ମାନମା ୮।୩: ବାହାରିନ ରାଜଧାନୀ ମାନମାର ଜୁଫୈର ଅଞ୍ଚଳରେ ଥିବା ଆମେରିକା ନୌସେନାର ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଉପରେ ରବିବାର ବଡ଼ ଧରଣର ଆକ୍ରମଣ ହୋଇଛି। କୁହାଯାଉଛି ମିଜାଇଲ ଓ ଡ୍ରୋନରେ କରାଯାଇଥିବା ଆକ୍ରମଣରେ ୨୧ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଛି। ଆକ୍ରମଣ ପରେ ଅଞ୍ଚଳରେ ଭୀଷଣ ବିନାଶ ଓ ନିଆଁ ଲାଗିଯାଇଥିବାର ଛବି ସାମ୍ନାକୁ ଆସୁଛି। ଏହି ଆକ୍ରମଣ ନା କେବଳ ଅଞ୍ଚଳର ସୁରକ୍ଷାକୁ ନେଇ ଚିନ୍ତା ବଢାଇଛି ବରଂ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧକୁ ଆହୁରି ଭୀଷଣ କରିଛି।

ରିପୋର୍ଟ ଅନୁସାରେ ଏହି ଆକ୍ରମଣ ବାହାରିନରେ ଥିବା ନୌସେନା ସହାୟତା କେନ୍ଦ୍ରକୁ ଟାର୍ଗେଟ କରି କରାଯାଇଥିଲା। ଏଥି ପାଇଁ ଇରାନ ବାଲିଷ୍ଟିକ ମିଜାଇଲ ସମେତ ଶାହେଦ-୧୩୬ ଡ୍ରୋନ ଉପଯୋଗ କରିଛି। ଏହି ଆକ୍ରମଣରେ ସାମରିକ ଘାଟିର ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ଷତିଗ୍ରସ୍ତ ହୋଇଛି। କୁହାଯାଉଛି ମିଜାଇ ଆକ୍ରମଣରେ ରାଡାର ସିଷ୍ଟମ, ସେବା ଭବନ ଓ ଉପଗ୍ରହ ସଞ୍ଚାର ସମ୍ପର୍କିତ କିଛି ଭିତ୍ତିଭୂମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଉପଗ୍ରହରୁ ମିଳୁଥିବା ଛବିରେ ଆକ୍ରମଣ ପରେ ଆକାଶକୁ ଉଠୁଥିବା ଘନ କଳା ଧୂଆଁ ଦେଖା ଯାଉଛି। ଏଥିରେ ନୌସେନା ଘାଟିର ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି ଓ କେତେକ ସ୍ଥାନରେ ନିଆଁ ଲାଗିଯାଇଛି।

ସୂତ୍ର ଅନୁସାରେ ୨୮ ଫେବୃଆରୀ ୨୦୨୬ରେ ମଧ୍ୟ ଏହି ସାମରିକ ଘାଟିକୁ ଟାର୍ଗେଟ କରାଯାଇଥିଲା। ସେତେବେଳେ ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କୋର( ଆଇଆରଜିସି)ର ସମନ୍ୱିତ କାର୍ଯ୍ୟାନୁଷ୍ଠାନରେ ମିଜାଇଲ ଓ ଡ୍ରୋନ ଉପଯୋଗ କରିଥିଲା। ଏହି ଆକ୍ରମଣରେ ୩ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିବା ଓ କେତେକ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ତେବେ ରବିବାରର ଆକ୍ରମଣ ପରେ ମୃତ୍ୟୁ ସଂଖ୍ୟା ୨୧ ବୋଲି କୁହାଯାଇଛି। ଏଥିରୁ ଜଣାପଡୁଛି ପରିସ୍ଥିତି ଲଗାତାର ଗୁରୁତର ହେବାରେ ଲାଗିଛି।

