ନୂଆଦିଲ୍ଲୀ, ୩୦/୧୦ : ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇ ଏବେ ମାତ୍ର ୧.୭ ପ୍ରତିଶତ ରହିଛି । ବ୍ରିଟିଶ ହିନ୍ଦୁ ସଙ୍ଗଠନ ‘ଇନ୍ ସାଇଟ ୟୁକେ’ର ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ସ୍ବାଧୀନତା ପୂର୍ବରୁ ୧୯୪୧ରେ, ଯେଉଁ ୱେଷ୍ଟ ପାକିସ୍ତାନ ହୋଇଥଲା, ସେଠାରେ ହିନ୍ଦୁଙ୍କ ସଂଖ୍ୟା ୧୪.୬% ଥିଲା। ହେଲେ ସେଠାରେ ଏବେ ହିନ୍ଦୁଙ୍କ ସଂଖ୍ୟା ୨% ବି ନାହିଁ । ଏହାର କାରଣ ହିନ୍ଦୁଙ୍କ ବିରୋଧରେ ହିଂସା ଏବଂ ଧର୍ମାନ୍ତରୀକରଣ ବୋଲି ରିପୋର୍ଟରେ କୁହାଯାଇଛି।

ବିଭାଜନ ପରେ ହଜାର ହଜାର ହିନ୍ଦୁ ପରିବାରକୁ ନିଜ ଘର ଛାଡ଼ିବାକୁ ପଡ଼ିଥିଲା । ଅନେକ ପରିବାରଠାରୁ ସେମାନଙ୍କ ପୂର୍ବପୁରୁଷ ଅମଳର ଭିଟାମାଟି, ଚାଷ ଜମି ବି ଛଡ଼ାଇ ନିଆଯାଇଥିଲା। ପାକିସ୍ତାନରେ ହିନ୍ଦୁ ସମୁଦାୟଙ୍କ ଆର୍ଥିକ ସ୍ଥିତି ବି ଦୁର୍ବଳ ହୋଇଛି। ପାକ୍ ଆଇନରେ ହିନ୍ଦୁଙ୍କ ଅଧିକାରକୁ ମଧ୍ୟ ସଙ୍କୁଚିତ କରାଯାଇଥିବା ଏଥିରେ କୁହାଯାଇଛି। ରିପୋର୍ଟରେ ଧାର୍ମିକ ସ୍ବାଧୀନତା ଉପରେ ରୋକ ଏବଂ ଜବରଦସ୍ତ ଧର୍ମ ପରିବର୍ତ୍ତନ ଉପରେ ଆଲୋକପାତ କରାଯାଇଛି। ଏହି ସଙ୍ଗଠନ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଲାଗି ପଦକ୍ଷେପ ନିଆଯିବାକୁ ଦାବି କରିଛି ।

ସଙ୍ଗଠନ ପକ୍ଷରୁ କୁହାଯାଇଛି, ପାକିସ୍ତାନରେ ପାସପୋର୍ଟ ବନାଇବା ସମୟରେ ବି ନାଗରିକଙ୍କୁ ନିଜ ଧର୍ମ କହିବାକୁ ପଡ଼ୁଛି। ରିପୋର୍ଟରେ ଦାବି କରାଯାଇଛି ଯେ, ପ୍ରତିବର୍ଷ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଯୁବତୀ, ମହିଳାଙ୍କୁ ଅପହରଣ କରାଯାଉଛି । ପରେ ସେମାନଙ୍କ ଜବରଦସ୍ତ ଧର୍ମ ପରିବର୍ତନ କରାଯାଇ ଅପହରଣକାରୀଙ୍କ ସହ ବିବାହ କରାଇ ଦିଆଯାଉଛି।

Also Read :- ଭାରତରେ ମରିବେ ୫୫ ହଜାର ଲୋକ ! ମାଡ଼ି ଆସୁଛି ଭୟଙ୍କର ରାକ୍ଷସ : ଚେତାଇଦେଲା ଅନ୍ତର୍ଜାତୀୟ ସଂସ୍ଥା

ଏହା ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବା ଏବଂ ନ୍ୟାୟ ପାଇବାରେ ପୀଡ଼ିତା ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ସଙ୍ଗଠନ ବ୍ରିଟେନ ସରକାରଙ୍କ ଠାରେ ଦାବି କରିଛି ଯେ, ପାକିସ୍ତାନରେ ମନ୍ଦିର ସୁରକ୍ଷା ଏବଂ ଧାର୍ମିକ ମାମଲାରେ ତ୍ୱରିତ ଶୁଣାଣି ଦିଗରେ ସମୟସୀମା ସ୍ଥିର କରାଯିବା ଲାଗି ବ୍ୟବସ୍ଥା କରାଯାଉ । ପାକିସ୍ତାନକୁ ଦିଆଯାଉଥିବା ବ୍ରିଟିଶ ସହାୟତାକୁ ମାନବ ସହାୟତା ଦିଗରେ ବ୍ୟୟ କରାଯାଉ । ଇସଲାମବାଦ ସ୍ଥିତ ବ୍ରିଟିଶ ଉଚ୍ଚାୟୁକ୍ତରେ ସଂଖ୍ୟାଲଘୁ ସମୁଦାୟର ଦୁଇ ପ୍ରତିନିଧିଙ୍କୁ ଦାୟିତ୍ବ ଦିଆଯାଉ, ଯାହାଦ୍ୱାରା ହିଂସା ଏବଂ ଭେଦଭାବ ମାମଲା ସର୍ବସମ୍ମୁଖକୁ ଆସି ପାରିବ । ସେଠାରେ ସଂଖ୍ୟାଲଘୁଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରତି ୬ ମାସରେ ରିପୋର୍ଟ ଜାରି କରାଯାଉ । ଜବରଦସ୍ତ ଧର୍ମ ପରିବର୍ତ୍ତନ ଏବଂ ଧାର୍ମିକ ଉତ୍ପୀଡ଼ନର ଶିକାର ଲୋକଙ୍କୁ ବ୍ରିଟେନରେ ଶରଣ ଦେବାକୁ ମଧ୍ୟ ଦାବି ହେଉଛି ।