ନୂଆଦିଲ୍ଲୀ, ୧୨/୦୯ : ଦକ୍ଷିଣ ଲେବାନନରେ ଇସ୍ରାଏଲ ଏବଂ ଇରାନ ସମର୍ଥିତ ହିଜବୁଲ୍ଲା ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଘଟଣାକ୍ରମ ସାମ୍ନାକୁ ଆସିଛି। ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ ଅଲୀ ଅଲ-ତାହେର ପାହାଡ଼ ତଳେ ନିର୍ମିତ ହିଜବୁଲ୍ଲାର ୨ କିମିରୁ ଅଧିକ ଲମ୍ବା ପ୍ରମୁଖ ସୁଡ଼ଙ୍ଗ ନେଟୱର୍କକୁ ଇସ୍ରାଏଲ୍ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ଗୁରୁବାର ଦାବି କରିଛି । ବିସ୍ଫୋରଣ ଲାଗି ପ୍ରାୟ ୧୧୦୦ ଟନ୍ ବିସ୍ଫୋରକ ବ୍ୟବହାର କରାଯାଇଥିଲା। ବିସ୍ଫୋରଣ ଏତେ ଭୟାବହ ଥିଲା ଯେ ଏଥିଯୋଗୁ ସେହି ଅଞ୍ଚଳରେ ୪.୧ ତୀବ୍ରତାର ଭୂକମ୍ପ ଭଳି ଝଟକା ଅନୁଭବ ହୋଇଥିଲା। ଆଖ ପାଖ ଅଞ୍ଚଳରେ ମାଟି ଦୋହଲିବା ପରି ଲାଗିଥିଲା ବୋଲି ଲେବାନନର ସରକାରୀ ନ୍ୟୁଜ ଏଜେନ୍ସି କହିଛି।

Also Read :- ୨୦୨୬ର ଶେଷ ତିନିମାସରେ ୩ଟି ବଡ଼ ବାତ୍ୟା ! ୪୪ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ, ଇସ୍ରୋର ଚେତାବନୀ

ସେପଟେ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମିଳିତ ବୟାନ ଜାରି କରିଥିଲେ। ସେମାନେ ଏହି ସୁଡ଼ଙ୍ଗ ନେଟୱର୍କକୁ ହିଜବୁଲ୍ଲାର ଆତଙ୍କୀ ଭିଭିଭୂମି ଭାବେ ଦର୍ଶାଇଥିଲେ। ଏଥିସହ ‘ମିସନ୍ ଶେଷ ହେଲା, ନବବର୍ଷର ଅଭିନନ୍ଦନ’ ବୋଲି ନେତନ୍ୟାହୁ କହିଥିଲେ। ତାଙ୍କ ଅନୁସାରେ, ଇରାନ ସମର୍ଥିତ ହିଜବୁଲ୍ଲା ଆତଙ୍କୀ ଗୋଷ୍ଠୀ ଯେପରି ସେହି ଅଞ୍ଚଳରେ ପୁନର୍ବାର ନିଜର ଉପସ୍ଥିତିକୁ ଜାହିର କରି ନପାରିବେ ସେଥିଲାଗି ଇସ୍ରାଏଲ ସେନା ସେଠାରେ ରହିବ।

ଇସ୍ରାଏଲୀ ସେନା (ଆଇଡିଏଫ୍) ମୁତାବକ, ଏହି ଟନେଲ ନେଟୱର୍କକୁ ବନାଇବାକୁ ପ୍ରାୟ ୨୦ ବର୍ଷ ସମୟ ଲାଗିଥିଲା। ସେଥିଲାଗି ଇରାନ ଆର୍ଥିକ ଭାବେ ସହାୟତା କରିଥିଲା। ହିଜବୁଲ୍ଲାର ସାମରିକ କାର୍ଯ୍ୟକଳାପ ଲାଗି ଏହାକୁ ବ୍ୟବହାର କରାଯାଉଥିଲା। ସୁଡ଼ଙ୍ଗରେ ଇରାନ ନିର୍ମିତ ଅନେକ ରକେଟ୍, ମିସାଇଲ୍ ଏବଂ ଡ୍ରୋନ୍ ରଖାଯାଇଥିଲା। ସେଠାରୁ ମେସିନଗନ୍, ଆଣ୍ଟି ଟ୍ୟାଙ୍କ ମିସାଇଲ୍, ଶହ ଶହ ଲ୍ୟାଣ୍ଡମାଇନ ଏବଂ ବିସ୍ଫୋରକ ମିଳିଥିଲା। ଏହି ପରିସରରେ ହିଜବୁଲ୍ଲାର ‘ବଦ୍ର’ ୟୁନିଟ୍ କମାଣ୍ଡ ସେଣ୍ଟର ରହିଥିଲା। ଆଇଡିଏଫ୍ ହିଜବୁଲ୍ଲାର ଟନେଲ ନେଟୱର୍କର ଫୁଟେଜ ମଧ୍ୟ ଜାରି କରିଛି।

ଭିଡିଓରେ ସୈନିକମାନେ ସୁଡ଼ଙ୍ଗ ମଧ୍ୟରେ ତଲାସୀ ନେଉଥିବା ଦେଖିବାକୁ ମିଳୁଛି। ଆଇଡିଏଫ୍ ଆହୁରି କହିଛି ଯେ, ଜୁନରେ ଅସ୍ତ୍ରବିରତି ହେବା ପରେ ଏଠାରେ ପ୍ରାୟ ୫୦ ଜଣ ହିଜବୁଲ୍କା ଆତଙ୍କୀ ଲୁଚିଥିଲେ। ସେନାର କାର୍ଯ୍ୟାନୁଷ୍ଠାନ ସମୟରେ ସେମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ହୋଇଛି। ତଲାସୀ ସମୟରେ ସୁଡ଼ଙ୍ଗରୁ ପ୍ରାୟ ୧୨ଟି ଶବ ମିଳିଛି। ତେବେ କିଛି ହିଜବୁଲ୍କା ଆତଙ୍କୀ ସେଠାରୁ ପଳାୟନ କରିବାରେ ସମର୍ଥ ହୋଇଥାଇପାରନ୍ତି। ସୂଚନାଥାଉକି, ଜୁନରେ ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ପରେ ଇସ୍ରାଏଲ-ଲେବାନନ୍ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ଏହି ବୁଝାମଣା ପରେ କିଛି ଦିନ ଲାଗି ଆକ୍ରମଣ ବନ୍ଦ ହୋଇଯାଇଥିଲା।