ନୂଆଦିଲ୍ଲୀ: ରେୟାର ଆର୍ଥ ମାଟେରିଆଲ୍‌ର ଗନ୍ତାଘର ଚୀନ୍‌ ସାରା ବିଶ୍ବକୁ ଚକମା ଦେବାକୁ ଯୋଜନା କରୁଛି  । ଏନେଇ ସରକାର ଘନଘନ ବୈଠକ କରୁଛନ୍ତି । ନିଷ୍କର୍ସ ଆସିବା ମାତ୍ରେ ବଡ଼ ପଦକ୍ଷେପ ଗ୍ରହଣ କରିପାରେ ଚୀନ୍ । ଆଉ ଗୋଟିଏ ନିଷ୍ପତ୍ତି ସମଗ୍ର ବିଶ୍ବକୁ ଚିନ୍ତାରେ ପକାଇପାରେ । ପ୍ରକୃତରେ ଚୀନ୍‌ ସରକାର ଏଆଇ ପ୍ରଯୁକ୍ତିବିଦ୍ୟା ଏବଂ ଚିପ୍‌ ରପ୍ତାନୀ ଉପରେ ଅଙ୍କୁଶ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । 'ଫାଇନାନ୍ସିଆଲ୍ ଟାଇମ୍ସ' (Financial Times)ର ଏକ ରିପୋର୍ଟ ଅନୁଯାୟୀ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ଚୀନ୍ ନିଜର ଜାତୀୟ ସୁରକ୍ଷା ଏବଂ ସମ୍ପତ୍ତି ଭାବେ ଗ୍ରହଣ କରି ସଂରକ୍ଷିତ ରଖିବାକୁ ଚାହୁଁଛି।

ଚୀନ୍‌ର ବାଣିଜ୍ୟ ମନ୍ତ୍ରଣାଳୟ ଦେଶର AI ପ୍ରଯୁକ୍ତିବିଦ୍ୟା ଏବଂ ପ୍ରମୁଖ ଷ୍ଟାର୍ଟଅପ୍‌ଗୁଡ଼ିକୁ ପାଶ୍ଚାତ୍ୟ ଦେଶଗୁଡ଼ିକ (West) ଦ୍ୱାରା ଅଧିଗ୍ରହଣ ହେବାରୁ ରୋକିବା ପାଇଁ ପଦକ୍ଷେପ ନେଉଛି । ଦେଶର ପ୍ରମୁଖ କମ୍ପାନୀଗୁଡ଼ିକ ସହ ଆଲୋଚନା ହୋଇଛି । ଅଲିବାବା, ବାଇଟ୍‌ଡ୍ୟାନ୍ସ  ଏବଂ ଜିପୁ  ଭଳି ଚୀନ୍‌ର ବଡ଼ ବଡ଼ AI କମ୍ପାନୀ ଓ ଚିପ୍ ନିର୍ମାତାମାନଙ୍କ ସହ ସରକାରୀ ଅଧିକାରୀମାନେ ବୈଠକ କରିଛନ୍ତି । ସେହିଭଳି ଡାଟା ଏବଂ ମୋଡେଲ୍ ୱେଟ୍ସ ସେୟାରିଂ ଉପରେ ରୋକ୍ ଲାଗିପାରେ ।

AI ମଡେଲ୍‌ଗୁଡ଼ିକୁ ଟ୍ରେନିଂ ଦେବା ପାଇଁ ଆବଶ୍ୟକ ହେଉଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ମୂଲ୍ୟବାନ ଜ୍ଞାନକୌଶଳ ଚୀନ୍ ବାହାରକୁ ନ ପଠାଇବା ପାଇଁ ଆଲୋଚନା ହୋଇଛି। ବିଦେଶୀ ବ୍ୟବହାରକାରୀମାନେ ଯେପରି ସହଜରେ ଏହି AI ମଡେଲ୍‌ଗୁଡ଼ିକର 'ମଡେଲ୍ ୱେଟ୍ସ' ଡାଉନ୍‌ଲୋଡ୍ ନ କରିପାରିବେ, ସେଥିପାଇଁ କଟକଣା ଲଗାଯାଇପାରେ।

ସେପଟେ ଲଞ୍ଚ ହୋଇନଥିବା ଏବଂ ଲଞ୍ଚ ଅପେକ୍ଷାରେ ଥିବା ମଡେଲ ଉପରେ ଚୀନ ତୀକ୍ଷ୍ଣ ନଜର ରଖିଛି । ଯେଉଁ ଉନ୍ନତ ଏଆଇ ମଡେଲଗୁଡ଼ିକ ଏପର୍ଯ୍ୟନ୍ତ ବଜାରକୁ ଆସିନାହିଁ, ସେଗୁଡ଼ିକୁ ମଧ୍ୟ ବିଦେଶୀ ବ୍ୟବହାରକାରୀଙ୍କ ପାଖରୁ ଦୂରରେ ରଖିବା ପାଇଁ ସରକାର ଆଲୋଚନା କରୁଛନ୍ତି ।

ରପ୍ତାନୀ ନିଷେଧ ତାଲିକାରେ ସଂଶୋଧନ କରିବାକୁ ଚୀନ ସରକାର ପ୍ରସ୍ତୁତି କରୁଛନ୍ତି । ଚୀନ୍ ନିଜର ପ୍ରଯୁକ୍ତିବିଦ୍ୟା ନିୟନ୍ତ୍ରଣ ଏବଂ ରପ୍ତାନି ନିଷିଦ୍ଧ କାଟାଲଗରେ ଏହି ନୂତନ ନିୟମଗୁଡ଼ିକୁ ସାମିଲ କରିପାରେ। ଚୀନ୍ ସରକାର 'ଏଜେଣ୍ଟିକ୍ AI' ଭଳି ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଉପରେ ବିଦେଶୀ କମ୍ପାନୀଗୁଡ଼ିକର ଅଧିକାର ବା ସ୍ୱାମୀତ୍ୱ ନିୟନ୍ତ୍ରଣ କରିବାକୁ ଯୋଜନା କରୁଛନ୍ତି।
ସଂପ୍ରତି ଏହି ପ୍ରସ୍ତାବ ଉପରେ କମ୍ପାନୀ ଏବଂ ଶିଳ୍ପ ବିଶେଷଜ୍ଞଙ୍କ ମତାମତ ନିଆଯାଉଛି, ଏହା ପରେ ଏହାକୁ ଲାଗୁ କରିବା ଉପରେ ବିଚାର ହେବ । ଯଦି ଏହି ନୂଆ ନିୟମ ଲାଗୁ କରିବାରେ ସଫଳ ହୁଏ, ତେବେ ଏଆଇ ସହ ଜଡ଼ିତ ପ୍ରଯୁକ୍ତିବିଦ୍ୟା ବାକି ଦୁନିଆ ପାଖରେ ପହଞ୍ଚିପାରିବ ନାହିଁ ଏବଂ ଡ୍ରାଗନ ଆହୁରି ଶକ୍ତିଶାଳୀ ହେବା ସହ ବିଶ୍ବ ପାଇଁ ଚିନ୍ତା ବଢ଼ାଇବ ।