ଜୟପୁର : ଦେବୀଙ୍କ ଦର୍ଶନ କରିବେ, ପରିବାର ସହ ଖୁସିରେ ସମୟ କାଟିବେ। ଏହି ଆଶା ନେଇ ଘରୁ ବାହାରିଥିଲେ କିଛି ଯାତ୍ରୀ । ହେଲେ କିଏ ଜାଣିଥିଲା ରାସ୍ତାରେ ଜଗିବସିଥିଲା ମୃତ୍ୟୁ ? ବିଚ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା। ଅଧାରେ ରହିଗଲା ଦେବୀଙ୍କ ଦର୍ଶନ, ଚୁରମାର ହୋଇଗଲା ସବୁ ସ୍ୱପ୍ନ। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଗୋଟିଏ ପରିବାରର ୫ ଜଣଙ୍କ ସମେତ ମୋଟ ୬ ଜଣଙ୍କ ଜୀବନ ଚାଲିଯାଇଛି। ରାଜସ୍ଥାନରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ମିଳିଥିବା ସୂଚନାନୁଯାୟୀ , ରାଜସ୍ଥାନର ଚୁରୁରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ଏକ ପରିବାରର ଯାତ୍ରା ଜୀବନର ଶେଷ ଯାତ୍ରାରେ ପରିଣତ ହୋଇଛି। ଏହି ଦୁର୍ଘଟଣାରେ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି। ଘରୁ ହସଖୁସିରେ ଦେବୀଙ୍କ ଦର୍ଶନ କରିବାକୁ ବାହାରିଥିଲେ। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ। ଦୁର୍ଘଟଣାର ଖବର ପାଇବା ପରେ ଶୋକରେ ବୁଡ଼ିଯାଇଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ । ଯେଉଁ ଘରେ ଖୁସିର ମାହୋଲ ରହିବା କଥା, ସେଠାରେ ଏବେ ଶୋକର ଛାୟା ଖେଳିଯାଇଛି ।

ତେବେ ଦୁର୍ଘଟଣାଟି କେମିତି ଘଟିଲା, ଆଉ କେଉଁ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି ଏବଂ ଦୁର୍ଘଟଣା ପଛର ପ୍ରକୃତ କାରଣ କ’ଣ, ସେନେଇ ବିସ୍ତୃତ ତଥ୍ୟ ଯାଞ୍ଚ କରୁଛି ପୋଲିସ । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହି ଘଟଣା ପୁଣି ଥରେ ସଡ଼କ ସୁରକ୍ଷା ଓ ସତର୍କତାର ଗୁରୁତ୍ୱକୁ ମନେ ପକାଇ ଦେଇଛି। ରାଜସ୍ଥାନର ଏହି ମର୍ମନ୍ତୁଦ ଦୁର୍ଘଟଣା ଗୋଟିଏ ପରିବାରର ଖୁସି ସବୁଦିନପାଇଁ ଛଡ଼ାଇ ନେଇଗଲା ।