ମୁମ୍ବାଇ: ଜୁଲାଇ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ଦ୍ରୁତ ବଢିଛି। ବୁଧବାର ଜାରି ସରକାରୀ ତଥ୍ୟ ଅନୁସାରେ ଖାଦ୍ୟପଦାର୍ଥ ମୂଲ୍ୟବୃଦ୍ଧି କାରଣରୁ ଜୁଲାଇ ୨୦୨୬ରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ଜୁନ ମାସର ୪.୩୮%ରୁ ବଢି ୪.୪୫% ହୋଇଯାଇଛି, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମଧ୍ୟମାବଧି ଟାର୍ଗେଟ୍ କୁ ପାର କରିଯାଇଛି। ମିଡଟର୍ମରେ ଆରବିଆଇ ୪%ର ଟାର୍ଗେଟ ରଖିଥିଲେ। ତେବେ ଜୁଲାଇର ତଥ୍ୟ ମୋଟାମଟି ଆଶାନୁରୂପ ବୋଲି କୁହାଯାଇଛି। କାରଣ ରୟଟର୍ସ ପକ୍ଷରୁ ୪୦ ଜଣ ଇକୋନମିଷ୍ଟଙ୍କ ସର୍ଭେରେ ମୁଦ୍ରାସ୍ପୀତି ୪.୫୦%କୁ ପହଞ୍ଚିବ ବୋଲି ଆକଳନ କରାଯାଇଥିଲା।

କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ସିପିଆଇ)ରେ ମାସ ହିସାବରେ ମୁଦ୍ରାସ୍ଫୀତି ୦.୯% ବୃଦ୍ଧି ହୋଇଛି। ଏଥିରେ ଚଳିତମାସରେ ଫୁଡ ପ୍ରାଇସ ଇଣ୍ଡେକ୍ସ ୨.୧% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଜୁଲାଇ ମାସରେ ଦେଶର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ଦ୍ରୁତ ବଢିଥିଲା। ଜୁନ ମାସର ୪.୭୪% ରୁ ବଢି ୪.୮୪%କୁ ପହଞ୍ଚି ଯାଇଛି। ଏହି ସମୟରେ ସହରାଞ୍ଚଳ ମୁଦ୍ରାସ୍ଫୀତି ୩.୯୩%ରୁ ବଢି ୩.୯୬%କୁ ପହଞ୍ଚିଛି। କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସରେ ଆକଳନ କରାଯାଉଥିବା ଫୁଡ ଇନଫ୍ଲେସନ ଜୁଲାଇରେ ବଢି ୫.୫୨% ହୋଇଯାଇଛି। ଏହା ଜୁନ ମାସରେ ୫.୩୨%ରେ ସୀମିତ ଥିଲା। ଖାଦ୍ୟ ଓ ପେୟ ପଦାର୍ଥ ମୁଦ୍ରାସ୍ଫୀତି ୫.୦୫%ରୁ ବଢି ୫.୨୪% ହୋଇଯାଇଛି।

ଖାଦ୍ୟପଦାର୍ଥରେ ପିଆଜ ଜୁନ ମାସରେ ୪.୭୩% ବଢି ୨୨.୫୪% ହୋଇଯାଇଛି। ସେହିପରି ରସୁଣ ଦର ୧୭.୯୩%ରୁ ବଢି ୩୫.୩୬% ହୋଇଯାଇଛି। ଏହା ଛଡା ଅଦା ମୂଲ୍ୟ ୫୦.୪୧%ରୁ ବଢି ୮୩.୬୨% ହୋଇଯାଇଛି। ତେବେ ଅନ୍ୟ କେତେକ ପନି ପରିବା ମୂଲ୍ୟରେ ହ୍ରାସ ଜାରି ରହିଛି। ଆଳୁ ମୂଲ୍ୟରେ ବାର୍ଷିକ ହାରରେ ୧୬.୫୬% ହ୍ରାସ ଦେଖା ଯାଇଛି। କେବଳ ଆଳୁ ନୁହେଁ କଞ୍ଚା ପରିବା ଟମାଟର ଓ ଭେଣ୍ଡି ମୂଲ୍ୟ ମଧ୍ୟ କମିଛି।

ତେବେ ଅନ୍ୟ ସେକ୍ଟର ଯେପରି ଟ୍ରାନ୍ସପୋର୍ଟ କ୍ଷେତ୍ରରେ ଜୁଲାଇରେ ମୁଦ୍ରାସ୍ଫିତୀ ହାର ଜୁନର ୪.୩୧%ରୁ ବଢି ୪.୪୩% ହୋଇ ଯାଇଛି। ଘର ମୁଦ୍ରାସ୍ପୀତି ୨.୨୨% ବୃଦ୍ଧି ହୋଇଛି, ଏଥିରେ ଗ୍ରାମାଞ୍ଚଳରେ ବାସଗୃହ ମୁଦ୍ରାସ୍ଫୀତି ୨.୮୦ ଓ ସହରାଞ୍ଚଳରେ ୨.୦୧% ବୃଦ୍ଧି ହୋଇଛି। ରେଷ୍ଟୁରାଣ୍ଟ ଓ ଆବାସ ସେବାରେ ୭.୭୨% ମୂଲ୍ୟବୃଦ୍ଧି ରେକର୍ଡ ହୋଇଛି। ସେହିପରି ବସ୍ତ୍ର ଓ ଜୋତା ୩.୩୮% ବୃଦ୍ଧି ହୋଇଛି। ତେବେ ଆରବିଆଇ ପ୍ରଥମ ତ୍ରୈମାସିକରେ ମୁଦ୍ରାସ୍ଫୀତି ୪.୧%, ଦ୍ୱିତୀୟ ତ୍ରୈମାସିକରେ ୪.୭%, ତୃତୀୟ ତ୍ରୈମାସିକରେ ୫.୯ ଓ ଚତୁର୍ଥ ତ୍ରୈମାସିକରେ ୫.୫% ରହିବ ବୋଲି ଆକଳନ କରିଛନ୍ତି। ଏଥିରେ ଶୀର୍ଷ ମୁଦ୍ରାସ୍ଫୀତି ତୃତୀୟ ତ୍ରୈମାସିକରେ ଚରମ ସୀମାକୁ ପହଞ୍ଚିବା ପରେ ପୁଣି ଧିରେ ଧିରେ ହ୍ରାସ ହେବ ବୋଲି କହିଛନ୍ତି।