ନୂଆଦିଲ୍ଲୀ, ୨୧/୧୨: ମହଙ୍ଗା ହେଲା ଟ୍ରେନ୍ ଯାତ୍ରା । ବଢିଲା ଟିକେଟ୍ । ନୂଆ ବର୍ଷ ପୂର୍ବରୁ କେନ୍ଦ୍ର ସରକାର ଟ୍ରେନ୍ ଭଡା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୨୬ରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଜଣାପଡିଛି । ଭାରତୀୟ ରଳବାଇ ମେଲ-ଏକ୍ସପ୍ରେସର ଦାମ୍ ବଢାଇବାକୁ ଘୋଷଣା କରିଛନ୍ତି । ଏବେ ଅଧିକ ବାଟ ଯାଉଥିବା ଯାତ୍ରୀ ଅଧିକ ଟଙ୍କା ବ୍ୟୟ କରିବେ । 

ରେଳବାଇ ନୂଆ ଟିକେଟ୍ ଦାମ୍ ଘୋଷଣା କରିଛି । ଅର୍ଡିନାରୀ କ୍ଲାସ୍ ବା ସାଧାରଣ ବର୍ଗରେ ୨୧୫ କିମିରୁ କମ୍ ଯାତ୍ରା କରୁଥିବା ଟିକେଟ୍ ଦାମ୍ ବଢିନାହିଁ । ଅର୍ଥାତ ଦାମ୍ ପୂର୍ବପରି ସମାନ ରହିବ । କିନ୍ତୁ ୨୧୫ କିଲୋମିଟରରୁ ଦୂରକୁ ଯାଉଥିବା ଯାତ୍ରୀ ସାଧାରଣ ଶ୍ରେଣୀରେ କିଲୋମିଟର ପିଛା ଅତିରିକ୍ତ ଏକ ପଇସା ଦେବେ ।  ସେହିପରି ମେଲ୍-ଏକ୍ସପ୍ରେସ ନନ୍ ଏସି ଏବଂ ଏସି କ୍ଲାସରେ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି ।

ବର୍ଦ୍ଧିତ ଭଡାରୁ ୬୦୦ କୋଟି ଲାଭ

ଭାରତୀୟ ରେଳ ଦ୍ୱାରା ଟ୍ରେନ୍ ଟିକେଟ୍ ବୃଦ୍ଧି ପରେ ଲାଭ ମଧ୍ୟ ବଢିବ । ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଦର ପରିବର୍ତ୍ତନ ଦ୍ୱାରା ୬୦୦ କୋଟି ଟଙ୍କାରୁ ଅଧିକ ଆୟ ହେବ । ଯଦି କୌଣସି ଯାତ୍ରୀ ନନ୍ ଏସି ଟ୍ରେନରେ ୫୦୦ କିଲୋମିଟର ଯାତ୍ରା କରନ୍ତି ତେବେ ବର୍ତ୍ତମାନର ଦାମ୍ ଅପେକ୍ଷା ୧୦ ଟଙ୍କା ଅଧିକ ଦେବେ ।

ଚଳିତ ବର୍ଷ ଦ୍ୱିତୀୟ ଥର ପରିବର୍ତ୍ତନ

ଭାରତୀୟ ଟ୍ରେନ୍ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଟ୍ରେନ୍ ଭଡା ବୃଦ୍ଧି କରିଛି । ଏହାପୂର୍ବରୁ ଜୁଲାଇ ୧ରେ ରେଳ ଭଡା ବଢିଥିଲା । ସେହି ସମୟରେ ମଧ୍ୟ ସମାନ ବୃଦ୍ଧି ହୋଇଥିଲା । ମେଲ୍ ଏବଂ ଏକ୍ସପ୍ରେସର ନନ୍ ଏସିରେ କିଲୋ ମିଟର ପିଛା ୧ ପଇସା ଏବଂ ଏସି ଟ୍ରେନରେ କିମି ପିଛା ୨ ପଇସା ବଢାଇଥିଲା ରେଳବାଇ ।