ଛତ୍ରପୁର: ଛତ୍ରପୁର ମୁଖ୍ୟ ରାସ୍ତାର କ୍ରାନ୍ତି ଷ୍ଟୋର ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ କେବୁଲ୍ ତାରରେ ହଠାତ୍ ଶନିବାର ରାତିରେ ନିଆଁ ଲାଗିଯାଇଥିଲା। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା, ତାହା ଜଣାପଡ଼ିନାହିଁ।

ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଉଭୟ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ବିଦ୍ୟୁତ କଟା ଯିବା ପରେ ଅଗ୍ନିଶମ କର୍ମଚାରୀମାନେ କେବୁଲ ତାର ଉପରେ ପାଣି ସ୍ପ୍ରେ କରି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ | ବିଦ୍ୟୁତ୍ ବିଭାଗୀୟ କର୍ମଚାରୀମାନେ ଅଗ୍ନିକାଣ୍ଡର କାରଣ ଅନୁଧ୍ୟାନ କରିଥିଲେ।

ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ବନ୍ଦ ରଖାଯାଇଥିଲା। ସେପଟେ ଘଟଣାକୁ ଦେଖିବା ପାଇଁ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା। ତେବେ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗ ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିଲା। ଏପରିକି ଉକ୍ତ ଖୁଣ୍ଟିରେ ବହୁ ଟିଭି କେବୁଲ ମଧ୍ୟ୍ୟ ଛନ୍ଦି ହୋଇ ରହିଛି।