ନୂଆଦିଲ୍ଲୀ: ଶେଷ ହେବ ହର୍ମୁଜ ଟେନସନ । ଇରାନ ଏବଂ ଓମାନ ନୂଆ ସାମୁଦ୍ରିକ ପଥ ନେଇ କରୁଛନ୍ତି ଆଲୋଚନା । ଟ୍ରାଫିକ କଣ୍ଟ୍ରୋଲ ଏବଂ ସର୍ଭିସ ଫି’ ନେଇ ଦୁଇ ଦେଶ ମଧ୍ୟରେ ଚାଲିଛି ଘନ ଘନ ବୈଠକ । ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦାବି କରାଯାଉଛି । ଯଦି ଏହି ବୁଝାମଣା ବାସ୍ତବର ରୂପ ନିଏ, ଚୂଡାନ୍ତ ହୁଏ ତେବେ ଆମେରିକାର ଦଖଲରେ ନଥିବା ଅଞ୍ଚଳକୁ ସିପିଂ ପାଇଁ ଖୋଲିଦିଆଯିବ । ଏହି ନୂଆ ମାର୍ଗରେ ଯିବାକୁ ଥିବା ଜାହାଜଗୁଡିକ ଉପରେ ଇରାନ ଏବଂ ଓମାନର ରହିବ କଡା ନଜର । ଇରାନର କହିବା କଥା କୌଣସି ଜାହାଜ ତେହରାନର ବିନା ଅନୁମିତିରେ ହର୍ମୁଜ ପାର କରିପାରିବନି । ତେବେ ଏହି ପଥରେ ସୁରକ୍ଷାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି ।

ଓମାନ ସହ ଏହି ଡିଲ ବାସ୍ତବର ରୂପ ନିଏ ହର୍ମୁଜ ପାର୍ କରିବା ପାଇଁ ଏଣିକି ଜାହାଜଗୁଡିକୁ ଦେବାକୁ ପଡିବ ଟିକସ । ଏହି ବୁଝାମଣାର ଏବେ ଫାଇନାଲ ଡ୍ରାଫ୍ଟ ଲେଖାଯାଉଛି । ଏହି ଡିଲ୍ ବାସ୍ତବ ରୂପ ନେଲେ ଲାଗୁ ହେଲେ କେବଳ ମଧ୍ୟପ୍ରାଚ୍ୟ ନୁହଁ, ସାରା ବିଶ୍ବରେ ଏହାର ପ୍ରଭାବ ପଡିବ । କେବଳ ସମୁଦ୍ରରେ ଯାତାୟାତ ନୁହଁ, ବିଶ୍ବ ତୈଳ ବଜାର ଏବଂ ମଧ୍ୟପ୍ରାଚ୍ୟରେ ଶକ୍ତି ସନ୍ତୁଳନ ମଧ୍ୟ ବଦଳିଯାଇପାରେ । ଦୀର୍ଘ ୬ ମାସ ଧରି ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ। ଯୁଦ୍ଧ ଘନଘଟା ଯୋଗୁ ହର୍ମୁଜରେ ଲାଗିରହିଛି ଉତ୍ତେଜନା। ଉଭୟ ଆମେରିକା ଏବଂ ଇରାନ ହର୍ମୁଜକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି । କବଜା କରିବାକୁ ଚାହୁଁଛନ୍ତି । ତେବେ କିଏ କାହାକୁ ଏଥିରେ ଦେଉଛି ମାତ୍ ତାରି ଉପରେ ରହିଛି ସାରା ବିଶ୍ବର ନଜର ।

