ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ର ବୀଜ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ରବିବାର ଭୁବନେଶ୍ୱର ଉପକଣ୍ଠ ଭୋଳା ଗ୍ରାମରେ ଏହି ଅଂଚଳର ପ୍ରାୟ ୭୦ଜଣ ଚାଷୀଙ୍କ ଉପସ୍ଥିତିରେ ଆନ୍ତଜାର୍ତିକ ବିହନ ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ମୁଖ୍ୟ ପୁରୋଧା ଭାବେ ଉପସ୍ଥିତ ଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଡ.ଦେବରାଜ ଲେଙ୍କା, ସମ୍ମାନିତ ଅତିଥି ପ୍ରଫେସର ସରୋଜ କୁମାର ମହାନ୍ତି ଏବଂ ମୁଖ୍ୟବକ୍ତା ପ୍ରଫେସର ରବି କୁମାର ପଟ୍ଟନାୟକ କୃଷକମାନଙ୍କୁ ଉନ୍ନତ ବିହନର ଉପାଦେୟତା, ଗୁଣବତା ବୃଦ୍ଧି ପ୍ରକ୍ରିୟା ଓ ସଂରକ୍ଷଣ ବିଷୟରେ ବୁଝାଇଥିଲେ ।

ଶିକ୍ଷାନୁଷ୍ଠାନର କୃଷି ସଂପ୍ରସାରଣ ବିଭାଗର ମୁଖ୍ୟ ପ୍ରଫେସର ବିବୁଧ ପରାଶର, କୀଟତତ୍ୱ ବିଭାଗର ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଓ ସହକାରୀ ଅଧ୍ୟାପକ ଡ. ସାଇ ଟିମାରାଓ ଉପସ୍ଥିତ ରହି କୃଷକ ମାନଙ୍କର ଫସଲ ଉତ୍ପାଦନରେ ଥିବା ସମସ୍ୟା ଓ ତାର ନିରାକରଣ ଉପାୟ ବିଷୟରେ ବୁଝାଇଥିଲେ। ବୀଜ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର କାର୍ଯ୍ୟକାରୀ ବିଭାଗୀୟ ମୁଖ୍ୟ ଡ. ଏସ୍.ପି ମୋନାଲିସା ଓ ସହକାରୀ ଅଧ୍ୟାପକ ଡ. ରାମକୃଷ୍ଣ ବସ୍ତିଆ, ଡ. ଚିରଞ୍ଜୀବୀ କୁଲକର୍ଣ୍ଣୀ ଓ ଡ.ସ୍ୱସ୍ତିଦୀପା ସାହୁ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସଭା ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ କଂଟାବାଡ ଗ୍ରାମ ପଂଚାୟତର ସମିତି ସଭ୍ୟା ସସ୍ମିତା ବେହେରା ଉପସ୍ଥିତ ରହି କୃଷକମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମର ଦୁଇଜଣ ସଫଳ ଚାଷୀ ଶ୍ରୀମତି ଊଷା ଜଟ ଓ ଶ୍ରୀ କୁଳମଣି ଦାସ, କୃଷକ ସାଥି ଶ୍ରୀ ସଏଦ୍ ମହମ୍ମଦ ଓ ଶ୍ରୀ ଭାଗ୍ୟଧର ଦାସଙ୍କୁ ସଭାରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ନାତକ ଛାତ୍ରଛାତ୍ରୀମାନେ ବିଭିନ୍ନ ବିହନ ପରୀକ୍ଷା ଓ ସଂରକ୍ଷଣ ପଦ୍ଧତି, ସମନ୍ୱିତ କୀଟ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଥିଲେ ।

ପରିଶେଷରେ ଶିକ୍ଷାନୁଷ୍ଠାନର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଉନ୍ନତ ବିହନର ଆବଶ୍ୟକତା ଉପରେ ଏକ ଛୋଟ ସଚେତନତା ମୂଳକ ନାଟକ ପରିବେଷଣ କରାଯାଇଥିଲା। କୃଷି ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ ଲାଭଦାୟକ ବିହନ ଉତ୍ପାଦନରେ ସହାୟକ ହୋଇପାରିବ।