ନୂଆଦିଲ୍ଲୀ: ଦେଶର ପ୍ରଥମ ସ୍ୱଦେଶୀ ବୁଲେଟ୍ ଟ୍ରେନ୍ ତିଆରି କାମ ଜୋରସୋରରେ ଆଗେଇ ଚାଲିଛି। ବେଙ୍ଗାଲୁରୁର BEML ପ୍ଲାଣ୍ଟରେ ଏହାକୁ ତିଆରି କରାଯାଉଥିବା ବେଳେ ଭାରତୀୟ ଜଳବାୟୁ ଏବଂ ଆବଶ୍ୟକତା ଅନୁଯାୟୀ ଟ୍ରେନ୍କୁ ଡିଜାଇନ୍ କରାଯାଇଛି। ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରରେ ଦେଶର ପ୍ରଥମ ବୁଲେଟ ଟ୍ରେନ ଗଡ଼ିବ। ତେବେ ନିର୍ମାଣ ସରିବା ପୂର୍ବରୁ ଏହାର ସ୍ପିଡ୍, କୋଚ ସଂଖ୍ୟା ଓ ଯାତ୍ରୀ କ୍ଷମତା ନେଇ ସୂଚନା ସାମ୍ନାକୁ ଆସିଛି।

ଟ୍ରେନର ସ୍ପିଡ୍ ଓ ଯାତ୍ରୀ ସଂଖ୍ୟା

ମିଡିଆ ରିପୋର୍ଟ ଅନୁସାରେ,ଏହାର ସର୍ବାଧିକ ଟେଷ୍ଟ ସ୍ପିଡ୍ ଘଣ୍ଟା ପ୍ରତି ୨୮୦ କିଲୋମିଟର ରହିଛି। ସେହିପରି ସାଧାରଣରେ ଏହା ଘଣ୍ଟା ପ୍ରତି ୨୪୯ କିଲୋମିଟର ବେଗରେ ଗତି କରିପାରିବ। ଟ୍ରେନର ଲମ୍ବ ୨୦୨ ମିଟର ରହିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ୪ଟି ମୋଟର କାର୍ ଏବଂ ୪ଟି ଟ୍ରେଲର କାର୍ ସମେତ ମୋଟ ୮ଟି କୋଚ୍ ଦିଆଯିବ।


​​​​​​​ଗୋଟିଏ ଥର ପାଇଁ ଟ୍ରେନରେ ୫୫୭ ଜଣ ଯାତ୍ରୀ ଯାତ୍ରା କରିପାରିବେ। ୭ଟି କୋଚ୍ ଷ୍ଟାଣ୍ଡାର୍ଡ କ୍ଲାସ ଓ ଗୋଟିଏ ଏଗଜିକ୍ୟୁଭ କ୍ଲାସ ରହିବ। ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ମଧ୍ୟ ଏଥିରେ ଦୁଇଟି ସ୍ୱତନ୍ତ୍ର ସିଟ୍ ରହିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରବିବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ନିର୍ମାଣ ବେଳର କିଛି ଭିଡିଓ କ୍ଲିପ୍ ଶେୟାର କରିଛନ୍ତି। ଖୁବଶୀଘ୍ର ଟ୍ରେନ୍ ଆସୁଛି ବୋଲି ଭିଡିଓରେ କୁହାଯାଇଛି।

ଆରାମଦାୟକ ଯାତ୍ରା ପାଇଁ ସୁବିଧା

ଏହି ଟ୍ରେନରେ ଆରାମଦାୟକ ସିଟ୍ ସହିତ ଯଥେଷ୍ଟ ଲେଗରୁମ, ଜିନିଷପତ୍ର ରଖିବା ପାଇଁ ରେକ୍ ଓ ଓଜନିଆ ସାମଗ୍ରୀ ରଖିବା ପାଇଁ ଅଲଗା ଷ୍ଟାଣ୍ଡ ରହିବ। ମୋବାଇଲ ଓ ଲ୍ୟାପଟପ ଚାର୍ଜ କରିବା ପାଇଁ ପାୱାର ସକେଟ ଦିଆଯିବ। ଲସେହିପରି ଏଲ୍ଇଡି ଲାଇଟ୍, ଆଧୁନିକ ବାୟୋଡାଇଜେଷ୍ଟର ଟୟଲେଟ ବି ଲଗାଯିବ। କୋଚରେ ଲାଗିଥିବା ଏଲସିଡି ଡିସ୍‌ପ୍ଲେରେ ଯାତ୍ରୀଙ୍କୁ ହିନ୍ଦୀ,ଇଂରାଜୀ ଆଦି ଭାଷାରେ ସୂଚନା ମିଳିବ। ଆନାଉନ୍ସମେଣ୍ଟ ସିଷ୍ଟମ ବ୍ୟତୀତ ଜରୁରୀକାଳୀନ ସମୟରେ ଟ୍ରେନ୍ କର୍ମଚାରୀମାନଙ୍କ ସହ ସିଧାସଳଖ କଥା ହେବାର ସୁବିଧା ରହିବ। ସେହିପରି ୱାଇ-ଫାଇ ମାଧ୍ୟମରେ ଯାତ୍ରୀ ପୂର୍ବରୁ ଲୋଡ୍ ହୋଇଥିବା ମନୋରଞ୍ଜନ ମୂଳକ କଣ୍ଟେଣ୍ଟ ମଧ୍ୟ ଦେଖିପାରିବେ।

ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଖାସ୍ ସୁବିଧା

ଟ୍ରେନ୍ରେ ଚଢ଼ିବାକୁ ଯେମିତି ଦିବ୍ୟାଙ୍ଗ ଯାତ୍ରୀଙ୍କର କୌଣସି ସମସ୍ୟା ନ ହେବ ସେଥିପାଇଁ ଟ୍ରେନ୍ ଫ୍ଲୋରର ଉଚ୍ଚତା ପ୍ଲାଟଫର୍ମର ଉଚ୍ଚତା ସହ ସମାନ ହେବ। ଦୁଆରମୁହଁରେ ଅଟୋମୋଟିକ ଫୁଟ ଷ୍ଟେପ୍ ରହିବ। ଫଳରେ ଟ୍ରେନ୍ରେ ଚଢ଼ିବା ଓ ଓହ୍ଲାଇବା ସହଜ ହେବ। ହ୍ୱିଲ ଚେୟାର ପାଇଁ ଓସାରିଆ ଦୁଆର ଓ ବିଶେଷ ଟୟଲେଟ ତିଆରି କରାଯିବ। ସେହିପରି ଦୃଷ୍ଟିବାଧିତ ଯାତ୍ରୀଙ୍କ ପାଇଁ ବ୍ରେଲି ଲିପିରେ ସୂଚନା ଫଳକ ଦିଆଯିବ।

ଟ୍ରେନର ପ୍ରତ୍ୟେକ କୋଚ୍ରେ ଦୁଇଟି HVA ୟୁନିଟ୍ ରହିବ। ଯାହାଦ୍ୱାରା ବାହାର ତାପମାତ୍ରା ଅନୁସାରେ କୋଚ୍ ଭିତରେ ଶୀତଳତା ଏବଂ ଆର୍ଦ୍ରତା କାଏମ ରହିବ। ଶବ୍ଦପ୍ରଦୂଷଣକୁ ରୋକିବା ପାଇଁ କୋଚ୍ର ବଡି ଏବଂ ଫ୍ଲୋରକୁ ସାଉଣ୍ଡଲେସ୍ କରାଯିବ। ସେହିପରି ଟ୍ରେନ୍ର ମୁହଁକୁ ଏପରି ଭାବରେ ତିଆରି କରାଯିବ, ଯେମିତି ଦ୍ରୁତ ଗତିରେ ଚାଲିଲେ କିମ୍ବା ସୁଡ଼ଙ୍ଗରେ ପ୍ରବେଶ କରିବା ସମୟରେ ପବନର ଚାପକୁ ବାଇପାସ୍ କରିବା ସହିତ ଶବ୍ଦ ହ୍ରାସ ହୋଇପାରିବ।

୨୫ କେଭି ଓଭରହେଡ୍ ବିଜୁଳିରେ ଚାଲିବ ଟ୍ରେନ୍

ମିଡିଆ ରିପୋର୍ଟ ଅନୁସାରେ ଟ୍ରେନ୍ ୨୫ କେଭି ଓଭରହେଡ୍ ପାୱାର ସିଷ୍ଟମରେ ଚାଲିବ। ଏଥିରେ ଲାଗିଥିବା ରି-ଜେନେରେଟିଭ ବ୍ରେକିଂ ସିଷ୍ଟମ ଦ୍ୱାରା ଉତ୍ପାଦିତ ଶକ୍ତିକୁ ବିଦ୍ୟୁତରେ ପରିଣତ କରାଯିବ। ଆବଶ୍ୟକ ହେଲେ, ୮ଚି କୋଚ୍ ବିଶିଷ୍ଟ ଦୁଇଟି ଟ୍ରେନକୁ ମିଶାଇ ଏକ ୧୬-କୋଚ୍ ରେକ୍ କରାଯାଇପାରିବ।

କାମର ତଦାରଖ କଲେ ରେଳମନ୍ତ୍ରୀ

ରବିବାର ରେଳମନ୍ତ୍ରୀ ବେଙ୍ଗାଲୁରୁ ସ୍ଥିତ BEML ପ୍ଲାଣ୍ଟରେ ପହଞ୍ଚି ଟ୍ରେନ୍ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି। ଟ୍ରେନ୍ର ନିର୍ମାଣ ପ୍ରକ୍ରିୟା, ଟେକ୍ନୋଲୋଜୀ ବ୍ୟବସ୍ଥା, ଏବଂ ମାନର ଯାଞ୍ଚ କରିବା ସହ ଏହାର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ରେଳମନ୍ତ୍ରୀ କୋଚଗୁଡ଼ିକୁ ଯୋଡିବା ପାଇଁ ବ୍ୟବହୃତ ଉପକରଣଗୁଡ଼ିକ ଯାଞ୍ଚ କରିଥିଲେ। ସେ ଟ୍ରେନ୍ର ଛାତ, କାନ୍ଥ ଏବଂ ସମଗ୍ର ବଡି ଯୋଡିବା ପ୍ରକ୍ରିୟା, ଫ୍ଲୋର ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାର୍ଯ୍ୟର ଯାଞ୍ଚ କରିଛନ୍ତି। ଯାହାର ଭିଡିଓକୁ ସେ ସୋସିଆଲ୍ ମିଡିଆରେ ପଷ୍ଟ କରି କମିଂ ଶୁନ ବୋଲି ଲେଖିଛନ୍ତି।