କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ନୂଆ ସରକାରର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସୋମବାର (ଜୁନ୍ ୧) ଅନୁଷ୍ଠିତ ହୋଇଛି। ରାଜଭବନଠାରେ ଆୟୋଜିତ ଏକ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଆର.ଏନ. ରବି ୩୫ ଜଣ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ନୂତନ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଅଶୋକ ଡିଣ୍ଡା। କ୍ରିକେଟ୍ ପିଚ୍ରୁ ରାଜନୀତିର ମଇଦାନକୁ ଓହ୍ଲାଇଥିବା ଡିଣ୍ଡା ଏବେ ପଶ୍ଚିମବଙ୍ଗ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

କ୍ରିକେଟ୍ ପିଚରୁ ରାଜନୈତିକ କରିଡର

୨୦୨୧ ଫେବୃଆରୀ ମାସରେ କ୍ରିକେଟରୁ ଅବସର ନେବା ପରେ ଅଶୋକ ଡିଣ୍ଡା ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ନିଜର ଆକ୍ରମଣାତ୍ମକ ବୋଲିଂ ଶୈଳୀକୁ ରାଜନୀତିରେ ମଧ୍ୟ ବଜାୟ ରଖିଛନ୍ତି, ଯାହାର ପରିଣାମ ସ୍ୱରୂପ ସେ ଆଜି ମନ୍ତ୍ରୀ ପଦ ପାଇଛନ୍ତି। ୪୨ ବର୍ଷୀୟ କ୍ରିକେଟ୍ ତାରକା ଅଶୋକ ଡିଣ୍ଡା ପଶ୍ଚିମବଙ୍ଗର ମୋଇନା (Moyna) ବିଧାନସଭା ଆସନରୁ ବିଜେପି ଟିକେଟ୍ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ।

୨୦୨୬ ନିର୍ବାଚନରେ ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୃଣମୂଳ କଂଗ୍ରେସ (TMC) ର ଚନ୍ଦନ ମଣ୍ଡଳଙ୍କୁ ୧୬,୨୪୧ ଭୋଟ୍ ବ୍ୟବଧାନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏହାପୂର୍ବରୁ ୨୦୨୧ରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ଟିଏମସିର ସଂଗ୍ରାମ ଦୋଲୁଇଙ୍କୁ ୧,୨୬୦ ଭୋ ଏକ ସ୍ୱଳ୍ପ ବ୍ୟବଧାନରେ ହରାଇଥିଲେ। ଏହି କ୍ରମାଗତ ସଫଳତା ଯୋଗୁଁ ସେ ପଶ୍ଚିମବଙ୍ଗ ବିଜେପିର ଜଣେ ପ୍ରଭାବଶାଳୀ ଏବଂ ବିଶ୍ୱାସଯୋଗ୍ୟ ଜନନେତା ଭାବେ ଉଭା ହୋଇଛନ୍ତି।

କ୍ରିକେଟରେ ଅଶୋକ ଡିଣ୍ଡାଙ୍କ ପ୍ରଦର୍ଶନ

ରାଜନୀତିକୁ ଆସିବା ପୂର୍ବରୁ ଅଶୋକ ଡିଣ୍ଡା ଭାରତୀୟ କ୍ରିକେଟ୍ ଦଳର ଜଣେ ପ୍ରମୁଖ ଦ୍ରୁତ ବୋଲର ଥିଲେ। ଡିସେମ୍ବର ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ସେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଭାରତ ପାଇଁ ୧୩ଟି ଦିନିକିଆ ମ୍ୟାଚ୍ ଖେଳି ସେ ୧୨ଟି ଓ୍ବିକେଟ୍ ନେଇଛନ୍ତି। ୯ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ରେ ସେ ୧୭ଟି ଓ୍ବିକେଟ୍ ହାସଲ କରିଛନ୍ତି। ସେ ପ୍ରାୟ ଏକ ଦଶନ୍ଧି ଧରି ରଣଜୀ ଟ୍ରଫିରେ ପଶ୍ଚିମବଙ୍ଗ ଦଳର ମୁଖ୍ୟ ଦ୍ରୁତ ବୋଲର ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଆଇପିଏଲ୍ (IPL) କ୍ୟାରିୟର

ଅଶୋକ ଡିଣ୍ଡା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ମଧ୍ୟ ବେଶ୍ ସଫଳ ରହିଛନ୍ତି। ସେ ମୋଟ ୭୮ଟି ଆଇପିଏଲ୍ ମ୍ୟାଚ୍ ଖେଳି ୬୯ଟି ଓ୍ବିକେଟ ଅକ୍ତିଆର କରିଛନ୍ତି। ନିଜ କ୍ୟାରିୟରରେ ସେ ଅନେକ ବଡ଼ ବଡ଼ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ (KKR), ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB), ଦିଲ୍ଲୀ କ୍ୟାପିଟାଲ୍ସ (DC),ପୁନେ ୱାରିୟର୍ସ ଇଣ୍ଡିଆ (PWI) ଏବଂ ରାଇଜିଂ ପୁନେ ସୁପରଜାଏଣ୍ଟସ୍ (RPS) ପାଇଁ ଖେଳିଛନ୍ତି ।

ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳ

ନବାନ୍ନ (ପଶ୍ଚିମବଙ୍ଗ ସଚିବାଳୟ) ରେ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ୭ ଜଣ ପ୍ରଭାବଶାଳୀ ବିଧାୟକଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଛି। ୩ ଜଣ ବିଧାୟକ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ଅଶୋକ ଡିଣ୍ଡାଙ୍କ ସମେତ ୧୯ ଜଣ ବିଧାୟକ ରାଷ୍ଟ୍ରମନ୍ତ୍ରୀ (MoS) ଭାବେ ଶପଥ ନେଇଛନ୍ତି। ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ଖେଳପଡ଼ିଆର ସେହି ଜୋସ୍ ଏବଂ ଆକ୍ରମଣାତ୍ମକ ମନୋଭାବକୁ ଡିଣ୍ଡା ଏବେ ପଶ୍ଚିମବଙ୍ଗର ବିକାଶ ଏବଂ ରାଜନୈତିକ କଲ୍ୟାଣ ପାଇଁ ବ୍ୟବହାର କରିବେ ।