ତେହେରାନ,୨୬ /୦୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ମଧ୍ୟପ୍ରାଚ୍ୟ ଅତିକ୍ରମ କରି ଭାରତ ମହାସାଗରରେ ଆସି ପହଞ୍ଚିଛି । ଭାରତ ମହାସାଗରରେ ଥିବା ଆମେରିକା ଓ ବ୍ରିଟେନର ମିଳିତ ସେନାଘାଟି ଡିଏଗୋ ଗାର୍ସିଆ ଉପରେ ଶନିବାର ବାଲିଷ୍ଟିକ୍ ମିସାଇଲ ମାଡ଼ କରିଥିଲା ଇରାନ । ପ୍ରାୟ ୪ ହଜାର କିମି ଦୂରରେ ଥିବା ଆମେରିକା ସେନାଘାଟିକୁ ଇରାନ ଟାର୍ଗେଟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏପରିକି ଆମେରିକା ଓ ଇସ୍ରାଏଲ ମଧ୍ୟ ଇରାନର ମିସାଇଲ କ୍ଷମତାକୁ ନେଇ ଚକିତ ହୋଇଥିଲେ ।

ଇସ୍ରାଏଲ କରାଇଛି ସତର୍କ

ଇତିମଧ୍ୟରେ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ୍) ବଡ଼ ଆଲର୍ଟ ଜାରି କରିଛି । ୟୁରେପୀୟ ଦେଶର ରାଜଧାନୀଗୁଡି଼କ ଇରାନର ମିସାଇଲ୍ ରେଞ୍ଜରେ ଥିବା ଇସ୍ରାଏଲର ସେନା ମୁଖ୍ୟ ଇୟାଲ ଜମିର କହିଛନ୍ତି । ତାଙ୍କ ଅନୁସାରେ,ପ୍ରଥମ ଥର ପାଇଁ ଇରାନ ଗତ ଶନିବାର ଯୁଦ୍ଧ ସମୟରେ ଲମ୍ବା ଦୂରଗାମୀ ମିସାଇଲ୍ ବ୍ୟବହାର କରିଛି । ଏହି ମିସାଇଲଗୁଡ଼ିକର ଉଦ୍ଦେଶ୍ୟ ଇସ୍ରାଏଲ୍ ଉପରେ ଆକ୍ରମଣ ନୁହେଁ । ବର୍ଲିନ,ପ୍ୟାରିସ,ରୋମ୍ ଭଳି ୟୁରୋପୀୟ ରାଜଧାନୀ ସିଧାସଳଖ ଭାବେ ଏହାର ରେଞ୍ଜରେ ଅଛନ୍ତି ।

ଆଇଡିଏଫ୍ ପକ୍ଷରୁ ଆହୁରି କୁହାଯାଇଛି ଯେ,ଇରାନର ଏହି ବିସ୍ତାରବାଦୀ ସାମରିକ ଅଭିଯାନ ସଂପର୍କରେ ଇସ୍ରାଏଲ୍କୁ ବହୁ ପୂର୍ବରୁ ଜଣାଥିଲା । ଗତବର୍ଷ ଜୁନ୍ ମାସରେ ଚଳାଯାଇଥିବାଅପରେସନ୍ ରାଇଜିଂ ଲାୟନସମୟରେ ଇରାନ ଗୋପନ ଭାବେ ୪୦୦୦ କିମି ରେଞ୍ଜ ଯୁକ୍ତ ମିସାଇଲ୍ ବିକଶିତ କରିବାର ଲକ୍ଷ୍ୟ ରଖିଥିବା ଆଇଡିଏଫ୍ ଦାବି କରିଥିଲା । କିନ୍ତୁ ସେତେବେଳେ ଇରାନ ଏହି ଦାବିକୁ ସଂପୂର୍ଣ୍ଣ ଭାବେ ଖାରଜ କରିଥିଲା । କିନ୍ତୁ ଡିଏଗା ଗାର୍ସିଆ ଆକ୍ରମଣରୁ ଇରାନର ମିଛ ଧରାପଡି଼ଯାଇଛି । ଏଥିସହ ଇରାନ ଏବେ ସାରା ବିଶ୍ୱ ଲାଗି ଗମ୍ଭୀର ବିପଦ ପାଲଟିଥିବା ସ୍ପଷ୍ଟ ହୋଇଛି ।

ଡିଏଗା ଗାର୍ସିଆରେ ମିସାଇଲ୍ ଆଟାକ୍

ଡିଏଗୋ ଗାର୍ସିଆ ସେନାଘାଟି ଉପରକୁ ଇରାନ ୨ଟି ବାଲିଷ୍ଟିକ୍ ମିସାଇଲ ମାଡ଼ କରିଥିବା ଆମେରିକା ଦାବି କରିଥିଲା । ଅବଶ୍ୟ ଏହାଦ୍ୱାରା ସେନାଘାଟିର କୌଣସି କ୍ଷତି ହୋଇନାହିଁ । ଗୋଟିଏ ମିସାଇଲକୁ ଇଣ୍ଟରସେପ୍ଟ କରି ଖସାଇ ଦିଆଯାଇଥିଲା ବେଳେ ଅନ୍ୟ ମିସାଇଲଟି ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ଆମେରିକା କହିଛି । ସୂଚନାଥାଉକି,ଚାଗୋସ୍ ଦ୍ୱୀପର ଅଂଶବିଶେଷ ହୋଇଥିବା ଡିଏଗୋ ଗାର୍ସିଆ ସେନାଘାଟିକୁ ବ୍ୟବହାର କରି ଇରାନ ଉପରେ ଆକ୍ରମଣ କରିବାକୁ ବ୍ରିଟେନ ଆମେରିକାକୁ ଅନୁମତି ଦେଇଛି ।

