ଭୁବନେଶ୍ୱର: ବର୍ତ୍ତମାନ ରଥଯାତ୍ରା ସମୟରେ ଚତୁର୍ଦ୍ଧା ମୂରତିକୁ ଦେଖିବାକୁ ବଡ଼ ଦାଣ୍ଡରେ ପ୍ରବଳ ଜନସମାଗମ ହୋଇଛି। ଲକ୍ଷାଧିକ ଭକ୍ତ ବଡ଼ଦାଣ୍ଡରେ ରଥ ଟାଣିବା ସହ ବିଭିନ୍ନ ଜିନିଷପତ୍ର କିଣାକିଣି କରୁଛନ୍ତି। ପୂରୀ ଗସ୍ତ ସମୟରେ ଅନେକ ଭକ୍ତ ଭାବର ଠାକୁର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବଡ଼ ଶ୍ରଦ୍ଧାରେ ଘରକୁ କିଣି ଆଣନ୍ତି। ଆଉ ଠାକୁର ଘରେ ରଖି ପୂଜା କରନ୍ତି। ହେଲେ ଘରେ ଜଗନ୍ନାଥଙ୍କ ମୂର୍ତ୍ତି ରଖି ପୂଜା କରିବାରେ ଶାସ୍ତ୍ରସମ୍ମତ ନିୟମସବୁ ରହିଛି। ଅଜ୍ଞତା ବଶତଃ ଆମେ ଏସବୁ ନ ଜାଣି ଠାକୁର ମୂର୍ତ୍ତି କିଣି ଆଣି ପୂଜା କରୁଛୁ। ଯାହା ଆମ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ଯଦି ଆପଣ ବି ଘରକୁ ଜଗନ୍ନାଥ ମୂର୍ତ୍ତି ଆଣି ପୂଜା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଶାସ୍ତ୍ରଅନୁକୁଳ ନିୟମ ଜାଣି ରଖନ୍ତୁ। ଘରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖି ପୂଜା କରିବାକୁ ଥିବା ନିୟମ ବିଷୟରେ କହିଛନ୍ତି ଜଗନ୍ନାଥ ପ୍ରଚାରକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା। ଏନେଇ ଶାସ୍ତ୍ରରେ କ’ଣ ସବୁ ନିୟମ ରହିଛି ଆସନ୍ତୁ ଜାଣିବା।

ରଥଶର୍ମାଙ୍କ କହିବା ଅନୁସାରେ, ଗୃହମାନଙ୍କର ଚତୁର୍ଦ୍ଧା ମୂରତୀ ରହି ପୂଜା ପାଇବାର ପରମ୍ପରା ଆମର ନାହିଁ। ଘରେ ଇଷ୍ଟ ଦେବୀଙ୍କ ସହିତ ମହାପ୍ରଭୁ ପତିତପାବନ ବା ଦଧିବାମନଙ୍କୁ ରଖି ପୂଜା କରିପାରିବେ। ଆମ ଶାସ୍ତ୍ରରେ ଘରମାନଙ୍କରେ ଗୋଟିଏ ଜଗନ୍ନାଥଙ୍କ ମୂର୍ତ୍ତି ରଖି ପୂଜା କରିବାର ପରମ୍ପରା ରହିଛି। ସେଥିରେ ବି କିଛି ନିୟମ ରହିଛି।
୧୦ ଆଙ୍ଗୁଳିରୁ ଅଧିକ ଉଚ୍ଚର ମୂର୍ତ୍ତି ଘରେ ରଖି ପୂଜା କରିବା ମନା। ଯଦି ଆପଣ ଘରେ ଜଗନ୍ନାଥଙ୍କ ମୂର୍ତ୍ତି ରଖି ପୂଜା କରିବାକୁ ଚାହୁଁଛନ୍ତି, ତେବେ ବିଶେଷ କରି ଦ୍ୱାଦଶ ଆଙ୍ଗୁଳି ଭିତରେ ଜଗନ୍ନାଥଙ୍କ ମୂର୍ତ୍ତି ଘରେ ରଖି ପୂଜା କରିପାରିବେ। ତା’ଠାରୁ ଅଧିକ ଉଚ୍ଚର ମୂର୍ତ୍ତି ରଖି ପୂଜା କରିବା ଶାସ୍ତ୍ରୀୟ ପ୍ରମାଣ ନାହିଁ ବୋଲି ଶ୍ରୀ ରଥ ଶର୍ମା କହିଛନ୍ତି। ସେହିପରି ଘରେ ଥିବା ଠାକୁରଙ୍କ ପୂଜାବିଧି ଓ ଅନ୍ନ ପ୍ରସାଦ ସମ୍ପ୍ରକରେ ବି ଗୁରୁତ୍ୱପୂର୍ଣ୍ଣ କଥା ବତାଇଛନ୍ତି ରଥଶର୍ମା।

ଏନେଇ ସେ କହିଛନ୍ତି ଯେ ଜଗନ୍ନାଥଙ୍କ ପାଖରେ ଥରେ ଅନ୍ନ ଭୋଜନ ଲାଗିଲେ ଆଉ ବନ୍ଦ କରିବା କଥା ନୁହେଁ। ଅନ୍ନ ଭୋଗ ଥରେ ବନ୍ଦ ହୋଇଗଲେ ସେଇ ମୂର୍ତ୍ତି ଆଉ ଉପାସିତ ହୁଅନ୍ତି ନାହିଁ। ତେଣୁ ଯଦି ଆପଣ ଘରେ ଜଗନ୍ନାଥଙ୍କ ପାଖରେ ଅନ୍ନ ଭୋଗ ଲଗାଉଛନ୍ତି, ତେବେ ଏହାକୁ ନିୟମିତ ଲଗାଇବା ଉଚିତ।

ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଜଗନ୍ନାଥ ମୂର୍ତ୍ତି ରଖିବାର ନିମୟ

ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍କାର ଦେଇ ଏନେଇ ମତ ରଖିଛନ୍ତି ପଣ୍ଡିତ ଶ୍ରୀ ରଥ ଶର୍ମା। ସେ କହିଛନ୍ତି ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କ ଫଟୋ ରଖିବା ଉଚିତ ନୁହେଁ। ଆମେ ଜଗନ୍ନାଥଙ୍କୁ ଭଲପାଉଛେ ବୋଲି ଯେଉଁଠି ନାହିଁ ସେଇଠି ଜଗନ୍ନାଥଙ୍କ ମୂର୍ତ୍ତି ରଖି ତାଙ୍କର ଅପମାନ କରିବା ଠିକ୍ ନୁହେଁ। ଯେଉଁ ହୋଟେଲମାନଙ୍କରେ ପିଆଜ ରସୁଣ ଆଦି ରୋଷେଇ ହେଉଛି, ସେଠି ଜଗନ୍ନାଥଙ୍କ ଫଟୋ ଓ ମୂର୍ତ୍ତୀ ରଖୁଛନ୍ତି। ତାହା ସମ୍ପୂର୍ଣ୍ଣ ଅନୁଚିତ। ଏହା ଜଗନ୍ନାଥଙ୍କ ପ୍ରତି କଦାପି ସମ୍ମାନ ନୁହେଁ। ତେଣୁ ଏପରି କରିବାରୁ ବିରତ ରହିବା ଭଲ ବୋଲି ଶ୍ରୀ ରଥଶର୍ମା ପରାମର୍ଶ ଦେଇଛନ୍ତି।