ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ବାଣିଜ୍ୟିକ ଜାହାଜଙ୍କ ଉପରେ ହେଉଥିବା ଲଗାତାର ଆକ୍ରମଣକୁ ନେଇ ଚିନ୍ତା ବଢିଛି। ଏହାକୁ ନଜରରେ ରଖି ଭାରତ ହର୍ମୁଜ ପ୍ରଣାଳୀ ଏବଂ ଓମାନ ଉପସାଗର ଆଖାପାଖରେ କାମ କରୁଥିବା ୧୮,୦୦୦ ଭାରତୀୟ ନାବିକଙ୍କ ଲାଗି ସମୁଦ୍ର ସୁରକ୍ଷା ସମ୍ପର୍କିତ ଏକ ନୂଆ ଆଡଭାଇଜରୀ ଜାରି କରିଛି। ଏହି ଆଡଭାଇଜରୀରେ ଡାଇରେକ୍ଟରେଟ ଜେନେରାଲ ଅଫ ସିପିଙ୍ଗ (ଡିଜିଏସ୍) ଇରାନ ଜଳକ୍ଷେତ୍ର, ହର୍ମୁଜ ପ୍ରଣାଳୀ ଓ ପାରସ୍ୟ ଉପସାଗରରେ କାମ କରୁଥିବା ଜାହାଜ ଓ ଚାଳକଦଳ ସଦସ୍ୟଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଆଡଭାଇଜରୀ ଭାରତୀୟ ଚାଳକଦଳ ସଦସ୍ୟ ଥିବା ବାଣିଜ୍ୟିକ ପୋତଙ୍କ ଉପରେ ନିକଟରେ ହୋଇଥିବା ୩ ଆକ୍ରମଣ ପରେ ଜାରି କରାଯାଇଛି। ଏଥିରେ ଓମାନ ଉପକୂଳରେ ହୋଇଥିବା ଏକ ମରଣାନ୍ତକ ଘଟଣା ମଧ୍ୟ ସାମିଲ, ଯେଉଁଥିରେ ୩ ଜଣ ନାବିକ ପ୍ରାଣ ହରାଇଛନ୍ତି। ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ୩ ନାବିକ ନିଖୋଜ ଥିବା ଖବର ମିଳିଥିଲା। ଆମେରିକାର କହିବା କଥା ହେଉଛି ଏହି ଟ୍ୟାଙ୍କରରେ ଇରାନୀ ତୈଳ ଥିଲା ଓ ସେ ଆମେରିକା ସେନାର ନିର୍ଦ୍ଦେଶ ପାଳନ କରିନଥିଲା। ସରକାରୀ ଅନୁମାନ ଅନୁସାରେ ଏବେ ଭାରତ ପତାକା ଲାଗିଥିବା ୧୩ଟି ଜାହାଜରେ ୬୨୨ ଜଣ ଭାରତୀୟ ଏବେବି ହର୍ମୁଜ ପ୍ରଣାଳୀର ପଶ୍ଚିମ ଓ ପୂର୍ବ ସାମୁଦ୍ରିକ ଅଞ୍ଚଳରେ କାମ କରୁଛନ୍ତି।

ସେହିପରି ସମଗ୍ର ଉପସାଗରୀୟ କ୍ଷେତ୍ରରେ ଥିବା ଅନ୍ୟ ଦେଶଙ୍କ ପତାକା ଲଗା ଶତାଧିକ ବାଣିଜ୍ୟିକ ଜାହାଜରେ ୧୮,୦୦୦ ଭାରତୀୟ ନାଗରିକ କାମ କରୁଛନ୍ତି। ଏହି କାରଣରୁ ବିଗୁଡୁଥିବା ସମୁଦ୍ର ସୁରକ୍ଷା ସ୍ଥିତିରେ ସବୁଠୁ ଅଧିକ ପ୍ରଭାବିତ ହେଉଥିବା ଦେଶଙ୍କ ମଧ୍ୟରେ ଭାରତ ମଧ୍ୟ ରହିଛି। ନୂଆ ଆଡଭାଇଜରୀରେ ଜାହାଜ ସଞ୍ଚାଳନକାରୀ, ମାଲିକ ଓ କ୍ୟାପ୍ଟେନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ପୁରା ସୁରକ୍ଷା ଡ୍ରିଲ କରନ୍ତୁ। ସିପ୍ ସିକ୍ୟୁରିଟି ଆଲର୍ଟ ସିଷ୍ଟମ (ଏସଏସ୍ଏଏସ୍)ର ଯାଞ୍ଚ କରନ୍ତୁ, କଡା ମନିଟରିଂ କରନ୍ତୁ, ନେଭିଗେସନ ସମ୍ପର୍କିତ ଚେତାବନୀ ଉପରେ କଡ଼ା ନଜର ରଖନ୍ତୁ ତଥା ରିପୋର୍ଟିଂ ଓ କଥାବାର୍ତ୍ତା ନିୟମକୁ କଡ଼ା କଡ଼ି ପାଳନ କରନ୍ତୁ।

ଆଡଭାଇଜରୀରେ ଡ୍ରୋନ, ମିଜାଇଲ, ଲଇଟରିଂମ୍ୟୁନିସନ ଓ ଚାଳକ ବିହୀନ ସାମୁଦ୍ରିକ ଜାହାଜ ଭଳି ବିପଦ ପ୍ରତି ଲଗାତାର ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ଡିଜିଏସ ଜାହଜ ଓ ସେମାନଙ୍କ ଚାଳକ ଦଳଙ୍କୁ କୌଣସି ସନ୍ଦିଗ୍ଧ ଗତିବିଦ୍ଧି, ସୁରକ୍ଷା ଜନିତ ବିପଦ ଓ ସାମୁଦ୍ରିକ ଘଟଣା ସମ୍ପର୍କରେ ତୁରନ୍ତ ଭାରତୀୟ ଅଧିକାରୀଙ୍କୁ ସୂଚିତ କରିବାକୁ ପରାମର୍ଶ ଦେଇଛି। ବିଶ୍ୱରେ ସାମୁଦ୍ରିକ କାର୍ଯ୍ୟରେ ନିୟୋଜିତ ଲୋକଙ୍କ ସଂଖ୍ୟା ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରାୟ ୩.୨ ଲକ୍ଷ ଭାରତୀୟ ସିଫେୟର୍ସ କାମ କରନ୍ତି। ଏଣୁ ମର୍ଚାଣ୍ଟ ସିପିଙ୍ଗ ସୁରକ୍ଷା ଏବେ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମସ୍ୟା ପାଲଟିଛି।