ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଏକ ବାଇକ୍କୁ ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କାହ୍ନା ସରଭଙ୍ଗ ଓ ବିନୋଦ ବାରିକ। ଉଭୟଙ୍କ ଘର ବଲାଙ୍ଗିର ଜିଲ୍ଲାର ତରଭା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଉଭୟ କୌଣସି କାମରେ ବଲାଙ୍ଗିର ଆସୁଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍ ପଛପଟୁ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ଦୁର୍ଘଟଣାରେ ଉଭୟ ଗୁରୁତର ହୋଇପଡ଼ିଥିଲେ।

ଖବର ପାଇ ପୁଇଁତଳା ପୁଲିସ ଓ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବିନୋଦ ବାରିକ ଏକ ଡାକ୍ତରଖାନାର କର୍ମଚାରୀ ଥିବା ଜଣାପଡ଼ିଛି। 

Also Read: ରାତିରେ ଚୋରି, ଦିନରେ ନିଶା କାରବାର : ବଲାଙ୍ଗିରରେ ବଢ଼ୁଛି ଅପରାଧ

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ପୁଇଁତଳା ପୁଲିସ ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି। ଅନ୍ୟପଟେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଓ କିପରି ଘଟିଲା, ସେନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି। ଦୁଇ ଜଣଙ୍କ ଅକାଳ ବିୟୋଗରେ ତରଭା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।