ନୂଆଦିଲ୍ଲୀ,୨୬ /୦୩: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଛି । ଇରାନ ଉପରେ ଘନ ଘନ ମିସାଇଲ ମାଡ କରୁଛନ୍ତି ଆମେରିକା ଏବଂ ଇସ୍ରାଏଲ । ଇରାନ ମଧ୍ୟ ପାଲଟା ଜବାବ ଦେଉଛି । ଏହା ସହ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ବନ୍ଦ କରି ବିଶ୍ୱ ଅର୍ଥନୀତି ଉପରେତେହେରାନ ଚାପ ସୃଷ୍ଟି କରୁଛି । ଫଳରେ ଏସିଆର ବିଭିନ୍ନ ଦେଶରେ ଗ୍ୟାସ୍ ଏବଂ ତୈଳ ସଙ୍କଟ ଦେଖାଗଲାଣି । ଏହା ମଧ୍ୟରେ ଇରାନ୍ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚୀ ବଡ ବୟାନ ଦେଇଛନ୍ତି ।

ଅବ୍ବାସ କହିଛନ୍ତି ଯେ, ଭାରତ ସମେତଟି ମିତ୍ର ଦେଶର ଜାହାଜାକୁ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଅତିକ୍ରମ କରିବାକୁ ଅନୁମତି ଦିଆଯାଇଛି । ଷ୍ଟ୍ରେଟ୍ ଅଫ୍ ହର୍ମୋଜ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇନାହିଁ । ଏହି ଷ୍ଟ୍ରେଟ୍ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅରାଘଚୀଙ୍କ କହିବାନୁସାରେ, ଭାରତ, ଚୀନ, ଋଷ, ଇରାକ ଏବଂ ପାକିସ୍ତାନର ଜାହାଜକୁ ଷ୍ଟ୍ରେଟ୍ ଅଫ୍ ହର୍ମୋଜ ଦେଇ ଯିବାକୁ ଅନୁମତି ରହିଛି । ଏହି ଦେଶମାନେ ଇରାନ ସହ ଆଲୋଚନା କରିଥିଲେ । ଜାହାଜକୁ ସୁରକ୍ଷିତ ଭାବେ ରାସ୍ତା ଦେବାକୁ କହିଥିଲେ । ଯାହା ପରେ ଅନୁମତି ପ୍ରଦାନ କରାଯାଇଛି । ହର୍ମୋଜ୍ କେବଳ ଶତ୍ରୁ ଦେଶ ପାଇଁ ବନ୍ଦ ରହିଛି । କିନ୍ତୁ ଅନ୍ୟମାନଙ୍କ ପାଇଁ ଏହା ଖୋଲା ରହିଛି । ଇରାନ ଏବେ ଯୁଦ୍ଧ ସ୍ଥିତିରେ ଅଛି । ତେଣୁ ଶତ୍ରୁ ତଥା ଶତ୍ରୁର ସହଯୋଗୀ ଦେଶକୁ ଏହି ଷ୍ଟ୍ରେଟ୍ ଅତିକ୍ରମ କରିବାକୁ ଦିଆଯିବ ନାହିଁ ।

ସେ ଆହୁରି କହିଛନ୍ତି ଯେ, ମିତ୍ର ଦେଶର ଅନେକ ଜାହାଜ ଏଠାରେ ଫସି ରହିଥିଲା । ଦେଶମାନେ ଇରାନକୁ ଅନୁରୋଧ କରିଥିଲେ । ଇରାନ ସେନା ଏସବୁ ଜାହାଜକୁ ସୁରକ୍ଷିତ ମାର୍ଗ ପ୍ରଦାନ କରିଛି । ଭାରତର ଦୁଇଟି ଜାହାଜ ଦୁଇ ଦିନ ତଳେ ଏହାକୁ ଅତିକ୍ରମ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ଆମେରିକା ସହ କୌଣସି ଔପଚାରିକ ଆଲୋଚନା ହୋଇନାହିଁ । ମଧ୍ୟସ୍ତିଙ୍କ ମଧ୍ୟରେ ସନ୍ଦେଶ ଆଦାନ ପ୍ରଦାନ କୌଣସି ଆଲୋଚନା ନୁହେଁ ।

ସେ ଆହୁରି କହିଛନ୍ତି ଯେ, ଓ୍ୱାଶିଂଟନ୍ ଭିନ୍ନ ଭିନ୍ନ ମାଧ୍ୟମରେ ଆଲୋଚନା ପାଇଁ ସନ୍ଦେଶ ପଠାଉଛି । ଯୁଦ୍ଧରେ ଆମେରିକା ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି । ଆମେରିକା ଇରାନରେ ସରକାର ଭାଙ୍ଗିପାରିଲାନି କିମ୍ବା ବିଜୟ ମଧ୍ୟ ଲାଭ କରିପାରିନି । ଇରାନ ସାରା ବିଶ୍ୱକୁ ବାର୍ତ୍ତା ଦେଇଛି । କୌଣସି ଦେଶ ତେହେରାନର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରିବେନି ବୋଲି ଇରାନ ପ୍ରମାଣିତ କରିଥିବା ସେ ପ୍ରକାଶ କରିଛନ୍ତି ।