ଏବେ ଏହି ପ୍ରସଙ୍ଗର ସବୁଠୁ ବଡ଼ ଅପଡେଟ୍ ଏହା ଯେ ଏହି ଡିଲ ଅନୁଯାୟୀ ହର୍ମୁଜ ଉପରେ ଇରାନର ରହିବ ଦବଦବା । କାରଣ ହର୍ମୁଜ ଦେଇ ଆସିବା ଏବଂ ଯିବା ଉଭୟ ଯାତ୍ରାରେ ଜାହାଜଗୁଡିକୁ ଇରାନୀ ଜଳସୀମା ଦେଇ ଯିବାକୁ ପଡିବ । ଏମିତି ହେଲେ ଜାହାଜଗୁଡିକରୁ ମୋଟା ଅଙ୍କର ଟିକସ ଅସୁଲ ଅଧିକାର ଇରାନକୁ ମିଳିପାରେ । ୭ ପ୍ରତିଶତ ଟିକସ ଅସୁଲ ଚାହୁଁଛି ଇରାନ । କିନ୍ତୁ ୩ ପ୍ରତିଶତ ଟିକସ ପ୍ରସ୍ତାବ ଦେଇଛି ଓମାନ । ଯଦି ଏହି ବୁଝାମଣା ବାସ୍ତବର ରୂପ ନିଏ ତେବେ ଇରାନ ହୋଇଯିବା ମାଲେମାଲ । ମୋଟା ଅଙ୍କର ଅର୍ଥ ତେହରାନର ରାଜକୋଷକୁ ଆସିବ । ଏହି ରିପୋର୍ଟ ଅନୁଯାୟୀ ଇରାନ ଜାହାଜ ଉପରେ ଟିକସ ଲଦି ପ୍ରତିବର୍ଷ ପାଖପାଖି ୧୦୦ ବିଲିୟନ ଡଲାର ଅସୁଲ କରିପାରେ । ଏହା ଏମିତି ଏକ ପଦକ୍ଷେପ ହୋଇପାରେ ଯାହା ଭୂ-ରାଜନୈତିକ ଉତ୍ତେଜନା ବଢାଇଦେଇପାରେ ।

ହର୍ମୁଜ ନେଇ ଇରାନ ଏବଂ ଓମାନ ମଧ୍ୟରେ ଡିଲ ଚୂଡାନ୍ତ ହେଲେ ମଧ୍ୟ ଏହି ଅଞ୍ଚଳକୁ ସୁରକ୍ଷିତ ବୋଲି କୁହାଯାଇପାରିବନି । ଇରାନ କହିଛି ଏହି ନୂଆ ସାମୁଦ୍ରିକ ପଥ ଅସ୍ଥାୟୀ । ଏହା ୨ରୁ ୪ମାସ ପର୍ଯ୍ୟନ୍ତ ଖୋଲା ରହିବ । କାରଣ ଏବେବି ଇରାନର ବନ୍ଦରଗୁଡିକ ଉପରେ ଆମେରିକା ନୌସେନାର ଘେରାବନ୍ଦୀ କାଏମ ରହିଛି । ଆମେରିକାର ଆକ୍ରମକ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ କଟକଣା ଇରାନର ସାମୁଦ୍ରିକ ପଥ ଦେଇ କାରବାରକୁ ପ୍ରଭାବିତ କରିଛି । ଇରାନ ଏବଂ ଓମାନ ମଧ୍ୟରେ ପ୍ରସ୍ତାବିତ ଡିଲ ନେଇ ଆମେରିକାର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି । ତେବେ ଆମେରିକା କହିଛି ଯଦି ଇରାନ ହର୍ମୁଜକୁ ଖୁବଶୀଘ୍ର ମୁକ୍ତ ନ କରେ ତେବେ ଆଗକୁ ଭୟଙ୍କର ପରିଣାମ ଭୋଗିବ । ତେବେ ଇରାନ ସ୍ପଷ୍ଟ ଭାବେ କହିଛି ଆମେରିକା ସହ କୌଣସି ବୁଝାମଣା କରାଯାଉନି । କରାଯିବାର କୌଣସି ପ୍ଲାନ ମଧ୍ୟ ନାହିଁ । ତେବେ ଏହି ଡିଲ୍ ନେଇ ଇରାନ କହିଛି ଏହା ସେତେବେଳେ ସମ୍ଭବ ଯେତେବେଳ ତୃତୀୟ ପକ୍ଷ ଏଥିରେ ମୁଣ୍ଡ ଖେଳାଇବେନି । ଦେଖିବା ବାକି ରହିଲା ଟ୍ରମ୍ପ ମୁଣ୍ଡ ନୁଆଁଇବେ ନା ଇରାନ-ଓମାନ ।