ନୂଆଦିଲ୍ଲୀ: ଇରାନ ସର୍ବୋଚ୍ଚ ନେତା ଅୟାତୋଲ୍ଲା ଖାମେନିଙ୍କ ହତ୍ୟାର ନିଶ୍ଚୟ ପ୍ରତିଶୋଧ ନିଆଯିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ମୂଲ୍ୟଦେବେ ବୋଲି ଚେତାବନୀ ଦେଇଛନ୍ତି ଇରାନର ସୁରକ୍ଷା ମୁଖ୍ୟ ଅଲି ଲାରିଜାନି। ଲାରିଜାନୀଙ୍କର ଏଭଳି ମନ୍ତବ୍ୟ ଉପରେ ଟ୍ରମ୍ପଙ୍କର ତୁରନ୍ତ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଏଭଳି ବେପରୁଆ ହୋଇପାରିବେ ନାହିଁ ବୋଲି ଟ୍ରମ୍ପ ଲାରଜାନୀଙ୍କୁ କହିଛନ୍ତି।

ଶନିବାର ଇରାନର ସରକାରୀ ଟେଲିଭିଜନ ସହିତ ଆଲୋଚନା କଲା ବେଳେ ଅୟାତୋଲ୍ଲା ଅଲି ଖାମେନିଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ଲାରିଜାନୀ କହିଛନ୍ତି ଯେ ଇରାନ "ଟ୍ରମ୍ପଙ୍କୁ ଏକା ଛାଡିବ ନାହିଁ।" ଏବଂ ଇରାନର ଜବାବକୁ ଟ୍ରମ୍ପ ଭୁଲ ଆକଳନ କରୁଛନ୍ତି, ଏବଂ ସଂଘର୍ଷ ଶୀଘ୍ର ଶେଷ ହେବ ନାହିଁ ବୋଲି ଲାରିଜାନୀ କହିଛନ୍ତି। " ଭେନେଜୁଏଲାରେ ଯାହା ଘଟିଥିଲା ଟ୍ରମ୍ପକୁ ତାହା ଖୁବ୍ ସହଜ ଲାଗିଥିଲା। ତେଣୁ ସେ ଭାବିଥିଲେ ଇରାନରେ ସମାନ କାମ କରିପାରିବେ। ହେଲେ ଏବେ ସେ ଫସି ଯାଇଛନ୍ତି। ଆମେ ତାଙ୍କୁ ଏକା ଛାଡ଼ିବୁନି। ସେ ଯାହା କରିଛନ୍ତି ତାହାର ମୂଲ୍ୟ ତାଙ୍କୁ ନିଶ୍ଚୟ ଦେବାକୁ ହେବ। ସେ ଆମ ନେତାଙ୍କୁ ହତ୍ୟା କରିଛନ୍ତି ଆମର ୧୦୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ଏହା ଛୋଟ କଥା ନୁହେଁ।"

ଲାରିଜାନୀ ଇଣ୍ଟରଭ୍ୟୁ ପରେ ଏହି କଥାକୁ ଏକ୍ସରେ ମଧ୍ୟ ପୋଷ୍ଟ କରିଛନ୍ତି। ଟ୍ରମ୍ପ ଯାହା କରିଛନ୍ତି ତାହାର ପ୍ରତିଶୋଧ ନନେବା ପର୍ଯ୍ୟନ୍ତ ଆମେ ତାଙ୍କୁ ଏକା ଛାଡିବୁ ନାହିଁ ବୋଲି ଏକ୍ସରେ ଲେଖିଛନ୍ତି ଲାରିଜାନୀ। ଖାମେନିଙ୍କ ମୃତ୍ୟୁ ପରେ ଲାରିଜାନୀ ଇରାନରେ ଏକ ପ୍ରମୁଖ ନେତା ଭାବେ ଉଭା ହୋଇଛନ୍ତି। ସେ ଆମେରିକା ଓ ଇସ୍ରାଏଲ୍ ଭିରୁଦ୍ଧରେ ସାଂଘାତିକ ବୟାନ ଦେଉଛନ୍ତି।

ତୁରନ୍ତ ଆସିଲା ଟ୍ରମ୍ପ ପ୍ରତିକ୍ରିୟା

ଟ୍ରମ୍ପ ଲାରିଜାନିଙ୍କ ମନ୍ତବ୍ୟକୁ ଖାରଜ କରିବା ସହ ଭୃକ୍ଷେପ ନ କଲା ଭଳି ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ "ମୁଁ ଜାଣିନାହିଁ ଯେ ସେ କ'ଣ କହୁଛନ୍ତି, ସେ କିଏ। ମୁଁ ଏଥିରେ କମ୍ ଚିନ୍ତା କରିପାରିବି ନାହିଁ।" ଟ୍ରମ୍ପ ସିବିଏସ ନ୍ୟୁଜକୁ କହିଛନ୍ତି, ଲାରିଜାନି "ପୂର୍ବରୁ ପରାଜିତ ହୋଇସାରିଛନ୍ତି।" ଟ୍ରମ୍ପ ଲାରିଜାନି ଏବଂ ଅନ୍ୟାନ୍ୟ ଇରାନୀ ନେତାଙ୍କ ସଦ୍ୟତମ ସମାଲୋଚନାକୁ ମଧ୍ୟ ଏଡ଼ାଇ ଦେଇଛନ୍ତି। ଏହି ନେତାମାନେ ଦୁର୍ବଳ ଓ ସେମାନଙ୍କର ଅସ୍ଥିତ୍ୱ ହ୍ରାସ ପାଉଛି ବୋଲି ଟ୍ରମ୍ପ କହିଛନ୍ତି। ତେବେ ଆମେରିକାର ସାମରିକ ଅଭିଯାନ ଜାରି ରହିବ, ଇରାନକୁ ନିଃସର୍ତ୍ତ ଆତ୍ମସମର୍ପଣ କରିବାକୁ ପଡିବ ବୋଲି କହିଛନ୍ତି ଟ୍ରମ୍ପ। ​​​​​​​