ବୁଲାୟୋ: ୧୯ ବର୍ଷରୁ କମ ବିଶ୍ଵକପରେ ଭାରତର ଦମଦାର ବିଜୟ। ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ଵିତୀୟ ମ୍ୟାଚରେ ଭାରତ ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ୧୮ ରନରେ ମାତ୍ ଦେଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚକୁ ଡକ ଓ୍ଵର୍ଥ ଲୁଇସ ନିୟମରେ ଜିତି କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି ଆୟୁଷ ମହାତ୍ରେଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ଆଉ ମ୍ୟାଚରେ ହିରୋ ସାଜିଛନ୍ତି ବିହାନ ମାଲହୋତ୍ରା। ସେ ୪ ଓଭରରେ ୪ ଓ୍ଵିକେଟ୍ ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୩୮ ରନ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୭୨ ରନ ଓ ଅଭିଜ୍ଞାନ କୁଣ୍ଡୁ ୮୦ ରନ କରିଥିଲେ। ବାଂଲାଦେଶକୁ ଡିଏଲଏସ ଅନୁସାରେ, ୨୯ ଓଭରରେ ୧୬୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଦଳ ୧୪୬ ରନ କରି ପାରିଛି।

ଜିମ୍ବାଓ୍ଵେର ବୁଲାୟୋରେ ଖେଳା ଯାଇଥିବା ଏହି ମୁକାବିଲ ୨୩୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶକୁ ୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଜଓ୍ଵାଦ ଅବରାର ୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ମହମ୍ମଦ ରିଫତ ବେଗ ଓ ଅଧିନାୟକ ମହମ୍ମଦ ଅଜିଜୁଲ ହାକିମ ତମିମ ଇନିଂସ ସମ୍ଭାଳିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ି ଦଳ ପାଇଁ ବିଜୟ ମୂଳଦୁଆ ପକାଇଥିଲେ। ତେବେ ମଝିରେ ବର୍ଷା ହେବାରୁ ଖେଳ ଦୁଇ ଥର ବାଧାପ୍ରାପ୍ତ ହୋଇଥିଲା। ଫଳରେ ୨୯ ଓଭରରେ ୧୬୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଦଳ ୨୧.୨ ଓଭରରେ ୨ ଓ୍ଵିକେଟ୍ ହରାଇ ୧୦୬ ରନ କରି ମଜବୁତ ସ୍ଥିତିରେ ଥିଲା। ବାଂଲାଦେଶର ପଲ୍ଲା ଭାରି ରହିଥିଲା।

ତେବେ ଏଠାରୁ ହିଁ ଭାରତ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା। ବିଶେଷ କରି ବିହାନ ​​​​​​​ ମାଲହୋତ୍ରା ଘାତକ ବୋଲିଂ କରି ମ୍ୟାଚର ମଙ୍ଗକୁ ଭାରତ ଆଡକୁ ମୋଡ଼ିଥିଲେ। ମହମ୍ମଦ ରିଫତ ବେଗ ୩୭ ରନ କରିଥିଲେ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଅଧିନାୟକ ମହମ୍ମଦ ଅଜିଜୁଲ ହାକିମ ତମିମ ୫୧ ରନ କରି ଆଉଟ୍ ହେବା ବାଂଲାଦେଶକୁ ବଡ଼ ଝଟକା ଲାଗିଥିଲା। କଲମ ସିଦ୍ଦିକି ଅଲୀନ ୧୫ ରନ ଓ ମହମ୍ମଦ ରିଜାନ ହୁସେନ ୧୫ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ଶେଷ ଆଡ଼କୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ବାଂଲାଦେଶ। ଦଳ ୨୮.୩ ଓଭରରେ ୧୪୬ ରନରେ ଅଲଆଉଟ୍ ହୋଇଥିଲା। ଏକଦା ୧୦୬ ରନ କରି ମାତ୍ର ୨ ଓ୍ଵିକେଟ୍ ହରାଇଥିବା ବାଂଲାଦେଶ ଅବଶିଷ୍ଟ ୪୦ ରନରେ ୮ ଓ୍ଵିକେଟ୍ ହରାଇ ପରାଜିତ ହୋଇଛି।

ଭାରତ ପକ୍ଷରୁ ବିହାନ ମାଲହୋତ୍ରା ଘାତକ ବୋଲିଂ କରି ଭାରତକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେ ୪ ଓଭରରେ ୧୪ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ହେନିଲ ପଟେଲ୍ ମାତ୍ର ୧୭ ରନ ଦେଇ ଗୋଟିଏ ସଫଳତା ହାସଲ କରିଛନ୍ତି। ଖିଲାନ ପଟେଲଙ୍କୁ ୨ଟି ଏବଂ ଦୀପେଶ ଦେବେନ୍ଦ୍ରନ ପ୍ରତ୍ୟେକ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।  ​​​​​​​