ଲିସବନ: ଭାରତୀୟ ନୌସେନାର ପାଲ ଟଣା ପ୍ରଶିକ୍ଷଣ ପୋତ ‘ଆଇଏନଏସ୍ ସୁଦର୍ଶିନୀ’ ପର୍ତ୍ତୁଗାଲ ରାଜଧାନୀ ଲିସବନ ପହଞ୍ଚିଛି। ‘ଲୋକାୟନ-୨୦୨୬’ ଅଭିଯାନରେ ୩ଟି ମାସ୍ତୁଲ ଥିବା ଏହି ଜାହାଜ ଦୀର୍ଘ ଯାତ୍ରାରେ ଟ୍ୟାଗସ୍ ନଦୀ ଦେଇ ଲିସବନକୁ ପହଞ୍ଚିଛି। ଏହି ଅବସରରେ ପାରମ୍ପରିକ ନୌକାଯାନ ସାମୁଦ୍ରିକ କୌଶଳର ପ୍ରଭାବୀ ପ୍ରଦର୍ଶନ କରିଛି। ନୌସେନା ଅନୁସାରେ ଆଇନଏନଏସ ସୁଦର୍ଶିନୀର ୭ ମାସ ଦୀର୍ଘ ସାମୁଦ୍ରିକ ଯାତ୍ରାରେ ଲିସବନ ୧୫ତମ ବନ୍ଦର। ଦୀର୍ଘ ସାମୁଦ୍ରିକ ଅଭିଯାନ କାଳରେ ବିଭିନ୍ନ ଦେଶର ବନ୍ଦରକୁ ପହଞ୍ଚି ଭାରତର ସାମୁଦ୍ରିକ ପରମ୍ପରା, ନୌକାଯାନ କୌଶଳ ଓ ବନ୍ଧୁତ୍ୱର ବାର୍ତ୍ତା ଦେଇଛି।

୩ଟି ମାସ୍ତୁଲ ଓ ପାରମ୍ପରିକ ପାଲରେ ସୁସଜ୍ଜିତ ଆଇଏନଏସ ସୁଦର୍ଶିନୀକୁ ଦେଖିଲେ ସମୁଦ୍ର ଯାତ୍ରାର ପ୍ରାଚୀନ ପରମ୍ପରା କଥା ମନେ ପକାଇଦିଏ। ଆଧୁନିକ ନୌସନିକ ଟେକ୍ନୋଲଜିର ସମୟରେ ଏହି ପୋତ ଟ୍ରେନି ନୌସୈନିକଙ୍କୁ ସମୁଦ୍ରର ପରିସ୍ଥିତି ବୁଝେଇବାକୁ ପାରମ୍ପରିକ ନୌକାଯାନ କୌଶଳ ଶିଖିବା ଓ ଆହ୍ୱାନପୂର୍ଣ୍ଣ ସାମୁଦ୍ରିକ ବାତାବରଣରେ କାମ କରିବାର ବ୍ୟବହାରିକ ଅନୁଭବ ପ୍ରଦାନ କରେ। ଆଇଏନଏସ ସୁଦର୍ଶିନୀର ଲିସବନ ଯାତ୍ରା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଦୀର୍ଘ ସମୟରୁ ଚଳି ଆସୁଥିବା ସାମୁଦ୍ରିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ଏକ ଗୁରତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଉଛି। ଏହି ଯାତ୍ରା କାଳରେ ପୋତରେ ମୁତୟନ ନୌସୈନିକ ଅଧିକାରୀ, ଚାଳକ ଦଳ ଓ ପ୍ରଶିକ୍ଷଣ ନେଉଥିବା କ୍ୟାଡେଟ୍ ଏଠାରେ ପର୍ତ୍ତୁଗାଲ ନୌସେନାର ବରିଷ୍ଠ ଅଧିକାରୀ, ସ୍ଥାନୀୟ ପ୍ରଶାସନ ତଥା ଏଠାରେ ବସବାସ କରୁଥିବା ଭାରତୀୟ ସମୂଦାୟ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହି ପର୍ତ୍ତୁଗାଲ ଯାତ୍ରାକାଳର ଅଭିଜ୍ଞତା ଆଦାନ-ପ୍ରଦାନ ମଧ୍ୟ କରାଯିବ। ଉଭୟ ନୌସେନା ମଧ୍ୟରେ ପାରସ୍ପରିକ ଜାହାଜ ନିରୀକ୍ଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସବୁ ଗତିବିଦ୍ଧିର ଉଦ୍ଦେଶ୍ୟ ଉଭୟ ଦେଶର ନୌସେନା ମଧ୍ୟରେ ପାରସ୍ପରିକ ବୋଧ ଓ ସହଯୋଗ ବଢାଇବା। ଉଲ୍ଲେଖଯୋଗ୍ୟ ଯେ ‘ଲୋକୟାନ ୨୦୨୬’ କେବଳ ଏକ ପ୍ରଶିକ୍ଷଣ ଅଭିଯାନ ନୁହେଁ ବରଂ ଏହା ମାଧ୍ୟମରେ ବିଭିନ୍ନ ଦେଶଙ୍କ ସହ ଭାରତ ବନ୍ଧୁତ୍ୱ, ସହଯୋଗ ଓ ସୌହାର୍ଦ୍ଦ୍ୟ ସମ୍ପର୍କକୁ ମଜଭୁତ କରିବାର ବାର୍ତ୍ତା ମଧ୍ୟ ଦେଉଛି। ଲିସବନରେ ଆଇଏନଏସ ସୁଦର୍ଶିନୀର ଉପସ୍ଥିତି ଭାରତ ଓ ପର୍ତ୍ତୃଗାଲ ମଧ୍ୟରେ ସମୁଦ୍ର ସମ୍ପର୍କର ଐତିହ୍ୟକୁ ମଧ୍ୟ ରେଖାଙ୍କିତ କରୁଛି।