ପୁରୀ : ରଥେ ବିଜେ ମହାପ୍ରଭୁ। ଜନ୍ମବେଦୀ ଯାତ୍ରା ତ କେବଳ ଏକ ପରମ୍ପରା କିନ୍ତୁ ମୂଳ କଥାଟି ତ ଭକ୍ତ ଓ ଭଗବାନଙ୍କ ମିଳନ। ଭକ୍ତଙ୍କ ମେଳରେ ଜଗତର ନାଥ। ପ୍ରଭୁଙ୍କ ମାନବୀୟ ଲୀଳା ଭିତରେ ଏକ ଅନନ୍ୟ ମହାମିଳନ। ଭକ୍ତି ଆଉ ଭାବରେ ବନ୍ଧା କାଳିଆ ଠାକୁର ଭକ୍ତଙ୍କ କଥା ପାଖରୁ ଶୁଣିବାକୁ ଦେଖିବାକୁ, ଆଖିରେ ଆଖି ମିଶାଇବାକୁ ଆଉ ଭକ୍ତକୁ ଖୁସି କରିବାକୁ ଆସନ୍ତି କି ଏହି ରଥଯାତ୍ରାରେ। ନଅ ଦିନରେ ନୀଳମଣି ନିମିଷେ ଦର୍ଶନରେ ଦିଅନ୍ତି କି ଭକ୍ତଙ୍କୁ ନିୟୁତ ନିୟୁତ ସୁଖ। ସବୁ ଶାନ୍ତି ଆଉ ଆତ୍ମତୃପ୍ତି। ଶୁଣି ନିଅନ୍ତି ସବୁ ଅଳି ପ୍ରାର୍ଥନା, ଗୁହାରୀ। ହଁ ସେଥିଲାଗି ତ ଭକ୍ତଟିଏ କରିଛି ଗୁହାରୀ। ...

ହେ ପ୍ରଭୁ, ମୁଁ ଜାଣିନି କେମିତି ଆରମ୍ଭ କରିବି। କିନ୍ତୁ ମୋ ମନର ସବୁ ଭାବନାକୁ ବୁଝି ପାରିବ ବୋଲି ଆଶା ଆଉ ବିଶ୍ୱାସ। ସଂସାରରେ ତୁମକୁ ଛାଡ଼ିଦେଲେ କିଛି ବି ଚଳେନି ପ୍ରଭୁ। ମୋ ଜୀବନ ଯାହା ନିମନ୍ତେ ଦେଇଛ, ଯେଉଁଥିପାଇଁ ଦେଇଛ। ସେଥିପାଇଁ ମୁଁ ବହୁତ ଖୁସି। ସବୁ ତୁମ ଦାନ ଆଉ ଆଶୀର୍ବାଦ। ଗୋଟିଏ ବୀନତି ପ୍ରଭୁ ଯେଉଁମାନଙ୍କୁ ମୋ ଜୀବନରେ ଦେଇଛ, ମୋ ଶେଷ ନିଶ୍ୱାସ ବେଳକୁ ଯେମିତି ସେ ସମସ୍ତେ ମୋ ସହ ରହିବେ। ହେ ପ୍ରଭୁ ମୋତେ କେବେ ଧନରେ ଅଭାବ ରଖିବ ପଛକେ, କିନ୍ତୁ ଜନରେ କେବେରଖିବନି ଅଭାବ।ତୁମକୁ ପୁଅ ଟିଏ ମାଗିଥିଲି ମୋତେ ଝିଅ ଦେଇଛ। ସବୁ ତୁମ ଆଶୀର୍ବାଦ ଭାବି ଗ୍ରହଣ କରିଛି। ତୁମ ଦିବ୍ୟଦୃଷ୍ଟି ସବୁବେଳେ ମୋ ଝିଅ ଉପରେ ରଖିଥାଏ ପ୍ରଭୁ। ଯେମିତି ତା ଜୀବନ ରଥର ଦଉଡ଼ି ତୁମ ହାତରେ ଚାଲିବ । ମୋ ଝିଅ ତୁମକୁ ଲାଗିଲା। ପ୍ରଭୁ ମୋ ଝିଅ ଜୀବନ ଏମିତି ଗଢ଼ିବ ଯେମିତି ସେ ତୁମ ସେବାରେ ଲାଗି ପାରିବ। ମୋତେ ଆଉ ଗୋଟେ ପୁଅ ଦେବ ପ୍ରଭୁ। ଆଉ ଗୋଟିଏ ଅଳି ପ୍ରଭୁ ତୁମ ନିକଟରେ। ଯାହାକୁ ଜୀବନସାଥୀ ଭାବେ ତୁମେ ମୋତେ ଦେଇଛ, ଶେଷ ନଶ୍ୱାସ ଥିବା ପର୍ଯ୍ୟନ୍ତ ତାଙ୍କୁ ମୋ ସହ ରଖିବ ପ୍ରଭୁ। ତାଙ୍କ ଆଗରେ ମୋ ଜୀବନ ନେବ ପ୍ରଭୁ। ତାଙ୍କର ଦେହ ଖରାପ, ତୁାଙ୍କୁ ଭଲ କରି ଦିଅ। ଆଉ ତାଙ୍କର ସବୁ ରୋଗ ମୋତେ ଦେଇ ଦିଅ । ପ୍ରଭୁ ଯେମିତି ତାଙ୍କ କାନ୍ଧରେ ମୁଁ ସୌଭାଗ୍ୟବତୀ ହୋଇ ତୁମ ବଡ଼ଦାଣ୍ଡରେ ସ୍ୱର୍ଗଦ୍ୱାରକୁ ଯିବି। ମୋ ଶେଷ ନିଶ୍ୱାସରେ ଯେମିତି ମୋ ସହ ମୋ ସଂଖା ସିନ୍ଦୂର ରହିଥିବ, ମୋତେ ଏତିକି ଆଶୀର୍ବାଦ ଦିଅ ପ୍ରଭୁ। ମୋ ପରିବାର ଉପେ ତୁମର ଦିବ୍ୟ ଦୃଷ୍ଟି ରଖିଥିବ। ତୁମକୁ ଦେଖିବାକୁ ବହୁତ ଇଚ୍ଛା, ମୋତେ ଟିକେ ତୁମ ପାଖକୁ ନେଇ ଯାଅ ପ୍ରଭୁ। ଏତିକି ତୁମ ପାଖରେ ଅଳି ପ୍ରଭୁ। ଇତି ତୁମ ଭକ୍ତ...

 Also Read- ବ୍ୟବସାୟୀ ମାଲେମାଲ୍: ୧୦ ଲକ୍ଷ ଟଙ୍କା ଖଜା ମଗାଇ, ୨୦ ଲକ୍ଷ ପାଇଲେ ବେପାରୀ

ରଥଯାତ୍ରାରୁ ନିଳାଦ୍ରୀ ବିଜେ... ମହାପ୍ରଭୁ ତାଙ୍କ ନବଦିନାତ୍ମକ ଯାତ୍ରା ସାରି ପୁଣି ଫେରୁଛନ୍ତି ରତ୍ନବେଦୀକୁ । କିନ୍ତୁ ଏହି 9 ଦିନ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନକୁ ହୁଏତ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଜଗାକୁ ଦେଖିବାକୁ ଜନ ସମୁଦ୍ର ବଡ଼ଦାଣ୍ଡ। ଘଣ୍ଟଘଣ୍ଟା, ହୁଳହୁଳିର ଭକ୍ତିମୟ ପରିବେଶ। ଖରା ବର୍ଷାକୁ ଖାତିର ନ କରି ଜଗାକୁ ଦେଖିବାକୁ ଜାତି , ବର୍ଣ୍ଣ , ଧର୍ମ ନିର୍ବିଶେଷରେ ସବୁ ଭକ୍ତ ଏକାଠି। ଯେଉଁ ଭକ୍ତ ଏହି ସୌଭାଗ୍ୟ ପାଇନି, ସେ ଦୂରରେ ଥାଇ କରିଛି ଭକ୍ତି ନିବେଦନ। କିଏ ପ୍ରାର୍ଥନା ତ କିଏ ଲୋତକଭରା ନୟନରେ ରଖିଛି ତାର ଭକ୍ତି ଓ ବ୍ୟାକୁଳତା। କିନ୍ତୁ ଏଇଠି ଭକ୍ତଟିଏ ଚିଠି ଟିଏ ଲେଖି ଜଗତରନାଥଙ୍କୁ ଜଣାଇଛି ମନକଥା, କରିଛି ବୀନତି। ଚିଠି ଆସି ପହଞ୍ଚିଛି ନୀଳମଣିଙ୍କ ପାଖରେ। ଆଉ ମହାପ୍ରଭୁଙ୍କୁ ସେ ଚିଠି ପଢି ଶୁଣାଇଛନ୍ତି ଦଇତାପତି... ସବୁ ଜାଣିଥିବା କାଳିଆ ସାଆନ୍ତ ହସୁଛି ମୁରୁକି...