ଭୁବନେଶ୍ୱର: ଭୀଷଣ ବାତ୍ୟାରେ ପରିଣତ ହୋଇଛି ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ । ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଏହା ଗତି କରୁଥିବା ବେଳେ ଆସନ୍ତା ମଙ୍ଗଳବାର ଏହା ଅତିଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବା ସମ୍ଭାବନା ରହିଛି । ସେହିଭଳି ଅକ୍ଟୋବର ୨୮ ତାରିଖ ପୂର୍ବାହ୍ଣରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ । ବିଶାଖାପାଟଣା ନିକଟରେ ଏହା ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି । ତେଣୁ ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସେପଟେ ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ଅକ୍ଟୋବର ୨୭ ଓ ୨୮ ତାରିଖରେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ସେହିପରି କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି ।

Also Read: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା ବୈଠକ, ଛୁଟି ବାତିଲ୍, ପ୍ରଭାବିତ ଜିଲ୍ଲାଗୁଡିକର ସ୍ୱାସ୍ଥ୍ୟସେବାକୁ ସଜାଗ ରଖିବାକୁ ନିର୍ଦ୍ଦେଶ

ଅନ୍ୟପଟେ ବାତ୍ୟାର ଗତିପଥ ଓ ସମ୍ଭାବ୍ୟ ପ୍ରଭାବକୁ ନେଇ ଦକ୍ଷିଣ ଓଡ଼ିଶାରେ ଚିନ୍ତା ବଢ଼ିଛି । ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବାତ୍ୟାର ପ୍ରଭାବ ଉପରେ ନଜର ରଖାଯାଉଛି । ବାତ୍ୟାର ସଠିକ୍ ଗତିପଥ, ସ୍ଥଳଭାଗ ଅତିକ୍ରମ କରିବାର ସ୍ଥାନ ଓ ପ୍ରଭାବ ସମ୍ପର୍କରେ ପରବର୍ତ୍ତୀ ପାଣିପାଗ ସୂଚନା ଗୁରୁତ୍ୱପୂର୍ଣ୍ଣ ରହିବ । ଏଭଳି ସ୍ଥିତିରେ ସରକାରୀ ନିର୍ଦ୍ଦେଶ ଓ ପାଣିପାଗ ବିଭାଗର ସତର୍କ ସୂଚନା ଅନୁସରଣ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି ।