ରିୟାଦ, ୦ /୦୩: ଦିନକୁ ଦିନ ଭୟଙ୍କର ହେଉଛି ଯୁଦ୍ଧ । ଇରାନ ଉପରେ ଆକ୍ରମଣ ପରେ ତେହେରାନ କାହାରିକୁ ଛାଡୁ ନାହିଁ । ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଆକ୍ରମଣ କରୁଛି । ସୋମବାର ବିଳମ୍ବିତ ରାତିରେ ସାଉଦି ଆରବରେ ଥିବା ଆମେରିକାର ଦୂତାବାସ ଉପରେ ଆକ୍ରମଣ ହୋଇଛି । ଦୁତାବାସ ଉପରେ ତେହେରାନ ପକ୍ଷରୁ ଡ୍ରୋନ୍ ଯୋଗେ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଛି ।

ରୟଟର୍ସର ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତିରେ ହଠାତ ସାଉଦିର ରିୟାଦରେ ଥିବା ଆମେରିକାର ଦୂତାବାସ ଉପରେ ଇରାନ ଆକ୍ରମଣ କରିଥିଲା । ଦୁଇରୁ ତିନୋଟି ଡ୍ରୋନ୍ ଦ୍ୱାରା ଦୂତାବାସ କାର୍ଯ୍ୟାଳୟରେ ଆଟାକ୍ କରାଯାଇଛି । ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି । ଚାରିଆଡେ କଳାଧୂଆଁର ଆସ୍ତରଣ ଦେଖାଦେଇଛି ।

ସାଉଦିର ପ୍ରତିରକ୍ଷା ବିଭାଗ କହିଛି ଯେ, ରିୟାଦରେ ଥିବା ଆମେରିକୀୟ ଦୂତାବାସ ଆକ୍ରମଣର ଶିକାର ହୋଇଛି । ଦୁଇଟି ଡ୍ରୋନ୍ ଦ୍ୱାରା ଏହା ଉପରେ ଆକ୍ରମଣ ହୋଇଛି । ଫଳରେ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ଯାହାପରେ ଅଧିକାରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଟ୍ରମ୍ପଙ୍କ ଧମକ

ଇରାନ ପଛକୁ ହଟୁନି । ଏହା ମଧ୍ୟରେ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସେ କହିଛନ୍ତି ଯେ, ଇରାନ ଯାହା କରୁଛି ଠିକ୍ ହେବ ନାହିଁ । କେମିତି ପ୍ରତି ଆକ୍ରମଣ କରାଯାଏ ତାହା ଆମେରିକା ବିଶ୍ୱକୁ ଦେଖାଇଦେବ । ୟୁଏସ ଦୂତାବାସକୁ ଆକ୍ରମଣ କରାଯିବା ପରେ ଟ୍ରମ୍ପ୍ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ ଏବଂ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ବୋମା ବର୍ଷା କରିବା ସହ ଜଣଙ୍କ ପରେ ଜଣେ ଟପ୍ ନେତାଙ୍କୁ ନିପାତ କରୁଛନ୍ତି ।