DC vs PBKS: ଅରୁଣ ଜେଟଲୀ ଷ୍ଟାଡିୟମରେ କେଏଲ ରାହୁଲ ଝଡ଼। ତାଙ୍କର ବିସ୍ଫୋରକ ବ୍ୟାଟିଂରେ ଦୁଲୁକିଲା ଷ୍ଟାଡିୟମ। କେଏଲ ରାହୁଲଙ୍କ ଧୂଆଁଧାର ଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୩ ଓ୍ଵିକେଟ୍ ହରାଇ ୨୬୪ ରନ ବିଶାଳ ସ୍କୋର କରିଛି। କେଏଲ ରାହୁଲ ୬୭ ବଲରୁ ୧୫୨ ରନର ଧମାକାଦାର ଇନିଂସ ଖେଳିଛନ୍ତି। ପ୍ରଥମ ଭାରତୀୟ ବ୍ୟାଟର ଭାବେ କେଏଲ ରାହୁଲ ୧୫୦ କିମ୍ବା ତଦୁର୍ଦ୍ଧ୍ଵ ରନ କରିଛନ୍ତି। ଏହା ସହିତ ଦିଲ୍ଲୀ ଆଇପିଏଲ୍ ଇତିହାସରେ ଚତୁର୍ଥ ସର୍ବାଧିକ ସ୍କୋର କରିଛି। ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ରହିଛି ୨୬୫ ରନର ବିଜୟ ଲକ୍ଷ୍ୟ।

ଟସ୍ ଜିତି ଦିଲ୍ଲୀ ଅଧିନାୟକ ଅକ୍ଷର ପଟେଲ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଅଧିନାୟକଙ୍କ ନିଷ୍ପତ୍ତି ସଠିକ୍ ସାବ୍ୟସ୍ତ କରିଥିଲେ ଦିଲ୍ଲୀ ବ୍ୟାଟର। ପଥୁମ ନିଶଙ୍କା(୧୧ ରନ) କିଛି ଖାସ କରି ପାରି ନ ଥିଲେ। ଅର୍ଶଦୀପ ସିଂ ତାଙ୍କୁ ତୃତୀୟ ଓଭରରେ ଆଉଟ୍ କରିଥିଲେ। ମାତ୍ର ଏହା ପରେ ପଞ୍ଜାବ କିଙ୍ଗ୍ସର ବୋଲର ଓ୍ଵିକେଟ୍ ପାଇଁ ଡହଳ ବିକଳ ହୋଇଥିଲେ। କେଏଲ ରାହୁଲ ଧୂଆଁଧାର ବ୍ୟାଟିଂ କରି ପଞ୍ଜାବ ବ୍ୟାଟରଙ୍କ ନିଦ ହଜାଇ ଦେଇଥିଲେ। ସେ ଏବଂ ନୀତିଶ ରାଣା ଚୌକା ଓ ଛକା ବର୍ଷା କରି ୨ୟ ଓ୍ଵିକେଟ୍ ପାଇଁ ରେକର୍ଡ ୨୨୦ ରନର ଭାଗିଦାରୀ କରିଥିଲେ।

୧୫୦ ରନ କରିବାରେ  ପ୍ରଥମ ଭାରତୀୟ

ଆଇପିଏଲ୍ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ କ୍ରିସ ଗେଲଙ୍କ ନାଁରେ ରହିଛି। ଏହି ବାମହାତୀ ବ୍ୟାଟର ୨୦୧୩ରେ ୧୭୫ ରନ କରିଥିଲେ। ଏହା ପୂର୍ବରୁ ଆଇପିଏଲ୍ ଇତିହାସର ପ୍ରଥମ ମ୍ୟାଚରେ ହିଁ ବ୍ରେଣ୍ଡନ ମ୍ୟାକକୁଲମ ୧୫୮ ରନ କରିଥିଲେ। ହେଲେ ପ୍ରଥମ ଭାରତୀୟ ବ୍ୟାଟର ଭାବେ ରାହୁଲ ୧୫୦ରୁ ଉର୍ଦ୍ଧ୍ଵ ସ୍କୋର କରିଛନ୍ତି। ରାହୁଲ ୬୭ ବଲରେ ୨୨୬ ଷ୍ଟ୍ରାଇକ ରେଟରେ ୧୫୨ ରନ କରିଛନ୍ତି। ଏଥିରେ ୯ ଛକା ଓ ୧୬ ଚୌକା ସାମିଲ୍।

ନୀତିଶ ରାଣା ମଧ୍ୟ ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି ୪୪ ବଲରୁ ୯୧ ରନ କରିଥିଲେ। ତାଙ୍କର ଏହି ଇନିଂସରେ ୪ ଛକା ଓ ୧୧ ଚୌକା ସାମିଲ୍। ୧୯ତମ ଓଭରରେ ହିଁ ରାଣାଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ ଜାଭିଏର ବାର୍ଟଲେଟ୍.

ଆଇପିଏଲ୍ ଇତିହାସରେ ଚତୁର୍ଥ ବଡ଼ ସ୍କୋର

ଆଇପିଏଲରେ ସବୁଠୁ ବଡ଼ ସ୍କୋର କରିବାର ରେକର୍ଡ ସନରାଇଜର୍ସ ହାଇଦ୍ରାବାଦ ନାଁରେ ରହିଛି। ଏସଆରଏଚ ୨୦୨୪ରେ ଆରସିବି ବିପକ୍ଷରେ ୨୮୭ ରନ କରିଥିଲା। ଆଜି ଦିଲ୍ଲୀ ଚତୁର୍ଥ ବଡ଼ ସ୍କୋର କରିଛି।  ଦ୍ବିତୀୟ ଓ ତୃତୀୟ ସର୍ବାଧିକ ରନର ରେକର୍ଡ ମଧ୍ୟ ହାଇଦ୍ରାବାଦ ନାଁରେ ରହିଛି।