ନୂଆଦିଲ୍ଲୀ:୨୦୨୭ରେ ଭାରତରେ ଗଡ଼ିବ ବୁଲେଟ୍ ଟ୍ରେନ୍। ତେବେ ଜାପାନର ଶିଙ୍କାନସେନ୍ E10 ନୁହେଁ, ବରଂ ସ୍ୱଦେଶୀ B-28 ହାଇସ୍ପିଡ୍ ଟ୍ରେନ୍ ସହ ଆରମ୍ଭ ହେବ ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ୍ ସେବା। ଜାପାନର E10 ସିରିଜ୍ ଟ୍ରେନ୍ ୨୦୩୦ ପୂର୍ବରୁ ଉପଲବ୍ଧ ନ ହେବାରୁ ଭାରତ ଓ ଜାପାନ ମିଶି ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୨ରେ କେନ୍ଦ୍ର ସରକାର ଦେଶରେ ବୁଲେଟ ଟ୍ରେନ୍ ଚଲାଇବା ନେଇ ଘୋଷଣା କରିଥିଲେ। ଏହି ମସିହାରେ ଭାରତର ୭୫ତମ ସ୍ୱାଧୀନତା ଦିବସ ପୂରଣ ହେଉଥିବା ଏହାକୁ ଲକ୍ଷ ରଖି ଏହି ଘୋଷଣା କରାଯାଇଥିଲା। ୨୦୧୭ ମସିହାରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତତ୍କାଳୀନ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତେବେ ଜମି ଅଧିଗ୍ରହଣରେ ବିଳମ୍ବ ଏବଂ କୋଭିଡ-୧୯ ମହାମାରୀ କାରଣରୁ ପ୍ରକଳ୍ପର କାମ ପଛେଇ ଯାଇଥିଲା। 
ହେଲେ ନିକଟରେ ଜାପାନର ପୂର୍ବତନ ନ୍ୟାୟ ମନ୍ତ୍ରୀ ଏ ବିଷୟରେ ନିଜ ମନ୍ତବ୍ୟ ଦେଇ ଭାରତକୁ ଦାୟୀ କରିଥିଲେ। ପରେ ମାମଲା ସାମ୍ନାକୁ ଆସିଥିଲା।ଭାରତର ବେପରୁଆପଣ ଯୋଗୁ ବୁଲେଟ ଟ୍ରେନ ପ୍ରକଳ୍ପ ବିଳମ୍ବ ହୋଇଥିଲା ବୋଲି ଜାପାନ ପୂର୍ବତନ ନ୍ୟାୟ ମନ୍ତ୍ରୀ ହିଡେକି ମାକିହାରା କହିଥିଲେ। ସେପଟେ ମୁମ୍ବାଇ-ଅହମଦାବାଦ ହାଇସ୍ପିଡ୍ ରେଳ ପ୍ରକଳ୍ପର କାମ ଦ୍ରୁତ ଗତିରେ ଚାଲିଛି ବୋଲି ସରକାର କହିଛନ୍ତି। ନିର୍ଦ୍ଧାରିତ ସମୟରେ ଜାପାନୀ ବୁଲେଟ ଟ୍ରେନ ନଆସି ପାରିବାରୁ ଭାରତୀୟ ବୁଲେଟ୍‌ ଟ୍ରେନ ହିଁ ଗଡିବ ବୋଲି ନିଷ୍ପତ୍ତି ନିଆଯାଇଛି। 

ବର୍ତ୍ତମାନ ସରକାରଙ୍କ ଲକ୍ଷ୍ୟ ୧୫ ଅଗଷ୍ଟ ୨୦୨୭ରେ ସୁରଟ-ବିଲିମୋରା ସେକ୍ସନରେ ବୁଲେଟ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିବେ। ଜାପାନର ନୂଆ ପିଢ଼ିର E10 ଶିଙ୍କାନସେନ୍ ଟ୍ରେନ୍ ଏବେ ଡେଭଲପିଂ ପର୍ଯ୍ୟାୟରେ ଥିବାରୁ ୨୦୩୦ ପୂର୍ବରୁ ଭାରତକୁ ମିଳିବା କଷ୍ଟକର। ତେଣୁ ପ୍ରକଳ୍ପରେ ବିଳମ୍ବ ଏଡ଼ାଇବାକୁ ଆରମ୍ଭରୁ ସ୍ୱଦେଶୀ ଟ୍ରେନ୍ ଚଳାଇବାକୁ ଉଭୟ ଜାପାନ ଓ ଭାରତ ସହମତ ହୋଇଛନ୍ତି।

 

