ନୂଆଦିଲ୍ଲୀ, ୩୦/୧୦ : ଇସ୍ରାଏଲରେ ଗତ ୨୭ ତାରିଖରେ ସଂସଦୀୟ ନିର୍ବାଚନ ପରେ ଅଦ୍ୟାବଧି ୯୦% ଭୋଟ ଗଣତି ଶେଷ ହୋଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓ ପ୍ରମୁଖ ବିରୋଧୀ ନେତା ଗାଦି ଆଇଜନକୋଟ ବହୁମତଠାରୁ ଦୂରରେ ଅଛନ୍ତି। ସରକାର ଗଠନ ଲାଗି ୬୧ ଆସନ ଆବଶ୍ୟକ । କିନ୍ତୁ ନେତନ୍ୟାହୁଙ୍କ ମେଣ୍ଟ ୫୩ ଓ ଆଇଜନକୋଟଙ୍କ ମେଣ୍ଟ ୪୮ ଆସନ ପାଇବା ଆଶା କରାଯାଉଛି। ସେପଟେ ଦୁଇ ପ୍ରମୁଖ ଆରବ ପାର୍ଟି ରେକର୍ଡ ୧୯ ଆସନରେ ଜିତିବା ନିକଟତର ହୋଇଛନ୍ତି। ସଂସଦରେ ମୋଟ ୧୨୦ ଆସନ ରହିଛି ।

ଝୁଲା ସଂସଦ ପରିସ୍ଥିତିରେ ବିରୋଧୀ ନେତାମାନେ ସରକାର ଗଠନ ଲାଗି ବୈଠକ ଆରମ୍ଭ କରିଦେଇଛନ୍ତି। ଦି ଡେମୋକ୍ରାଟ୍ ନେତା ୟାୟର ଗୋଲାନ ଏବଂ ୟେଶ ଆତିଦର ନେତା ୟାୟର ଲାପିଡ ପରସ୍ପରକୁ ଭେଟି ଆଲୋଚନା କରିଛନ୍ତି। ନେତନ୍ୟାହୁଙ୍କୁ ଗାଦିଚ୍ୟୁତ କରି ଦେଶରେ ପରିବର୍ତ୍ତନ ଆଣିବାକୁ ଏକାଠି କାମ କରିବା ପାଇଁ ଉଭୟ ଆଗ୍ରହ ପ୍ରକାଶ କରିଛନ୍ତି।

Also Read :- ପାକିସ୍ତାନରେ ମାତ୍ର ୧.୭% ହିନ୍ଦୁ : ଯୁବତୀ-ନାବାଳିକାଙ୍କୁ ଅପହରଣ ପରେ ଜବରଦସ୍ତି ଧର୍ମ ପରିବର୍ତ୍ତନ !

ଆରବ ପାର୍ଟିଗୁଡ଼ିକୁ ଐତିହାସିକ ସଫଳତା ମିଳିବା ପରେ ନେତନ୍ୟାହୁ ଚିନ୍ତାରେ ପଡ଼ିଛନ୍ତି। ନିର୍ବାଚନରେ ସମ୍ଭାବ୍ୟ ବିଦେଶୀ ହସ୍ତକ୍ଷେପ ଆଶଙ୍କାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତକାରୀ ଏଜେନ୍ସି ‘ଶିନ୍ ବେଟ'କୁ ମାମଲାରେ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ହେବ। ନେତନ୍ୟାହୁଙ୍କ ଲିକୁଡ ପାର୍ଟି ସନ୍ଦେହ କରୁଛି ଯେ କାତାର୍ ଏବଂ ତୁର୍କୀରୁ ପାଣ୍ଠି ପଠାଯାଇଛି। ଆରବ ନାଗରିକଙ୍କୁ ଅର୍ଥ ବାଣ୍ଟିବା ଲାଗି ଏହାକୁ ବ୍ୟବହାର କରାଯାଇଛି। କିନ୍ତୁ କାତାର୍ ଏହି ଅଭିଯୋଗକୁ ଭିଭିହୀନ ଓ ବିପଜ୍ଜନକ ଦର୍ଶାଇଛି। ସେହିଭଳି ଇସ୍ରାଏଲୀ ନିର୍ବାଚନ କମିଟି ନିର୍ଦ୍ଦେଶକ ସମ୍ଭାବ୍ୟ ବାହ୍ୟ ହସ୍ତକ୍ଷେପ ଅଭିଯୋଗକୁ ଖାରଜ କରିଦେଇଛନ୍ତି। ଆଇନ ପରିସରରେ ରହି ନିର୍ବାଚନ କରାଯାଇଥିବା ସେ ଦାବି କରିଛନ୍ତି।

ନିର୍ବାଚନ ଶେଷ ହେବାର ଦ୍ଵିତୀୟ ଦିନରେ ସମସ୍ତ ବାଲଟ ଭୋଟ ଗଣା ଶେଷ ହୋଇଛି। ଭୋଟ ଗଣତି ମଧ୍ୟରେ ନେତନ୍ୟାହୁଙ୍କ ଲିକୁଡ ପାର୍ଟି ଆଉ ଏକ ଆସନ ପାଇବା ନିଶ୍ଚିତ ହୋଇଯାଇଛି। ଏହାଦ୍ଵାରା ଦଳର ଖାତାକୁ ମୋଟ ୨୭ ଆସନ ଯିବା ସମ୍ଭାବନା ବଢ଼ିଛି। କିନ୍ତୁ ସରକାର ଗଠନ ଲାଗି ନେତନ୍ୟାହୁଙ୍କ ମେଣ୍ଟ ପାଇଁ ଆହୁରି ୮ଟି ଆସନ ଆବଶ୍ୟକ ପଡ଼ିବ।