ନୂଆଦିଲ୍ଲୀ, ୦/୦୯ : ମଧ୍ୟପ୍ରାଚ୍ୟରେ ପୁଣିଥରେ ବଡ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ୨୦୨୩ ଅକ୍ଟୋବର ୭ରେ ଘଟିଥିବା ଆକ୍ରମଣ ଠାରୁ ଆହୁରି ବଡ ଧରଣର ହମଲା କରିବାକୁ ଇରାନ ଯୋଜନା ବନାଇଛି। ଏଥିରେ ଇରାନ କେବଳ ଏକା ନୁହେଁ, ଏହା ସହିତ ଲେବାନନର ହିଜବୁଲ୍ଲା, ଗାଜାର ହମାସ, ୟେମେନର ହୁତି ଏବଂ ଇରାକର ସିହା ଆତଙ୍କୀ ଗୋଷ୍ଠୀ ଏକସମୟରେ ଇସ୍ରାଏଲକୁ ଚାରିପଟୁ ଘେରି ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଇସ୍ରାଏଲର ଗୁଇନ୍ଦା ସଂସ୍ଥା ରିପୋର୍ଟକୁ ଆଧାର କରି ‘ଦି ଜେରୁଜେଲମ ପୋଷ୍ଟ ଏହି ଖବର ପ୍ରକାଶ କରିଛି।

Also Read :- ଲୋପ ପାଇଯିବେ ମଣିଷ ! ଆଉ ମାତ୍ର ଏତିକି ବର୍ଷ...ମିଶିଯିବେ ସବୁ ମହାଦେଶ, ଶୁଖିଯିବ ପ୍ରଶାନ୍ତ-ଆଟଲାଣ୍ଟିକ୍ ମହାସାଗର

ଇସ୍ରାଏଲର ସୁରକ୍ଷା ବାହିନୀ ( ଆଇଡିଏଫ୍) ଅନୁସାରେ ଗତ କିଛି ସପ୍ତାହ ହେଲା ଇରାନ ସହାୟତାରେ ହମାସ୍ ଓ ହିଜବୁଲା ପରସ୍ପରର ନିକଟତର ହୋଇଛନ୍ତି। ଉଭୟ ଗୋଷ୍ଠୀ ଭିତରେ ତାଳମେଳ ବଢ଼ିବାରେ ଲାଗିଛି। ଇରାନର ଉଦ୍ଦେଶ୍ୟ ହେଉଛି ଇସ୍ରାଏଲକୁ ଉତ୍ତରରେ ଲେବାନନ ଓ ଦକ୍ଷିଣରେ ଗାଜା ପଟରୁ ଏକସମୟରେ ଘେରି ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ ଭାବେ ସଙ୍କଟରେ ପକାଇବା। ଇରାନ ସେନା ଇସଲାମିକ ରିଭୋଲ୍ୟୁସନାର କର୍ପସ ଗାର୍ଡ (ଆଇଆରଜିସି) ସୂଚନା ଅନୁସାରେ ଏହି ନୂଆ ଯୋଜନା ଉପରେ କାର୍ଯ୍ୟ ଜାରି ରହିଛି। କୁର୍ଦ୍ଦସ ଫୋର୍ସର ଶୀର୍ଷ ଅଧିକାରୀମାନେ ହିଜବୁଲ୍କା, ହୁତି ଓ ଇରାକୀ ସିହା କମାଣ୍ଡରଙ୍କ ସହିତ ଭିଡିଓ କନଫରେଟିଂ ଜରିଆରେ ଏବଂ ବ୍ୟକ୍ତିଗତ ଭାବେ ଭେଟି ମିଳିତ ରଣନୀତି ଉପରେ ଆଲୋଚନା କରିଛନ୍ତି। ଅତୀତରେ ଘଟିଥିବା ସଂଘର୍ଷରେ କ୍ଷତିଗ୍ରସ୍ତ ହୋଇଥିବା ଅସ୍ତ୍ରଶସ୍ତ୍ରର ଭରଣା କରିବା ଉଦ୍ଦେଶ୍ୟରେ ଇରାନ ପକ୍ଷରୁ ମିସାଇଲ୍ ଓ ଆତ୍ମଘାତୀ ଡ୍ରୋନ ଉତ୍ପାଦନ ବଢ଼ାଯାଇଛି।