'ମେକ୍ ଇନ୍ ଇଣ୍ଡିଆ' ଅଧୀନରେ ପ୍ରସ୍ତୁତ ହେଉଥିବା B-28 ହାଇସ୍ପିଡ୍ ଟ୍ରେନର ନିର୍ମାଣ ବେଙ୍ଗାଲୁରୁରେ Bharat Earth Movers Limited ବା BEMLକରୁଛି। ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟୋରି ଓ BEML ମିଳି ଏହାର ଡିଜାଇନ୍ ଏବଂ ନିର୍ମାଣ କରୁଛନ୍ତି। ୮ କୋଚ୍ ବିଶିଷ୍ଟ ଏହି ଟ୍ରେନରେ ୫୬୦ ଯାତ୍ରୀ ବସିପାରିବେ ଏବଂ ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୨୮୦ କିଲୋମିଟର ରହିବ। ଏହା ଭବିଷ୍ୟତରେ ଭାରତର ଅନ୍ୟ ହାଇସ୍ପିଡ୍ ରେଳ ପ୍ରକଳ୍ପ ପାଇଁ ମଧ୍ୟ ମାର୍ଗ ପ୍ରଶସ୍ତ କରିବ।

ସ୍ୱଦେଶୀ B-28 ବୁଲେଟ୍ ଟ୍ରେନ୍ ୟୁରୋପିଆନ୍ ଟ୍ରେନ୍ କଣ୍ଟ୍ରୋଲ୍ ସିଷ୍ଟମ୍ ବା ETCS ସିଗ୍ନାଲିଂ ବ୍ୟବସ୍ଥାରେ ଚାଲିବ। ଏହି ବ୍ୟବସ୍ଥା ଦକ୍ଷିଣ କୋରିଆ, ୟୁରୋପ, ତାଇୱାନ ଓ ଚୀନରେ ବ୍ୟବହୃତ ହେଉଥିବା ବେଳେ ଭାରତର ନମୋ ଭାରତ ରାପିଡ୍ ରେଳ ମଧ୍ୟ ଏହି ସିଷ୍ଟମ୍ ବ୍ୟବହାର କରୁଛି। ଭାରତୀୟ କମ୍ପାନୀମାନେ ହାଇସ୍ପିଡ୍ ରେଳ ପାଇଁ ଆବଶ୍ୟ ଉପକରଣ, ସ୍ଲାବ୍ ଟ୍ରାକ୍ ଓ ଯନ୍ତ୍ରପାତି ମଧ୍ୟ ଦେଶରେ ପ୍ରସ୍ତୁତ କରୁଛନ୍ତି।

Also Read- ବିଶ୍ବକୁ ହାତମୁଠାରେ ରଖିବାକୁ ଡ୍ରାଗନର ବଡ଼ ପ୍ଲାନ୍, ଗୋଟିଏ ନିଷ୍ପତ୍ତି ବଦଳାଇଦେବ ସବୁକିଛି !

ସମ୍ପ୍ରତି ଜାପାନର ପୂର୍ବତନ ନ୍ୟାୟମନ୍ତ୍ରୀ ହିଡେକି ମାକିହାରା ପ୍ରକଳ୍ପରେ ବିଳମ୍ବ ପାଇଁ ଭାରତକୁ ଦାୟୀ କରିଥିଲେ। ଭାରତ ପ୍ରତିଶ୍ରୁତି ଦେଇ ରଖିପାରେ ନାହିଁ। ଏହାର ଓ ବେପରୁଆପଣ ଯୋଗୁ ଏହା ବିଳମ୍ବ ହୋଇଥିଲା ବୋଲି ମାକିହାରା କହିଥିଲେ। କିନ୍ତୁ ସରକାରଙ୍କ କହିବା ଅନୁସାରେ, ୫୦୮ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପର ସିଭିଲ୍ କାମ ପୂର୍ବରୁ ଭାରତ ନିଜେ କରୁଛି। ଜାପାନରୁ ଟ୍ରେନ୍ ମିଳିବାରେ ବିଳମ୍ବ ହେଉଥିବାରୁ ପ୍ରକଳ୍ପକୁ ୨୦୩୪ ପର୍ଯ୍ୟନ୍ତ ଅପେକ୍ଷା ନ କରି, ସ୍ୱଦେଶୀ ପ୍ରଯୁକ୍ତିରେ ୨୦୨୭ରୁ ବୁଲେଟ୍ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ପ୍ରକଳ୍ପ ସଫଳ ହେଲେ ଦେଶରେ ଆଉ ୭ଟି ନୂଆ ବୁଲେଟ୍ ଟ୍ରେନ୍ କରିଡର ବିକାଶର ଯୋଜନା ରହିଛି। ସେଥିରେ ଦିଲ୍ଲୀ-ବାରାଣସୀ, ଦିଲ୍ଲୀ-ବାରାଣସୀ-ଶିଲିଗୁଡ଼ି, ମୁମ୍ବାଇ-ପୁଣେ, ପୁଣେ-ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁରୁ, ହାଇଦ୍ରାବାଦ-ଚେନ୍ନାଇ ଏବଂ ଚେନ୍ନାଇ-ବେଙ୍ଗାଲୁରୁ କରିଡର ସାମିଲ ରହିଛି। ଅର୍ଥାତ୍, ସ୍ୱଦେଶୀ ଟେକ୍ନୋଲୋଜୀକୁ ଭରସା କରି ଭାରତ ଏବେ ହାଇସ୍ପିଡ୍ ରେଳ କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି।