ନୂଆଦିଲ୍ଲୀ ୧୫/୧୨: ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ଅଞ୍ଚଳରେ ଯିହୂଦୀ ପର୍ବ ହାନୁକା ସମୟରେ ଘଟିଥିବା ଗୁଳିକାଣ୍ଡ ସମଗ୍ର ବିଶ୍ୱକୁ ଚକିତ କରିଛି। ଏହି ଆକ୍ରମଣରେ ଜଣେ ଇସ୍ରାଏଲୀ ନାଗରିକଙ୍କ ସମେତ ଷୋହଳ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କୁ ଆକ୍ରମଣ କରି ଅଭିଯୋଗ କରିଥିଲେ ଯେ ପାଲେଷ୍ଟାଇନ ରାଷ୍ଟ୍ର ପ୍ରତି ତାଙ୍କର ସମର୍ଥନ ଯିହୂଦୀ ବିରୋଧୀ ଭାବନାକୁ ପ୍ରୋତ୍ସାହିତ କରିଛି। 

ତେବେ ଘଟଣାକୁ ନେଇ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ରବିବାର ସେ କହିଛନ୍ତି ଯେ ସେ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ପାଲେଷ୍ଟାଇନ ରାଷ୍ଟ୍ର ପାଇଁ ଦାବି ଇହୁଦୀ ବିରୋଧୀ ମନୋଭାବକୁ ଆହୁରି ଖୋରାକ ଯୋଗାଇବ। ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ସିଡନୀ ଆକ୍ରମଣ ସେହି ମାନସିକତାର ପରିଣାମ। ନେତାନ୍ୟାହୁ କହିଛନ୍ତି ଯେ ଗାଜା ଯୁଦ୍ଧ ପରେ ଇସ୍ରାଏଲର ଅନ୍ତର୍ଜାତୀୟ ସମାଲୋଚନା ଏବଂ ପାଲେଷ୍ଟାଇନକୁ ସମର୍ଥନ କରିବା ଯୋଗୁଁ ବିଶ୍ୱବ୍ୟାପୀ ହୂଦୀ ସମ୍ପ୍ରଦାୟକୁ ଟାର୍ଗେଟ କରିବା ବୃଦ୍ଧି ପାଇଛି। 

ନେତାନ୍ୟାହୁଙ୍କ ଅଭିଯୋଗ କ’ଣ?
ନେତାନ୍ୟାହୁ ଅଭିଯୋଗ କରିଛନ୍ତି ଯେ ପାଲେଷ୍ଟାଇନ ରାଷ୍ଟ୍ରକୁ ମାନ୍ୟତା ଦେବା ଏବଂ ହମାସ ବିରୁଦ୍ଧରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବା ଦ୍ୱାରା ହିଂସା ଯଥାର୍ଥ ବୋଲି ବାର୍ତ୍ତା ପଠାଯାଏ। ସେ ସିଡନୀ ଗଣହତ୍ୟାକୁ ଏହା ସହିତ ଯୋଡ଼ି କହିଥିଲେ ଯେ ଅଷ୍ଟ୍ରେଲିଆ ଭଳି ଦେଶଗୁଡ଼ିକୁ ସେମାନଙ୍କର ନୀତିର ପୁନର୍ବିଚାର କରିବା ଉଚିତ।

ପାଲେଷ୍ଟାଇନ ପ୍ରତି ଅଷ୍ଟ୍ରେଲିଆର ମତ କ’ଣ?
ସେପ୍ଟେମ୍ବରରେ, ଅଷ୍ଟ୍ରେଲିଆ ମିଳିତ ଜାତିସଂଘ ସାଧାରଣ ସଭା ସମୟରେ ପାଲେଷ୍ଟାଇନ ରାଷ୍ଟ୍ରକୁ ଆନୁଷ୍ଠାନିକ ଭାବରେ ମାନ୍ୟତା ଦେଇଥିଲା। ପାଲେଷ୍ଟାଇନ ଅନୁଯାୟୀ, ଏପର୍ଯ୍ୟନ୍ତ ୧୫୯ ଦେଶ ଏହାକୁ ସ୍ୱୀକୃତି ଦେଇଛନ୍ତି। ବିଶ୍ୱର ଏକ ବଡ଼ ଅଂଶ ବିଶ୍ୱାସ କରେ ଯେ ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷର ଅନ୍ତ କରିବାର ଏକମାତ୍ର ଉପାୟ ହେଉଛି ଦୁଇ-ରାଷ୍ଟ୍ର ସମାଧାନ। ତଥାପି, ନେତାନ୍ୟାହୁ ସରକାର ଏହାକୁ ଇସ୍ରାଏଲର ସୁରକ୍ଷା ପାଇଁ ବିପଦ ବୋଲି ବିବେଚନା କରେ।

ସିଡନୀ ଆକ୍ରମଣ ବିଶ୍ୱବ୍ୟାପୀ ବିରୋଧ: 
ଇରାନ କହିଛି ଯେ ଆତଙ୍କବାଦ ଏବଂ ନିର୍ଦ୍ଦୋଷ ଲୋକଙ୍କ ହତ୍ୟା ଗ୍ରହଣୀୟ ନୁହେଁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ବିଶ୍ୱରେ ଯିହୂଦୀ ବିରୋଧୀ ମନୋଭାବର କୌଣସି ସ୍ଥାନ ନାହିଁ। ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଲଣ୍ଡନ ପୋଲିସ ଯିହୂଦୀ ସ୍ଥଳଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିଛି। 

କ’ଣ କହିଲା ଜାତିସଂଘ?
ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ ହନୁକା ଅବସରରେ ହୋଇଥିବା ଏହି ଆକ୍ରମଣ ଅତ୍ୟନ୍ତ ବିପଜ୍ଜନକ ଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଃଖ ସମୟରେ ଭାରତ ଅଷ୍ଟ୍ରେଲିଆର ଲୋକଙ୍କ ସହିତ ଛିଡ଼ା ହୋଇଛି। ଏହି ଆକ୍ରମଣ ଅଷ୍ଟ୍ରେଲୀୟ ଯିହୁଦୀ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।