ପୁରୀ : ହୋଇଥିଲେ ଧନ୍ୟ, ଏବେ ଶ୍ରୀହିନ...ସଶରୀରେ ଛିଡ଼ା କିନ୍ତୁ ଲାଗୁଛି ଜୀବନ ହାନୀ...ବଡ଼ଦାଣ୍ଡେ ଥାଇ ବି ଚତୁଃପାର୍ଶ୍ୱ ନିଶବ୍ଦ... ସରିଛି ମହାପ୍ରଭୁଙ୍କ ଘୋଷଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀକୁ ବାହୁଡ଼ିଛନ୍ତି ମହାବାହୁ। ଶ୍ରୀମନ୍ଦିରରେ ପୁଣି କୋଳାହଳ। ଅବଢ଼ା ପାଇଁ ଆନନ୍ଦ ବଜାରରେ ଭିଡ଼। କନ୍ତୁ ସିଂହଦ୍ୱାରରେ ମନମାରି ଦଣ୍ଡାୟମାନ ତିନି ରଥ। କାହିଁକିନା , ମହାପ୍ରଭୁ ଓହ୍ଲାଇଗଲା ପରେ ସେମାନେ ଶ୍ରୀହିନ।

ହେ ମହାପ୍ରଭୁ, ଆଜି ଆମେ ଶ୍ରୀହିନ ପାଲଟି ଯାଇଛୁ। ଆଉ ଆମ ଭିତରେ ତୁମେ ନାହଁ। ଭାରି ଏକା ଏକା ଲାଗୁଛି। ତୁମକୁ ନବଦିନାତ୍ମକ ଯାତ୍ରାରେ ନେଇଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଛୁଆମରି ଉପରେ ହେଲା ଆପଣଙ୍କ କେତେ ନୀତିକାନ୍ତି, ପୂଜା ପାଠ। ସ୍ନାନ ପୂର୍ଣ୍ଣିମାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ। ସବୁ ସଂପର୍ଣ୍ଣ ହୋଇଛି । ତମପାଇଁ ଧନ୍ୟ ହୋଇଛୁ ଆମେ। ସାଧାରଣ କାଠରୁ ମହାପ୍ରଭୁଙ୍କ ବାହକ। ମହାପ୍ରଭୁଙ୍କ ମହାଯାନ। ଆପଣଙ୍କୁ କୋଳରେ ଧରିବାର, ହୃଦୟରେ ପାଇବାର ସେ ମହାଭାଗ୍ୟ। ଲକ୍ଷ ଲକ୍ଷ ବର୍ଷ ତପସ୍ୟା କରିବି ଯାହା ପାଆନ୍ତିନି ମୁନିଋଷି। ଦେବତା ବି ଝୁରି ହୁଅନ୍ତି ଯାହାକୁ। ତାକୁ ପାଇଛୁ ଆମେ, ସେ ମହାଭାଗ୍ୟ ଦେଇ ଧନ୍ୟ କରିଦେଇଛ ମହାପ୍ରଭୁ । ଘଣ୍ଟା ଘଣ୍ଟା କୋଳରେ ଆପଣଙ୍କୁ ଧରି ରଖିବାର ଆନନ୍ଦକୁ କହି ହେବନି। ଆହୁରି ଧନ୍ୟ ଯାହା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ନେହ, ଭକ୍ତି ଓ ସମର୍ପଣର ସ୍ପର୍ଶ। ଆପଣଙ୍କ ପାଇଁ ତ କୋଟି କୋଟି ଜୁହାର ପାଇଲୁ ଆମେ। ଧନ୍ୟ ମୋ ଜନ୍ମ ଭୂମି ସେ ବନ। ଧନ୍ୟ ତମ ରଥଖଳା, ଧନ୍ୟ ସେ ମହାରଣା ଆଉ ତାଙ୍କ ହାତୁଡ଼ି, ନିହଣ। ସାମାନ୍ୟ କାଠରୁ ମହାପ୍ରଭୁଙ୍କ ରଥ। ମହାଦେବତାଙ୍କ ମହାଯାନ। ଏ କଣ ଛୋଟିଆ ଭାଗ୍ୟ କି। କେତେ ଜନ୍ମର ପୂଣ୍ୟଫଳ ତମେ ହିଁ ଜାଣ। ତମେ ଓହ୍ଲାଇଗଲା ପରେ ଲାଗୁଛି ଶ୍ରୀହିନ। ଏବେ ନୂଆ ଜୀବନ। ଆମେ ଏବେ ପୂଣ୍ୟ କାଠ। ମୋତେ କିଣି ନେବେ ଭକ୍ତ। ସ୍ମାରକୀ ହୋଇ ଶୋଭା ପାଇବି। କିନ୍ତୁ ଭୁଲି ପାରିବିନି ତୁମର ସେହି ନବଦିନାତ୍ମକ ଯାତ୍ରାକୁ । ରଥଖଳାରୁ ବଡ଼ ଦାଣ୍ଡକୁ ... ଆମେ ଧନ୍ୟ ପ୍ରଭୁ...

Also Read- Lord Jagannath: ଭାବର ଠାକୁରଙ୍କୁ ଭକ୍ତିରେ ଭରା ଚିଠି; ଜଗାକୁ ଶୁଣାଇଲେ ଦଇତାପତି, ସବୁ ଜାଣି ବି ଶୁଣୁଛି ଜଗା...

ରଥଯାତ୍ରା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ନନ୍ଦିଘୋଷ, ଦର୍ପଦଳନ ଏବଂ ତାଳଧ୍ଵଜ ଦଣ୍ଡାୟମାନ। ସୁସଜ୍ଜିତ ଦେଖାଯାଉଥିବା ରଥ ସବୁ ଯେମିତି ମନଦୁଃଖରେ ମହାପ୍ରଭୁଙ୍କ ବିନା ରହିଛନ୍ତି ଠିଆ । ଆଉ ଆସନ୍ତା ବର୍ଷକୁ ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କୁ ପୁଣି ବସାଇ ବାହାରିବେ ଶ୍ରୀଗୁଣ୍ଡିଚା ମନ୍ଦିର। ମହାପ୍ରଭୁଙ୍କ ରଥଯାତ୍ରା ଶେଷ ହେବା ପରେ ଅଳ୍ପଦିନ ବ୍ୟବଧାନରେ ତିନି ରଥକୁ ସମ୍ପୂର୍ଣ୍ଣ ଖୋଲି ଦିଆଯାଏ। ରଥ ଚକ ସହିତ ବିଭିନ୍ନ ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ବିକ୍ରି କରାଯାଏ । ଅନ୍ୟ କାଠ ମହାପ୍ରଭୁଙ୍କ ରୋଷଶାଳାରେ ମହାପ୍ରସାଦ ପ୍ରସ୍ତୁତିରେ ଜାଳେଣି ଭାବେ ବ୍ୟବହାର ହୁଏ। ତେବେ ରଥଯାତ୍ରାକୁ ନେଇ ପୁରୀ ସହର ଗତକିଛି ଦିନ ହେବ ଚଳଚଞ୍ଚଳ ଥିବାବେଳେ ରଥଯାତ୍ରା ଶେଷ ହେବା ପରେ ସେହି ବଡ଼ଦାଣ୍ଡ ଏବଂ ରଥ ଏବେ ଖାଁ ଖାଁ ।