ଅହମ୍ମଦାବାଦ: ଜାସନ ହୋଲଡରଙ୍କ ଘାତକ ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ପୁ ଥରେ ନିଜର ବିଜୟ ଅଭିଯାନ ଜାରି ରଖିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ହାଇ-ଭୋଲଟେଜ୍ ମ୍ୟାଚରେ ଗୁଜରାଟ ୪ ୱିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି। ଶେଷ ଓଭରରେ ୱାଶିଂଟନ ସୁନ୍ଦର ଛକା ମାରି ଦଳକୁ ଏହି ସ୍ମରଣୀୟ ବିଜୟ ଆଣିଦେଇଛି। ଅନ୍ୟପଟେ ପଞ୍ଜାବ କ୍ରମାଗତ ୬ଟି ମ୍ୟାଚ୍ ଜିତିବା ପରେ ଲଗାତାର ୨ଟି ମ୍ୟାଚରେ ପରାଜିତ ହୋଇଛି।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସୂର୍ଯ୍ୟାଂଶ ଶେଜ ୫୭ ରନ ଓ ମାର୍କସ ଷ୍ଟୋଇନିସ ୪୦ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୬୩ ରନ କରିଥିଲା। ଜବାବରେ ଗୁଜରାଟ ୧୯.୫ ଓଭରରେ ୬ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ସାଇ ସୁଦର୍ଶନ ୫୭ ରନର ଇନିଂସ ଖେଳିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ୪୦ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି।

ସୁଦର୍ଶନ ଓ ସୁନ୍ଦରଙ୍କ ଚମତ୍କାର ପ୍ରଦର୍ଶନ

୧୬୪ ରନ୍ର ପିଛା କରୁଥିବା ଗୁଜରାଟ ଶୀଘ୍ର ଅଧିନାୟକ ଶୁଭମନ ଗିଲ୍ଙ୍କ ୱିକେଟ୍ ହରାଇଥିଲା। ତଥାପି, ସାଇ ସୁଦର୍ଶନ ଏବଂ ଜୋସ୍ ବଟଲର୍ (୨୬) ଅର୍ଦ୍ଧଶତକୀୟ ଭାଗୀଦାରି କରି ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଥିଲେ। ସାଇ ସୁଦର୍ଶନ (୫୭ ରନ୍) ଜରିଦାର ବ୍ୟାଟିଂ କରି ଦଳକୁ ବିଜୟ ପଥରେ ରଖିଥିଲେ। ହେଲେ ପଞ୍ଜାବ ସୁଦର୍ଶନଙ୍କସ ସମେତ କିଛି ୱିକେଟ୍ ନେଇ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ୱାଶିଂଟନ୍ ସୁନ୍ଦର ଅନ୍ୟ ପାର୍ଶ୍ୱରେ ଦୃଢ଼ ଭାବରେ ଖେଳିଥିଲେ। ସୁଦର୍ଶନ ୪୧ ବଲରୁ ୫୭ ରନର ଇନିଂସ ଖେଳିଥିଲେ।

ମ୍ୟାଚ୍ ରୋମାଞ୍ଚକର ରୂପ ନେଇଥିଲା। ଶେଷ ଓଭରରେ ଜିତିବା ପାଇଁ ୧୧ ରନ୍ ଆବଶ୍ୟକ ଥିବା ବେଳେ ୱାଶିଂଟନ ସୁନ୍ଦର ୫ମ ବଲ୍ରେ ଛକା ମାରି ମ୍ୟାଚ୍ ଜିତାଇଥିଲେ। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ଓ ବୈଶାକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।