ଶ୍ରୀନଗର: ଜମ୍ମୁ-କଶ୍ମୀର ୱାକଫ୍ ବୋର୍ଡର ଏକ ପ୍ରସ୍ତାବକୁ ନେଇ  ରାଜନୈତିକ ଓ ଧାର୍ମିକ ବିବାଦ ଦେଖାଦେଇଛି। ରାଜ୍ୟର ବିଭିନ୍ନ ମସଜିଦ ଓ ଧାର୍ମିକ ଅନୁଷ୍ଠାନରେ ଶୁକ୍ରବାର ନମାଜ ସମୟରେ ସମାନ ବିଷୟବସ୍ତୁ ଉପରେ ଧାର୍ମିକ ଉପଦେଶ ଦେବା ପାଇଁ ବୋର୍ଡ ଯୋଜନା କରିଥିଲା। ତେବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ଧାର୍ମିକ ସଂଗଠନ ଆପତ୍ତି ଉଠାଇବା ପରେ ପ୍ରସ୍ତାବଟିକୁ ସ୍ଥଗିତ ରଖାଯାଇଛି।

ଅକ୍ଟୋବର ୧୦ରେ ଅନୁଷ୍ଠିତ ଏକ ବୈଠକରେ ମୁଫତି, ଇମାମ ଓ ଇସଲାମୀୟ ଧର୍ମଗୁରୁଙ୍କୁ ନେଇ ଏକ କମିଟି ଗଠନ କରି ସାଧାରଣ ଉପଦେଶର ବିଷୟ ସ୍ଥିର କରିବାକୁ ପ୍ରସ୍ତାବ ଆସିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଧାର୍ମିକ ସଚେତନତା, ସାମାଜିକ ସଦ୍ଭାବ, ନୈତିକ ମୂଲ୍ୟବୋଧ ଓ ନିଶାଦ୍ରବ୍ୟ ସେବନ ଭଳି ସମସ୍ୟା ଉପରେ ଲୋକଙ୍କୁ ସଚେତନ କରିବା।

କିନ୍ତୁ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତିଙ୍କ ସମେତ ଅନେକ ନେତା ଏହାକୁ ଧାର୍ମିକ ସ୍ୱାଧୀନତାରେ ହସ୍ତକ୍ଷେପ ବୋଲି କହିଥିଲେ। ମସଜିଦରେ କ'ଣ ଉପଦେଶ ଦିଆଯିବ, ତାହା ଇମାମ ଓ ଧର୍ମଗୁରୁମାନେ ସ୍ଥିର କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା।

also read- ଉପହାର ନଦେଲେ ଗାଡ଼ି ଛାଡ଼ିବିନି ! ହୋମଗାର୍ଡଙ୍କ ଦାଦାଗିରି ଭିଡିଓ ଭାଇରାଲ

ଅନ୍ୟପଟେ ୱାକଫ୍ ବୋର୍ଡ ଅଧ୍ୟକ୍ଷା ଡ. ଦରାଖଶାନ ଆନ୍ଦ୍ରାବି ସ୍ପଷ୍ଟ କରିଥିଲେ ଯେ, ସମାନ ଉପଦେଶ ବାଧ୍ୟତାମୂଳକ କରିବା ପାଇଁ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି ହୋଇନାହିଁ। ଏହି ବିବାଦ ମଧ୍ୟରେ ମୁତାହିଦା ମଜଲିସ-ଏ-ଉଲେମା ନିଜସ୍ୱ ଉଦ୍ୟମରେ ବିଭିନ୍ନ ମସଜିଦରେ ସମନ୍ୱିତ ଉପଦେଶ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ଧର୍ମଗୁରୁଙ୍କ ସ୍ୱାଧୀନତା ବଜାୟ ରଖିବା ସହ ସାମାଜିକ ସମସ୍ୟା ଉପରେ ସଚେତନତାକୁ ଗୁରୁତ୍ୱ ଦିଆଯାଉଛି।