ଇରାନ ପାଖରେ ମିସାଇଲର ଭଣ୍ଡାର

ୟୁଏସ ଇଣ୍ଟେଲିଜେନ୍ସର କହିବାନୁସାରେ, ଇରାନ ପାଖରେ୧୪ପ୍ରକାରର ମିସାଇଲ ରହିଛି । ଏହା ମଧ୍ୟରୁ ଖୋରାମସାର ଏବଂ ସେଜିଲ ମିସାଇଲର ଲକ୍ଷ୍ୟଭେଦୀକ୍ଷମତା୨୦୦୦କିଲୋମିଟର । ତେବେ ଡିଏଗା ଗାର୍ସିଆ ଉପରେ ଆକ୍ରମଣ କରି ଇରାନ ୟୁରୋପ ପ୍ରତି ବିପଦ ସୃଷ୍ଟି କରିଛି । ଯେଉଁଥିରେ ଇରାନ ନୂଆ ପ୍ରକାରର ମିସାଇଲ ମାଡ଼ କରିଛି । ଏହା ଖୋରାମସାର-ହୋଇପାରେ ବୋଲି ଫ୍ରାନ୍ସର କିଛି ବିଶେଷଜ୍ଞ କହୁଛନ୍ତି । ଯେଉଁଥିରେ କମ୍ ଓଜନର ପ୍ଲେ ଲୋଡ୍ ରହିପାରୁଛିଫଳରେ ଏହା ଦୂରକୁ ଯାତ୍ରା କରିପାରିବ । ୟୁଏସ ଜେମ୍ସ ମାର୍ଟିନ୍ ସେଣ୍ଟର୍ ଫର୍ ନନ୍ ପ୍ରୋଲିଫରେସନର ବୈଜ୍ଞାନିକ ସାମ୍ ଲାୟର ମଧ୍ୟ ସମାନ କଥା କହିଛନ୍ତି ।

ଆଉ କେହି କହୁଛନ୍ତି ଯେ, ଇରାନ ସିମୋର୍ଗ୍ ସ୍ପେଶ୍ ଲଞ୍ଚ୍ ଭେଇକିଲ ବ୍ୟବହାର କରି ମିସାଇଲ ମାଡ କରୁଛି । ଯାହା ସାହାଯ୍ୟରେ ଲଙ୍ଗ୍ ରେଞ୍ଜ୍ ବାଲିଷ୍ଟିକ୍ ମିସାଇଲ୍ ଉତକ୍ଷେପଣ କରାଯାଇପାରିବ ।

ଇରାନକୁ ଡର

ବନ୍ଧୁକରୁ ଗୁଳି ଚାଳନା କଲା ଭଳି ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ ହୋଇଥାଏ । ଏହା ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ । କିଛି ସମୟ ଦ୍ରୁତ ଗତିରେ ଗଲା ପରେ ଏହା ବାଲିଷ୍ଟିକ୍ ମିସାଇଲରେ ପରିଣତ ହୁଏ । ଯାହା ଅଧିକ ଘାତକ ହୋଇଯାଏ । ତେଣୁ ଅନେକ ୟୁରୋପୀୟ ଦେଶ ଇରାନର ଯୁଦ୍ଧର ନୂଆ ତରିକାକୁ ନେଇ ଭୟରେ ଅଛନ୍ତି ।

ଇରାନର ସନ୍ଦେଶ

ଡିଏଗା ଗାର୍ସିଆରେ ଆମେରିକାର ୨୫୦୦ଜଣ ଯବାନ ରହିଛନ୍ତି । ଏଠାରୁ ମଧ୍ୟପ୍ରାଚ୍ୟରେ ଆମେରିକା ଅନେକ ସିକ୍ୟୁରିଟି ଅପରେସନ୍ କରିଥାଏ । ପ୍ରଥମେ ଏହି ଜାଗାକୁ ବ୍ରିଟେନ୍ ଆମେରିକା ଏବଂ ଇସ୍ରାଏଲକୁ ଇରାନ ବିରୋଧରେ ବ୍ୟବହାର ନେଇ ଅନୁମତି ଦେଇନଥିଲା । କିନ୍ତୁ ପରେ ଏଠାରେ ଆମେରିକାର ବମ୍ବର୍ସ ଉଡିଥିଲା । ଯାହାକୁ ନେଇ ଇରାନ୍ ବୈଦେଶିକ ମନ୍ତ୍ରୀ ବ୍ରିଟେନକୁ ଚେତାଇ ଦେଇଥିଲେ । ସେତେବେଳେ ବ୍ରିଟେନ୍ ଉପରେ ଇରାନ ଆକ୍ରମଣ କରିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲା । କିନ୍ତୁ ଡିଏଗା ଗାର୍ସିଆ ଉପରେ ଆକ୍ରମଣ କରି ଇରାନ ବଡ ସନ୍ଦେଶ ଦେଇଛି । ତେହେରାନ ଉପରେ ବିପଦ ସୃଷ୍ଟି କରୁଥିବା ଦେଶ ଯେତେ ଦୂରରେ ଥିଲେ ବି ଇରାନ ଟାର୍ଗେଟ୍ କରିପାରିବ ବୋଲି ଏବେ ସ୍ପଷ୍ଟ ଜଣାପଡିଛି ।