MI vs CSK: ଆଇପିଏଲର ୪୪ତମ ମ୍ୟାଚରେ ବି ବ୍ୟାଟିଂରେ ସଂଘର୍ଷ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ବହୁ କଷ୍ଟରେ ୭ ଓ୍ଵିକେଟ୍ ହରାଇ ୧୫୯ ରନ କରି ପାରିଛି। ନମନ ଧୀର ସର୍ବାଧିକ ୫୭ ରନ କରିଥିନା ବେଳେ ରିୟାନ ରିକଲଟନ ୩୭ ରନ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମୁଖରେ ରହିଛି ୧୬୦ ରନର ସହଜ ବିଜୟ ଲକ୍ଷ୍ୟ। ବୋଲିଂରେ ଅଂଶୁଲ କମ୍ବୋଜ ୩ଟି ଓ ନୂର ଅହମ୍ମଦ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ମୁମ୍ବାଇ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍ ହାରିଲେ ଦଳ ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡ଼ିବ।

​​​​​​​ଫ୍ଲପ୍ ମାରିଲେ ଷ୍ଟାର ବ୍ୟାଟର

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଆରମ୍ଭ ନିରାଶଜନକ ଥିଲା। ଓ୍ଵିଲ ଜ୍ୟାକ୍ସ ୫ ବଲରୁ ମାତ୍ର ଏକ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରିୟାନ ରିକଲଟନ  ଓ ନମନ ଧୀର ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୮ ରନ ଯୋଡ଼ିଥିଲେ। ନମନ ଧୀର (୫୭ ରନ୍, ୩୭ ବଲ୍) ଏବଂ ରିୟାନ ରିକଲଟନ (୩୭ ରନ୍) କିଛି ସମୟ ଲଢ଼େଇ କରିଥିଲେ। ହେଲେ ଦଳର ଦୁଇ ପ୍ରମୁଖ ବ୍ୟାଟର ସୂର୍ଯ୍ୟକୁମାର ଯାଦବ (୨୧) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୧୮) ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଦୁଇ ବ୍ୟାଟର ଦଳକୁ ନିରାଶ କରିଥିଲେ। ଫଳରେ ପୂରା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୫୯ ରନ୍ କରିବାକୁ ସକ୍ଷମ ହୋଇଛି।

Also Read: ଟି-୨୦ ବିଶ୍ବକପ୍‌ ଲାଗି ମହିଳା ଟିମ୍ ଘୋଷଣା, ବାଦ୍ ପଡ଼ିଲେ ପ୍ରତିକା ରାଓ୍ବଲ

ଚମକିଲେ ଅଂଶୁଲ କମ୍ବୋଜ

ଚେନ୍ନାଇ ପକ୍ଷରୁ ଯୁବ ବୋଲର ଅଂଶୁଲ କମ୍ବୋଜ ଶାଣିତ ବୋଲିଂ କରି ମୁମ୍ବାଇ ବ୍ୟାଟରଙ୍କୁ ଅତିଷ୍ଠ କରିଥିଲେ। ସେ ୪ ଓଭରରେ ୩୨ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଛନ୍ତି। ଜେମି ଓଭରଟନ ମଧ୍ୟ ମାପଚୁପ ବୋଲିଂ କରି ଗୋଟିଏ ୱିକେଟ୍ ଅକ୍ତିଆର କରିଥିବା ବେଳେ ନୂର ଅହମ୍ମଦ ଓ ମୁକେଶ ଚୌଧୁରୀ ପ୍ରଭାବଶାଳୀ ବୋଲିଂ କରିଥିଲେ।

ପ୍ଲେ-ଅଫ୍ ଆଶା ମଉଳୁଛି !

ମୁମ୍ବାଇ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଜରୁରୀ। ଯଦି ଆଜି ମୁମ୍ବାଇ ହାରିଯାଏ, ତେବେ ୯ଟି ମ୍ୟାଚରୁ ଦଳର ମାତ୍ର ୪ ପଏଣ୍ଟ ରହିବ। ଏଭଳି ସ୍ଥିତିରେ ବାକି ଥିବା ୫ଟି ଯାକ ମ୍ୟାଚ୍ ଜିତିଲେ ମଧ୍ୟ ମୁମ୍ବାଇ ମାତ୍ର ୧୪ ପଏଣ୍ଟ ପାଇବ, ଯାହା ପ୍ଲେ-ଅଫ୍ ଦୌଡ଼ରେ ରହିବା ପାଇଁ ଯଥେଷ୍ଟ ନୁହେଁ।