ସୂଚନା ଅନୁସାରେ ଆକ୍ସିସ ଅଫ୍ ରେଜିଷ୍ଟାନ୍ସ ସହ ଜଡିତ ଏହି ସମସ୍ତ ଗୋଷ୍ଠୀ ନିକଟରେ ମିଳିତ ସମରାଭ୍ୟାସ ମଧ୍ଯ ଆରମ୍ଭ କରିଛନ୍ତି। ଯାହାଫଳରେ ସେମାନଙ୍କର ଅପରେସନାଲ ତାଳମେଳ ପୂର୍ବାପେକ୍ଷା ଅଧିକ ମଜଭୁତ ହୋଇପାରିଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ୨୦୨୩ ଅକ୍ଟୋବର ୭ରେ ହମାସ ଯେତେବେଳେ ଇସ୍ରାଏଲ ଉପରେ ଆକ୍ରମଣ କଲା ସେତେବେଳେ ଅନ୍ୟ ମୋର୍ଚ୍ଚାମାନେ ପ୍ରସ୍ତୁତ ନଥିଲେ। ଗାଜାରୁ ମିଳିଥିବା ଗୋପନୀୟ ଦସ୍ତାବିଜରୁ ସ୍ପଷ୍ଟ ହୋଇଛି କି ହମାସ୍ ନେତା ୟାହ୍ୟା ସିନଓ୍ବାର ଏହି ଯୁଦ୍ଧରେ ସିରିୟା ଓ ଲେବାନନକୁ ଟାଣିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଆକ୍ରମଣର ତାରିଖ ଓ ଯୋଜନା ସମ୍ପର୍କରେ ପୂର୍ବରୁ ଇରାନ କିମ୍ବା ହିଜବୁଲ୍ଲାକୁ ଜଣାଯାଇନଥିଲା। ଏହି କାରଣରୁ ହିଜବୁଲ୍ମା ପରଦିନ ଅର୍ଥାତ ଅକ୍ଟୋବର ୮ରେ କେବଳ କିଛି ଗୁଳିଗୋଳା ମାଡ଼ କରିଥିଲା। ଅନ୍ୟ କୌଣସି ବଡ଼ ଆକ୍ରମଣ କରିନଥିଲା।

ବର୍ତ୍ତମାନ ଗୁଇନ୍ଦା ରିପୋର୍ଟ କହୁଛି ଯେ ଇରାନ ତାର ସେହି ରଣନୀତିର ଅଭାବ ଏବେ ଦୂର କରିଛି। ନୂଆ ଯୋଜନା ଏହି କି ଅପରେସନ ଆରମ୍ଭ ହେବାର କିଛି ମିନିଟ୍ ଭିତରେ ଇସ୍ରାଏଲ ଉପରେ ସବୁ ଦିଗରୁ ଏକସମୟରେ ଭୂପୃଷ୍ଠ ଓ ଆକାଶମାର୍ଗରୁ ପ୍ରଚଣ୍ଡ ପ୍ରହାର କରାଯିବ। ସିରିୟାରେ ବସର ଅଲ୍-ଅସଦ ସରକାରଙ୍କ ପତନ ଏବଂ ଲେବାବନରେ ହିଜବୁଲ୍ଲାକୁ ହୋଇଥିବା କ୍ଷତି ପରେ ଇରାନର ଏହି ସମ୍ପୂର୍ଣ ନେଟୱର୍କରେ ବଡ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଏହି ଚକ୍ରବ୍ୟୁହରେ ଇରାକର ସିହା ଆତଙ୍କବାଦୀ ଓ ୟେମେନର ହୁତି ବିଦ୍ରୋହୀଙ୍କ ଭୂମିକା କାହିଁ କେତେ ଅଧିକ ହୋଇଯାଇଛି। ସେପଟେ ହମାସର ଦାୟିତ୍ଵ ଏବେ ଖଲିଲ ଅଲ୍-ହୟାଙ୍କ ହାତରେ ରହିଛି। ସେ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ୟାହ୍ୟା ସିନୱାରଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ। ଖଲିଲ ଦାୟିତ୍ଵ ଗ୍ରହଣ କରିବା ପରେ ହମାସ୍ ଓ ଇରାନର ସମ୍ପର୍କ ପୂର୍ବାପେକ୍ଷା ଅଧିକ ମଜଭୁତ ହୋଇଛି। ସେ ବହୁଦିନ ଧରି ଇରାନ ଓ ହସାସ୍ ଭିତରେ ସମନ୍ଵୟ ରଖି କାର୍ଯ୍ୟ କରିଆସିଛନ୍ତି। ଏହି କାରଣରୁ ଇସ୍ରାଏଲ ଉପରେ ଏବେ ଚାରିପଟରୁ ଆକ୍ରମଣ କରିବାର ଯୋଜନା ଉପରେ କାର୍ଯ୍ୟ ଜାରି ରହିଛି। ସମ୍ଭାବ୍ୟ ଏଭଳି ବିପଦକୁ ଦୃଷ୍ଟିରେ ରଖି ଇସ୍ରାଏଲ ସେନା ଓ ଗୁଇନ୍ଦା ସଂସ୍ଥା ମୋସାଦ୍ ସମ୍ପୂର୍ଣ୍ଣ ଭାବେ ଆଲର୍ଟରେ ରହିଛନ୍ତି।