙ୍କର ଆୟ ବହିର୍ଭୂତ ସମ୍ପତି ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Also Read:- 

ଏହି ବ୍ୟବସାୟୀଙ୍କ ଠାରୁ ପୂର୍ବରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାପରେ ଆଉ ୬ ହଜାର ଟଙ୍କା ଦାବି କରିବାରୁ ସମ୍ପୃକ୍ତ ବ୍ୟବସାୟୀ ଶେଷରେ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଏହି ଲାଞ୍ଚ ନେବା ଘଟଣାରେ ସହଯୋଗ କରିଥିବା ଅନ୍ୟ ଜଣେ କିରାଣୀଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍ ଗିରଫ କରିଥିବା ସହିତ ତାଙ୍କୁ ତଦନ୍ତ ପରିସରକୁ ଆଣିଛି ।