ମୁମ୍ୱାଇ: ଜିମ୍ବାୱେ ବିପକ୍ଷରେ ଚଳିତ ମାସରେ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜରେ ଦଳର ଅଧିନାୟକତ୍ୱ ଶ୍ରେୟସ ଆୟର କରିବେ । ଅନ୍ୟପଟେ ତିଲକ ବର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି । ଭବିଷ୍ୟତକୁ ନଜରରେ ରଖି ଚୟନକର୍ତ୍ତାମାନେ ଯୁବ ଖେଳାଳିମାନଙ୍କୁ ଅଧିକ ସୁଯୋଗ ଦେଇଛନ୍ତି ।

ଦଳକୁ ମଧ୍ୟକ୍ରମ ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ରିଙ୍କୁ ଆୟର୍ଲ୍ୟାଣ୍ଡ, ଇଂଲଣ୍ଡ ଗସ୍ତ ଏବଂ ଏସିଆନ ଗେମ୍ସ ପାଇଁ ଦଳରେ ସ୍ଥାନ ପାରି ନ ଥିଲେ । ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଏହି ତିନୋଟି ଟି-୨୦ ମ୍ୟାଚ୍ ଜୁଲାଇ ୨୩, ୨୫ ଏବଂ ୨୬ ତାରିଖରେ ହରାରେଠାରେ ଖେଳାଯିବ ।

ଦଳରେ ୪ ନୂଆ ଚେହେରାଙ୍କ ଏଣ୍ଟ୍ରି

ୱିକେଟକିପର ବ୍ୟାଟର ପ୍ରଭସିମରନ ସିଂ, ଦ୍ରୁତ ବୋଲର ଅଶୋକ ଶର୍ମା, ୟଶ ଠାକୁର ଏବଂ ସ୍ପିନର ହର୍ଷ ଦୁବେଙ୍କୁ ପ୍ରଥମ ଥର ପାଇଁ ଟି-୨୦ ଦଳରେ ସାମିଲ କରାଯାଇଛି । ପ୍ରଭସିମରନ, ଅଶୋକ ଶର୍ମା ଓ ୟଶ ଠାକୁର ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଥିବା ବେଳେ ହର୍ଷ ଦୁବେ ପୂର୍ବରୁ ଭାରତ ପାଇଁ ଦିନିକିଆ ମ୍ୟାଚ୍ ଖେଳିସାରିଛନ୍ତି । ଏହା ସହିତ ଦ୍ରୁତ ବୋଲର ମୟଙ୍କ ଯାଦବ ମଧ୍ୟ ଦୀର୍ଘ ଦିନ ପରେ ଦଳକୁ ଫେରିଛନ୍ତି ।

ସଞ୍ଜୁ ସାମସନଙ୍କୁ ବିଶ୍ରାମ, ୧୫ ବର୍ଷୀୟ ବୈଭବଙ୍କୁ ସୁଯୋଗ

ଏହି ସିରିଜ୍ରୁ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ଅନ୍ୟପଟେ ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସ୍ଥାନ ମିଳିଛି । ଗତ ଶନିବାର ମାଞ୍ଚେଷ୍ଟରଠାରେ ଇଂଲଣ୍ଡ ବିପକ୍ଷରେ ବୈଭବ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ।

ୱାର୍କଲୋଡ୍ ମ୍ୟାନେଜମେଣ୍ଟ କାରଣରୁ ଅଲରାଉଣ୍ଡର ଅକ୍ଷର ପଟେଲ, ଦ୍ରୁତ ବୋଲର ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ଏହି ସିରିଜ୍ରୁ ବିଶ୍ରାମ ଦିଆଯାଇଛି ।

ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ସ୍କ୍ୱାଡ୍

ଶ୍ରେୟସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଲକ ବର୍ମା (ଉପ-ଅଧିନାୟକ), ଇଶାନ କିଷନ (ୱିକେଟକିପର), ଶିବମ ଦୁବେ, ସୂର୍ଯ୍ୟାଂଶ ଶେଡଗେ, ରିଙ୍କୁ ସିଂ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ୟଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ ଏବଂ ପ୍ରଭସିମରନ ସିଂ (ୱିକେଟକିପର) ।

ଜିମ୍ବାୱେ ସିରିଜ୍ ବ୍ୟତୀତ, ଜୁଲାଇ ୧୪ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ମଧ୍ୟ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆହତ ନୀତୀଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ଦିନିକିଆ ସ୍କ୍ୱାଡ୍ରେ ସାମିଲ କରାଯାଇଛି ବୋଲି ବିସିସିଆଇ ସୂଚନା ଦେଇଛି।