ମୁମ୍ଵାଇ ୦୩।୦୯; ବଲିଉଡର ଭିଡୁ ଭାବରେ ଜଣାଶୁଣା ଜ୍ୟାକି ଶ୍ରଫ। ଏବେ ତାଙ୍କର ଆଉ ଏକ ଅନନ୍ୟ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ଅଛନ୍ତି । ବୟସ ମାତ୍ର ୬୯ ବର୍ଷ। କିନ୍ତୁ ସେ ନିଜ ଶେଷ ଇଚ୍ଛାକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହା ଦେଖି ପ୍ରଥମେ ପ୍ରଶଂସକମାନେ ଚକିତ ହୋଇଥିଲେ । କିନ୍ତୁ ପୂରା ବିଷୟ ଜଣାପଡ଼ିବା ପରେ ଆପଣ ହସିବେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ଜ୍ୟାକି ଶ୍ରଫଙ୍କର ଦୁଇ ସନ୍ତାନ - ଅଭିନେତା ଟାଇଗର ଶ୍ରଫ ଏବଂ କ୍ରିଷ୍ଣା ଶ୍ରଫ । କିନ୍ତୁ ଏହି ‘ୱିଲ୍’ରେ ସେ ନିଜ ସମ୍ପତ୍ତିର ଦାୟିତ୍ୱ ପରିବାରର କାହାକୁ ଦେଇନାହାନ୍ତି । ବରଂ ତାଙ୍କର ପ୍ରିୟ ସ୍ପାଇଡର ପ୍ଲାଣ୍ଟକୁ ଫାର୍ମହାଉସ୍ର ‘ଉତ୍ତରାଧିକାରୀ’ କରିଛନ୍ତି । ‘ୱିଲ୍’ରେ ଫାର୍ମହାଉସ୍ର ରକ୍ଷଣା ବେକ୍ଷଣ ଏବଂ ଅଭିଭାବକତ୍ୱ ସମ୍ପର୍କରେ ଉଲ୍ଲେଖ ରହିଛି । ଏହା ସହିତ ଗଛର ଯତ୍ନ ପାଇଁ ବଡ଼ ଆର୍ଥିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଫାର୍ମହାଉସ୍ର କମ୍ପୋଷ୍ଟିଂ ସେକ୍ସନ୍ ଏବଂ ବଗିଚା କାମର ସରଞ୍ଜାମ ପାଇଁ ପ୍ରାୟ ୯୯ ଲକ୍ଷ ଟଙ୍କା ଅଲଗା ରଖାଯିବ ବୋଲି ଏଥିରେ ଲେଖାଯାଇଛି ।

ଏବେ ଏହି ଇଚ୍ଛାପତ୍ରର ସବୁଠାରୁ ଆକର୍ଷଣୀୟ କଥା ହେଉଛି ଜ୍ୟାକି ତାଙ୍କର ସମସ୍ତ ଗଛ, କୁଣ୍ଡ ଏବଂ ମାଳୀଙ୍କ ପାଇଁ ଆଜୀବନ ଦେଖାଶୁଣାର ବଜେଟ୍ ରଖିବା କଥା ମଧ୍ୟ କହିଛନ୍ତି । ତାଙ୍କ ପାଇଁ ଗଛ କେବଳ ଗଛ ନୁହେଁ, ବରଂ ପରିବାରର ଅଂଶ । ସେଥିପାଇଁ ନିଜ ପରେ ମଧ୍ୟ ସେମାନଙ୍କୁ ଭଲପାଇବା ଓ ସୁରକ୍ଷା ଦେବାକୁ ସେ ଚାହୁଁଥିବା ତାଙ୍କର ଏହି ମଜାଳିଆ ‘ୱିଲ୍’ରୁ ଜଣାପଡ଼ୁଛି । ଏହି ‘ୱିଲ୍’ରେ ଜ୍ୟାକି ଶ୍ରଫଙ୍କ ନାଁରେ ସ୍ୱାକ୍ଷର ଥିବା ଦେଖାଯାଉଛି ଏବଂ ଏହା ୧ ସେପ୍ଟେମ୍ବର ୨୦୨୬ରେ ସାକ୍ଷୀଙ୍କ ଉପସ୍ଥିତିରେ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି । ତେବେ ଏହାକୁ ଜ୍ୟାକିଙ୍କ ପ୍ରକୃତ ଶେଷ ଇଚ୍ଛା ଭାବେ ନୁହେଁ, ବରଂ ତାଙ୍କର ଗଛ ଓ ପ୍ରକୃତି ପ୍ରତି ଭଲପାଇବାକୁ ନେଇ କରାଯାଇଥିବା ମଜାଳିଆ ପ୍ରସ୍ତୁତି ଭାବେ ଦେଖାଯାଉଛି ।