ଇରାନ ଏହି କାର୍ଯ୍ୟାନୁଷ୍ଠାନକୁ ଆମେରିକା ଓ ଇସ୍ରାଏଲର ମିଳିତ ଅଭିଯାନ ଜବାବ ଭାବେ ଦେଖୁଛି। ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ ଏପିକ୍ ଫ୍ୟୁରୀ’ର ଜବାବୀ କାର୍ଯ୍ୟାନୁଷ୍ଠାନ ବୋଲି ଇରାନୀ ଅଧିକାରୀ କହିଛନ୍ତି। କୁହାଯାଉଛି ଏହି ମିଳିତ ଅଭିଯାନରେ ଇରାନର ଅନେକ ସୈନ୍ୟ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ତିନି ପକ୍ଷଙ୍କ ମଧ୍ୟରେ ଉତ୍ତେଜନା ଲଗାତାର ବଢିବଢି ଚାଲିଛି। ଏଥିରେ ନିକଟରେ ଆମେରିକୀୟ ସବମେରିନ ଏକ ଇରାନୀ ଯୁଦ୍ଧପୋତକୁ ହୀନ୍ଦ ମହାସାଗରରେ ବୁଡେଇଦେବା ଉତ୍ତେଜନାକୁ ଅଧିକ ବଢେଇ ଦେଇଥିଲା।

ବାହାରିନସ୍ଥିତ ଆମେରିକା ନୌସେନାର ପଞ୍ଚମ ବାହିନୀକୁ ରଣନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଏହା ପାରସ୍ୟ ଉପସାଗର, ଲୋହିତ ସାଗର ଓ ଆରବ ସାଗରର ବିଶାଳ ସାମୁଦ୍ରିକ କ୍ଷେତ୍ର ଉପରେ ନଜର ରଖିବା ଓ ସୁରକ୍ଷା କାମ ତୁଲାଉଥିଲା। ଆମେରିକୀୟ ନୌବାହିନୀର ଏହି ସାମରିକ ଘାଟି ୨୫ଲକ୍ଷ ବର୍ଗ ମାଇଲ ସାମୁଦ୍ରିକ କ୍ଷେତ୍ର ଉପରେ ନଜର ରଖୁଥିଲା ଓ ଅନ୍ତର୍ଜାତୀୟ ବାଣିଜ୍ୟ ନିମନ୍ତେ ହର୍ମୁଜ ପ୍ରଣାଳୀର ସୁରକ୍ଷାରେ ମଧ୍ୟ ବଡ଼ ଭୂମିକା ନିର୍ବାହ କରୁଥିଲା। ଏହି ପଞ୍ଚମ ନୌବାହିନୀରେ ପାଖାପାଖି ୨୫ ହଜାରରୁ ଅଧିକ ନୌସୈନିକ ନିୟୋଜିତ ଅଛନ୍ତି ଓ ଏମାନେ ବିଭିନ୍ନ ଦେଶଙ୍କ ସାମୁଦ୍ରିକ ବଳଙ୍କ ସହ ମିଶି କାମ କରନ୍ତି।

ବାହାରିନରେ ହୋଇଥିବା ଏହି ତାଜା ଆକ୍ରମଣ ପରେ ସାରା ବିଶ୍ୱର ନଜର ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପଡିଛି। ଯଦି ଉତ୍ତେଜନା ଏହିପରି ବଢି ଚାଲେ ଏହା ବଡ଼ଧରଣର ଯୁଦ୍ଧରେ ପରିଣତ ହୋଇପାରେ ବୋଲି ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି। ଇରାନର ଏହି କାର୍ଯ୍ୟାନୁଷ୍ଠାନ ବୈଶ୍ୱିକ ଇନ୍ଧନ ଯୋଗାଣ ଓ ସାମୁ୍ଦ୍ରିକ ବାଣିଜ୍ୟକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ବିସ୍ତୃତ ଅଞ୍ଚଳକୁ ଇନ୍ଧନ ପହଞ୍ଚି ଥାଏ। ତେବେ ଇରାନର ଧମକ ପରେ ଏହି ଜଳମାର୍ଗରେ ଯାତାୟାତ ଠପ ହୋଇଯାଇଛି।

Also Read..

‘ଆମେ ଭେନେଜୁଏଲା ନୁହେଁ, ଟ୍ରମ୍ପଙ୍କୁ ଖାମେନିଙ୍କ ହତ୍ୟାର ମୂଲ୍ୟ ଦେବାକୁ ପଡ଼ିବ, ଆମେ ତାଙ୍କୁ ଛାଡ଼ିବୁନି’